ଭୁବନେଶ୍ବର: କ୍ରିକେଟ୍‌ର ବହୁ କୀର୍ତ୍ତିମାନ ଅଛି ଯେଉଁଗୁଡିକର ଆଲୋଚନା ଖୁବ୍ କ୍ବଚିତ ହୋଇଥାଏ। ପ୍ରଶଂସକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବେଳେ ଏଭଳି କିଛି ବିରଳ ପରିସଂଖ୍ୟାନ ଆମେ ଉପସ୍ଥାପିତ କରୁଛୁ।

Advertisment

ଟେଷ୍ଟ୍ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଘର ବାହାର ପ୍ରଦର୍ଶନ ମଧ୍ୟରେ ଥିବା ବ୍ୟବଧାନ ପ୍ରତିଶତ ଏକ ରେକର୍ଡ। ଏବେ ସେ ଘରୋଇ ପଡିଆରେ ୧୪ ମ୍ୟାଚ୍‌ରୁ ୮୮.୩୩ ହାରରେ ରନ୍‌ ସଂଗ୍ରହ କରିଥିବା ବେଳେ ବିଦେଶରେ ୧୮ ମ୍ୟାଚ୍‌ରୁ ୨୬.୩୨ ହାରରେ ବ୍ୟାଟିଂ କରିଛନ୍ତି। ଏହା ମଧ୍ୟରେ ବ୍ୟବଧାନ ହେଉଛି ୬୨.୦୧। ଯାହାକି ଅନ୍ୟୁନ ୧୦ ପାଳି ଖେଳିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବଡ଼ ଫରକ। ଅଷ୍ଟ୍ରେଲିଆର ମାର୍ନସ ଲବୁସାନ୍ ଏଥିରେ ଦ୍ବିତୀୟରେ ରହିଛନ୍ତି। ସେ ଘରେ ୮୫.୬୭, ବାହାରେ ୩୯.୪୫ ସହିତ ୪୩.୨୯ ବ୍ୟବଧାନ ରଖିଛନ୍ତି। ଯଦି ଅନ୍ୟୁନ ୧୦୦୦ ରନ୍‌ (ଘରେ-ବାହାରେ)କୁ ଯୋଗ୍ୟତା ମାନଦଣ୍ଡ ରଖାଯାଏ ତେବେ ଅଷ୍ଟ୍ରେଲିଆର ବବ୍‌ ‌କାଓପର୍‌ (୪୨.୪୫ ବ୍ୟବଧାନ) ଶୀର୍ଷକୁ ଚାଲିଯିବେ। ରୋହିତ ଶର୍ମା ଏବେ ଘରେ ୧୩୨୫ ଏବଂ ବିଦେଶରେ ୮୧୬ ରନ୍ କରିଛନ୍ତି।

ଗଲ୍ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ ୧୦ ଅର୍ଧଶତକ ହାସଲ କରିଛନ୍ତି। କିନ୍ତୁ ଥରେ ବି ଶତକ ପୂର୍ଣ୍ଣ କରିପାରିନାହାନ୍ତି। ଯାହାକି ଏକ କୀର୍ତ୍ତିମାନ ନୁହେଁ। ଏଠାରେ ସେ ସର୍ବାଧିକ ବ୍ୟକ୍ତିଗତ ୯୫* ରନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୧ ମସିହାରେ କରିଥିଲେ। କୀର୍ତ୍ତିମାନଟି ଅଷ୍ଟ୍ରେଲିଆର ଆଲାନ୍ ବର୍ଡରଙ୍କ ନାମରେ ରହିଛି। ବର୍ଡର ସିଡନି କ୍ରିକେଟ୍‌ ଗ୍ରାଉଣ୍ଡରେ ୧୧ ଥର ଅର୍ଧଶତକ ହାସଲ କରି ଥରେ ବି ତିନି ଅଙ୍କ ଛୁଇଁପାରିନଥିଲେ। ସେଠାରେ ବ୍ୟକ୍ତିଗତ ସର୍ବାଧିକ ୮୯ ଓ ୮୩ ରନ୍ ସେ ୧୯୮୩ ମସିହାରେ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲେ। ମାଥ୍ୟୁସଙ୍କ ସାଥୀ ଖେଳାଳି ମାହେଲା ଜୟବର୍ଧନେ କିନ୍ତୁ ଶତକ ସହିତ ଗୋଟିଏ ପଡିଆରେ ସର୍ବାଧିକ ଥର ୫୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିଛନ୍ତି। କଲମ୍ବୋର ଏସଏସସିରେ ସେ ୨୦ ଥର ଏବଂ ଗଲ୍‌ରେ ୧୯ ଥର ଏଭଳି କରିଛନ୍ତି। ଏହି ତାଲିକାରେ ପରବର୍ତୀ ଦୁଇ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଜ୍ୟାକ୍‌ କାଲିସ୍ (୧୮ ଥର, କେପ୍‌ ଟାଉନ୍) ଏବଂ ଇଂଲଣ୍ଡର ଆଲେଷ୍ଟର୍ କୁକ୍ (୧୬ ଥର, ଲର୍ଡସ)।

publive-image

ମର୍କରାମ-ବେହାରଦିନ୍‌ଙ୍କ ୨୭୨
ଗତବର୍ଷ ଦକ୍ଷିଣ ଆଫ୍ରିକାର ଘରୋଇ ଦିନିକିଆରେ ଏଦେନ ମର୍କରାମ-ଫାହାନ୍‌ ବେହାରଦିନ୍‌ ଷଷ୍ଠ ୱିକେଟ୍ ପାଇଁ ୨୭୨ ରନ୍ କରିଥିଲେ। ଏହା ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ଷଷ୍ଠ ୱିକେଟ୍ ପାଇଁ ଏକ କୀର୍ତ୍ତିମାନ। କେପ୍‌ କୋବ୍ରା ବିପକ୍ଷରେ ଟାଇଟାନ୍ସ ପାଇଁ ଖେଳୁଥିବା ବେଳେ ଏହି ଅନ୍ତର୍ଜାତୀୟ ଯୋଡ଼ି ୩୧/୫ରୁ ପାଳି ସମ୍ଭାଳି ୩୦୩ ରନ୍‌ରେ ଅଲଗା ହୋଇଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ଗ୍ରାଣ୍ଟ୍ ଏଲିଅଟ-ଲୁକ୍ ରୋଞ୍ଚି (୧୭୦*, ୯୯ ବଲ)ଙ୍କ ନାମରେ ଥିଲା। ଏହି ଯୋଡ଼ି ୨୦୧୫ରେ ଡୁନେଡିନ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଏହି ଭାଗୀଦାରି ଗଢ଼ିଥିଲେ। ଏହା ମଧ୍ୟ ଦିନିକିଆ ଅନ୍ତର୍ଜାତୀୟରେ କୀର୍ତ୍ତିମାନ ହୋଇ ରହିଛି।

ଷାଠିଏ ଏବଂ ସତୁରି ଦଶକରେ ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତୀୟ ସ୍ପିନ୍ ଚତୁର୍ଦ୍ଦାମୂର୍ତ୍ତିଙ୍କ ଢେର ପ୍ରଭାବ ରହିଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଏମାନେ ମାତ୍ର ଗୋଟିଏ ଟେଷ୍ଟ୍‌ ମ୍ୟାଚ୍‌ରେ ଏକାଠି ଖେଳିଥିଲେ। ୧୯୬୭ ମସିହାର ଏଜବାଷ୍ଟନ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ ଏହି ବିରଳ ମୁହୂର୍ତ୍ତି ଆସିଥିଲା। ମିଳିତ ଭାବେ ଏହି ୪ ଭାରତୀୟ ମୋଟ ୨୩୧ ଟେଷ୍ଟ୍ ଖେଳି ୮୫୩ ୱିକେଟ୍‌ ନେଇଥିଲେ। ବ୍ୟକ୍ତିଗତ ଭାବେ ବିଶନ ସିଂହ ବେଦୀ ୬୭ ଟେଷ୍ଟ୍‌ ଖେଳି ୨୬୬ ୱିକେଟ୍‌, ଭଗବତ ଚନ୍ଦ୍ର ଶେଖର ୫୮ ଟେଷ୍ଟ ଖେଳି ୨୪୨ ୱିକେଟ୍‌, ଏରାପଲ୍ଲୀ ପ୍ରସନ୍ନା ୪୯ ଟେଷ୍ଟ୍‌ ଖେଳି ୧୮୯ ୱିକେଟ୍‌ ଏବଂ ଶ୍ରୀନିବାସ ଭେଙ୍କଟରାଘବନ ୫୭ ଟେଷ୍ଟ୍‌ ଖେଳି ୧୫୬ ୱିକେଟ୍ ନେଇଥିଲେ। ପ୍ରସନ୍ନା ଏବଂ ଭେଙ୍କଟରାଘବନ ଅଫ୍‌ସ୍ପିନର୍‌ ଥିଲେ ମଧ୍ୟ ଭଲ ବ୍ୟାଟିଂ କରିପାରୁନଥିବାରୁ ଏଭଳି ଘଟିଥିଲା।