ନୂଆଦିଲ୍ଲୀ:  ପ୍ୟାରିସ୍ ପାରା ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଧାବିକା ଦୀପ୍ତି ଜୀବନଜୀ ଏବେ ତାଙ୍କ ସମା‌ଲୋଚକଙ୍କ ମୁହଁକୁ ବନ୍ଦ କରି ଦେଇଛନ୍ତି। ଦୀପ୍ତି ମହିଳା ୪୦୦ ମିଟର୍‌ ଟି୨୦ରେ ଏହି ପଦକ ଜିତିବା ପରେ ତାଙ୍କର ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଯାଇଛି। ଦୃଢ଼ମନା ଥିଲେ ଓ କଠିନ ପରିଶ୍ରମ କରୁଥିଲେ ଜଣେ ବ୍ୟକ୍ତି ଯେ ସଫଳ ହୋଇପାରିବ ଏହାକୁ ଦୀପ୍ତି ପ୍ରମାଣିତ କରି ଦେଇଛନ୍ତି। ଅନେକ ପ୍ରତିକୂଳ ପରିସ୍ଥିତି ଓ ପରିବେଶ ଭିତରେ ବଢ଼ିଥିବା ଦୀପ୍ତିଙ୍କୁ ବହୁବାର ନିଜ ଗାଁରେ ହିଁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। କେବଳ ପାରା ଅଲିମ୍ପିକ୍ସ ପଦକ ନୁହେଁ ଏହା ପୂର୍ବରୁ ସେ ଜାପାନର କୋବ୍‌ରେ ଅନୁଷ୍ଠିତ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ଦେବାରେ ପ୍ରଥମ ଧାବିକା ହୋଇଥିଲେ।

Advertisment

ଦୀପ୍ତିଙ୍କ ପିତାମାତା ୟାଧାଗିରି ଜୀବନଜୀ ଓ ଧନଲକ୍ଷ୍ମୀ ଜୀବନଜୀ ଏବେ ମନେ ପକାଇଛନ୍ତି, ତାଙ୍କ ଝିଅ ବଢ଼ିଲା ବେଳେ କିଭଳି ଗାଁ ଲୋକ ତାଙ୍କୁ ଟାହି ଟାପରା କରୁଥିଲେ। ପ୍ରତି ଗାଁ ଲୋକ ଯିଏ ଦେଖୁଥିଲେ ଦୀପ୍ତିଙ୍କୁ ପିଚି (ମାନସିକ ରୋଗୀ) ଓ କୋଠି (ମାଙ୍କଡ଼) କହି ଚିଡ଼ାଉଥିଲେ। ତାକୁ ଏକ ଅନାଥାଶ୍ରମକୁ ପଠାଇ ଦେବାକୁ ବି ଧମକାଉଥିଲେ। ଆଜି ଦେଖନ୍ତୁ ଦୀପ୍ତି ବିଶ୍ବ ବିୟଜିନୀ ଓ ପ୍ରମାଣିତ କରି ଦେଇଛି ସେ ଜଣେ ‘ସ୍ବତନ୍ତ୍ର ବାଳିକା’ ବୋଲି ତାଙ୍କ ମା’ ଧନଲକ୍ଷ୍ମୀ ପ୍ରକାଶ କରିଛନ୍ତି। ଯେତେବେଳେ ମୋ ସ୍ବାମୀଙ୍କ ପିତା ଚାଲିଗଲେ ଆମକୁ ଏକ ଫାର୍ମ ବିକ୍ରି କରି ଦୈନଦିନ ଆବଶ୍ୟକତାକୁ ମେଣ୍ଟାଇବାକୁ ପଡୁଥିଲା। ଦୈନିକ ମୋ ସ୍ବାମୀ ମାତ୍ର ୧୦୦/୧୫୦ ଟଙ୍କା ରୋଜଗାର କରୁଥିଲେ। ମୋତେ ବି କାମ କରିବାକୁ ପଡ଼ିଥିଲା। ଦୀପ୍ତିର ସାନ ଭଉଣୀ ଅମୂଲ୍ୟା ମଧ୍ୟ କାମ କରିବାକୁ ବାଧ୍ୟ ହୋଇଥିଲା। ଦୀପ୍ତି ଜଣେ ଭାରୀ ଶାନ୍ତ ସ୍ବଭାବର ପିଲା, ଖୁବ୍ କମ୍‌ କଥା କହେ।

 ଗାଁର ପିଲାମାନେ ଯେତେବେଳେ ତାକୁ ଟାହି ଟାପରା କରିଥାନ୍ତି ସେ ଘରକୁ ଆସି କେବଳ କାନ୍ଦେ। ତାକୁ ଖୁସି କରିବାକୁ ମୋତେ ମିଠା ଭାତ କିମ୍ବା ଦିନେ ଦିନେ ଚିକେନ୍‌ ରାନ୍ଧିବାକୁ ପଡ଼ୁଥିଲା’ ବୋଲି ଧନଲକ୍ଷ୍ମୀ କହିଛନ୍ତି। ଝିଅର ପ୍ୟାରିସ୍ ସଫଳତା ପରେ ପିତା ୟାଧାଗିରି ଏବେ ଭାବବିହ୍ବଳ ହୋଇପଡ଼ିଛନ୍ତି। ପଦକ ବିଜୟର ଦିନ ଆମ ପାଇଁ ବଡ଼ ହୋଇଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଦୃଷ୍ଟିରୁ ଦେଖିପାରି ନଥିଲି। ଦିନ ତମାମ କିନ୍ତୁ ଦୀପ୍ତିର ପଦକ ବିଜୟ କଥା ଭାବିଥିଲି। ଦୀପ୍ତି ଆମକୁ ଅନେକ ଖୁସି ଦେଇଛି, ଏ ପଦକ ଆମ ପାଇଁ ଅନେକ କିଛି’ ବୋଲି ତାଙ୍କ ପିତା ୟାଧାଗିରି କହିଛନ୍ତି।