ଭୁବନେଶ୍ବର: ସେଲିବ୍ରିଟିମାନଙ୍କ ସମ୍ପର୍କରେ ତଥାକଥିତ ଫାଟକୁ ନେଇ ସେମାନଙ୍କ ଫ୍ୟାନ୍‌ମାନେ ବହୁକଥା ଅନୁମାନ କରନ୍ତି। ତନ୍ମଧ୍ୟରୁ ଅନେକ କଥା ସହ ସତ୍ୟତାର ମେଳ ଖାଏନାହିଁ। ଫ୍ୟାନ୍‌ମାନେ ନିଜ ପସନ୍ଦର ଷ୍ଟାର୍‌ଙ୍କ ସପକ୍ଷରେ ଯୁକ୍ତି ବାଢ଼ୁବାଢ଼ୁ ତାଙ୍କ ସାଥୀ ବା ପ୍ରତିଦ୍ବନ୍ଦ୍ବୀ ଷ୍ଟାର୍‌ଙ୍କ ବିପକ୍ଷରେ ମଧ୍ୟ ଯୁକ୍ତି ବାଢ଼ନ୍ତି। ସାମାଜିକ ଗଣମାଧ୍ୟମରେ ଫ୍ୟାନ୍‌ମାନେ ତୁ-ତୁ-ମେ-ମେ ଅବସ୍ଥାକୁ ମଧ୍ୟ ଆସନ୍ତି। କିଛିଦିନ ଦେଶବ୍ୟାପୀ ସେସବୁକୁ ନେଇ ଚର୍ଚ୍ଚା ଚାଲେ। ତେବେ ଫ୍ୟାନ୍‌ମାନଙ୍କର ଅନେକ ଧାରଣା ଭୁଲ୍‌ ଥିବା ସଂପୃକ୍ତ ଷ୍ଟାର୍‌ମାନଙ୍କୁ ନେଇ କେତୋଟି ଘଟଣାକ୍ରମରୁ ଜଣାପଡ଼େ। ଏବେ ଦେଶର ଦୁଇ କ୍ରିକେଟ ମହାରଥୀ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁଇ ମହାନ ବ୍ୟାଟର୍‌ଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଭୁଲ୍ ଥିଲା ବୋଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଶେଷ ମୁହୂର୍ତ୍ତର ଏକ ଦୃଶ୍ୟରୁ ସୂଚନା ମିଳୁଛି। ଉକ୍ତ ମ୍ୟାଚ୍‌ରେ ପାଣ୍ଡ୍ୟା ବିଜୟୀ ସଟ୍ ମାରିବା କ୍ଷଣି ରୋହିତ ଓ କୋହଲି କୁଣ୍ଢାକୁଣ୍ଢି ହେବାବେଳେ ସେମାନଙ୍କ ଶରୀରର ଭାଷାରେ ଥିବା ସ୍ବତଃସ୍ଫୂର୍ତ୍ତତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ ଯେ କୋହଲି ରୋହିତଙ୍କ ଜଂଘ ଓ ପିଠି ଏକାଧିକ ଥର ଥାପୁଡ଼ାଇବାରୁ ରୋହିତ ମୁଣ୍ଡପାତି କୋହଲିଙ୍କୁ କୁଣ୍ଢାଇ ଧରିଥିଲେ। କୋହଲିଙ୍କୁ ତାଙ୍କ ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ରୋହିତ କୃତଜ୍ଞତା ଜଣାଉଥିବା ସେଥିରୁ ସ୍ପଷ୍ଟ ହେଉଥିଲା। ଅନ୍ୟପକ୍ଷରେ ଦଳର ବିଜୟ କାମନା ପାଇଁ ନିଜ ପାରମ୍ପରିକ ଅନ୍ଧବିଶ୍ବାସକୁ ଅଧିନାୟକ ପଦରୁ ଯିବା ପରେ ମଧ୍ୟ କୋହଲି ନ ବଦଳାଇବା ରୋହିତଙ୍କ ନେତୃତ୍ବକୁ ନେଇ ତାଙ୍କର ଅସୂୟା ନଥିବା ସୂଚାଉଛି।

Advertisment

ସୂଚନାଯୋଗ୍ୟ ଯେ ସଚିନ ଓ କୋହଲିଙ୍କ ପରି ବିଶ୍ବସ୍ତରୀୟ ଖେଳାଳିମାନେ ମାନୁଥିବା ଅନେକ ଏପରି ଅନ୍ଧବିଶ୍ବାସ ମଧ୍ୟରୁ ଗୋଟିଏ ହେଲା, ଚେଜ୍ କଲାବେଳେ ନିଜେ ଆଉଟ୍ ହେବା ପରେ ମଧ୍ୟ ଖେଳ ଶେଷ ନହେବାଯାଏ ପ୍ୟାଡ୍‌ ନଖୋଲିବା। ସେଦିନ କୋହଲି ଅନ୍ୟତମ ନିର୍ଣ୍ଣାୟକ ପାଳି ଖେଳିବା ପରେ ପ୍ୟାଭିଲିୟନ୍‌କୁ ଫେରି ଉଦ୍ଦିଷ୍ଟ ଚୌକିରେ ବସିନଥିଲେ। ଅଣଓସାରିଆ ସିଡ଼ିଟିର ପାହଚ ଗାଲିଚାରେ ରୋହିତଙ୍କ ସହ ଜକାଜକି ହୋଇ କୋହଲି ବସିବା ଭିନ୍ନ ଏକ ସୂଚନା ଦେଉଥିଲା।

ରୋହିତ ଶର୍ମା ଅଧିନାୟକ ହେବା ଦିନଠାରୁ ଯଦିଓ ଦୁହିଁଙ୍କ ମଧ୍ୟରେ ଫାଟ ଥିବା କଥା ଆଲୋଚନା ହେଉଥିଲା, ପ୍ରାୟ ଦୁଇବର୍ଷ କାଳ କୋହଲି ଫର୍ମ ହରାଇବା ସମୟରେ ଏହି ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ଦୁହେଁ ଦୁହିଁଙ୍କ ପ୍ରତି ଗଣମାଧ୍ୟମରେ ଉଚ୍ଚ ପ୍ରଶଂସାସୂଚକ ମତମନ୍ତବ୍ୟ ଦେବାରୁ ତଥ୍ୟାଭିଜ୍ଞ ମହଲ ସେପରି ଧାରଣାରୁ ବିରତ ହୋଇଥିଲେ। ଗତବର୍ଷ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ହାରିବା ପରେ ରୋହିତଙ୍କ ଫର୍ମକୁ ନେଇ ସାମ୍ବାଦିକ ପଚାରିବାରୁ କୋହଲି ପ୍ରଶ୍ନକର୍ତ୍ତାଙ୍କୁ ତାଚ୍ଛଲ୍ୟ କରିଥିଲେ। ସେହିପରି ଗତବର୍ଷ ଜୁଲାଇରେ କୋହଲିଙ୍କ କ୍ରମାଗତ ବିଫଳତାକୁ ନେଇ ପ୍ରଶ୍ନ ହେବାରୁ ଅଧିନାୟକ ରୋହିତ ତାଙ୍କ ପଛରେ ଦୃଢ଼ ଭାବେ ଛିଡ଼ାହୋଇଥିଲେ। ରୋହିତଙ୍କ ନେତୃତ୍ବରେ ଭାରତ କ୍ରମାଗତ ମ୍ୟାଚ୍‌ ଜିତି ଚାଲିଥିବା ଯାଏ ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ହେଲେ ଗତ ଏସିଆ କପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦୁଇଟି ମ୍ୟାଚ୍‌ ହାରିବା ପରେ ସାମାଜିକ ଗଣମାଧ୍ୟମରେ ଫ୍ୟାନ୍‌ମାନେ ଦୁଇ ମହାରଥୀଙ୍କୁ ନେଇ ପୁଣି ଅନେକ କଳ୍ପନାଜଳ୍ପନା ଆରମ୍ଭ କରିଦେଇଥିଲେ।