ଅଲିମ୍ପିକ ଗୌରବ ଆଶାରେ ବୀରୁଙ୍କ ବ୍ୟାଟିଂ ସାଥୀ

ନୂଆଦିଲ୍ଲୀ: ଦୁହେଁ ମିଶି ଦିନେ ବ୍ୟାଟିଂ କରୁଥିଲେ। ଏବେ ଜଣଙ୍କ ଖେଳ ଜୀବନ ଶେଷ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ଲକ୍ଷ୍ୟ ଅଲିମ୍ପିକ୍ ପଦକ ଉପରେ। କ୍ରିକେଟ୍ ଖେଳ ଅଲିମ୍ପିକ୍ସରେ ନ ଥିଲେ ବି ପୂର୍ବତନ ଭାରତୀୟ କ୍ରିକେଟର୍ ବୀରେନ୍ଦ୍ର ସେହବାଗଙ୍କ ସାଥୀ କ୍ରିକେଟର୍‌ ମିରାଜ ଅହମ୍ମଦ ଖାନ୍‌ ଏବେ ଅଲିମ୍ପିକ୍ ପଦକ ଜିତିବା ଲକ୍ଷ୍ୟ ଛାଡ଼ିନାହାନ୍ତି। ୨୨ ଗଜ ପିଚ୍‌ ଛାଡ଼ି ସେ ଏବେ ବଂଧୁକଚାଳନାରେ ନିଜ ଲକ୍ଷ୍ୟ ଭେଦିବାକୁ ଯାଉଛନ୍ତି। ବୀରେନ୍ଦ୍ର ସେହବାଗଙ୍କ କଥା ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କର ଏହି ପୂର୍ବତନ ବ୍ୟାଟିଂ ସାଥୀଙ୍କ ସମ୍ପର୍କରେ ହୁଏତ ଖୁବ୍ କମ୍ ଜାଣିଥିବେ। ୪୪ ବର୍ଷୀୟ ମିରାଜ ଅହମ୍ମଦ ଖାନ୍‌ ଭାରତ ପାଇଁ ୨୦୧୬ ‌ରିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରି ସାରିଛନ୍ତି। ଏହି ଅଭିଜ୍ଞତା ଆଧାରରେ ସେ ମଧ୍ୟ ୨୦୨୧ ମସିହାର ଟୋକିଓ ଅଲିମ୍ପିକ୍ସରେ ଭଲ କରିବାକୁ ଦୃଢ଼ ଆଶା ରଖିଛନ୍ତି। ବଂଧୁକଚାଳନାର ସଟ୍‌ଗନ୍‌ ଇଭେଣ୍ଟ୍‌ରେ ଖେଳୁଥିବା ଏହି ପୂର୍ବତନ କ୍ରିକେଟ୍ ଖେଳାଳି ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଏଥିରୁ ସ୍ବର୍ଣ୍ଣ ଜିତିବା ଆଶା ରଖିଛନ୍ତି। ବାମହାତୀ ବ୍ୟାଟିଂ କରୁଥିବା ମିରାଜ ଉତ୍ତରପ୍ରଦେଶ ପାଇଁ ବିନୁ ମଙ୍କଡ ଟ୍ରଫି ଏବଂ ସିକେ ନାୟିଡୁ ଟ୍ରଫିରେ ଖେଳିଥିଲେ।

ନିଜର ପୁରୁଣା ଦିନକୁ ମନେ ପକାଇ ମିରାଜ କହିଛନ୍ତି, ‘୧୯୯୬ ମସିହାର କଥା। ଜଳନ୍ଧରରେ ଆମେ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌ରେ ପଞ୍ଜାବ ବିପକ୍ଷରେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଳିଥିଲୁ।‌ ସେହବାଗ ପାଳି ଆରମ୍ଭ କରି ୩୮/୩୯ ବଲରୁ ୭୪ ରନ୍ କରିଥିଲେ। ମୁଁ ୩ ନମ୍ବରରେ ଖେଳି ୧୯ ରନ୍‌ କରିଥିଲି। ସେବେଠାରୁ ବି ସେ ଭୟଶୂନ୍ୟ ବ୍ୟାଟିଂ କରୁଥିଲେ। କୌଣସି ବୋଲରକୁ ଆକ୍ରମଣ କରିବାକୁ ଦ୍ବିବିଧାରେ ରହୁନଥିଲେ। ଆମେ‌ ସେବେଠୁ ଜାଣିଥିଲୁ ସେ ନିଶ୍ଚିତ ଭାରତୀୟ ଦଳରୁ ଖେଳିବେ। ଅନେକ କ୍ରିକେଟରଙ୍କୁ ଦେଖିଛି କିନ୍ତୁ ତାଙ୍କ ଭଳି ହସ୍ତ-ଚକ୍ଷୁ ସମନ୍ବୟ ରଖିପାରୁଥିବା ଖେଳାଳିଙ୍କୁ ମୁଁ ଦେଖିନାହିଁ ବୋଲି ମିରାଜ ପ୍ରକାଶ କରିଥିଲେ।

ଉତ୍ତରପ୍ରଦେଶ ପାଇଁ ମୁଁ ନିଜେ କନିଷ୍ଠ ବର୍ଗରେ କ୍ରିକେଟ୍ ଖେଳିବା ବେଳେ ମହମ୍ମଦ ସୈଫ (ମହମ୍ମଦ କୈଫଙ୍କ ଭାଇ), ରିଜୱାନ ସମସାଦ, ଫିରୋଜ ଘୟାସ, ବିଜୟ ଦାହିଆ, ବିଜୟ ଯାଦବ ପ୍ରମୁଖଙ୍କ ସହ ‌ଖେଳିଥିଲି। ମୁଁ ଏବେ ବଂଧୁକଚାଳନା କରୁଥିଲେ ମଧ୍ୟ କ୍ରିକେଟ୍‌‌ ମୋ ‘ପ୍ରଥମ ପ୍ରେମ’ ହୋଇ ରହିଛି। ଏବେ ବି କ୍ରିକେଟ୍‌କୁ ମୁଁ ଅନୁସରଣ କରିଥାଏ ବୋଲି ମିରାଜ ପ୍ରକାଶ କରିଥିଲେ। ସମସ୍ତଙ୍କ ଭଳି ମୁଁ ବି କ୍ରିକେଟ୍‌ରେ ଦେଶ ପାଇଁ ପ୍ରତିନିଧିତ୍ବ କରିବା ସ୍ବପ୍ନ ଦେଖିଥିଲି। କିନ୍ତୁ ପରବର୍ତୀ ସମୟରେ ଦେଖିଲି ଏହା ବଡ଼ କଷ୍ଟକର ଯାତ୍ରା ଓ ପ୍ରତିଦ୍ବନ୍ଦ୍ବିତା ଅଧିକ। ତଥାପି ୨୭/୨୮ ବର୍ଷ ବେଳକୁ ଯେତେବେଳେ ରଣଜୀ ଟ୍ରଫି ଖେଳିପାରିଲି ନାହିଁ ଅନ୍ୟ ରାସ୍ତା ଦେଖିଥିଲି। ୨୦୦୩ ମସିହା ପର୍ଯ୍ୟନ୍ତ ମୁଁ ବହୁ ଲିଗ୍‌ରେ ଖେଳିଲି ଏବଂ ଦେଖିଲି କିଛି ହେବାର ନାହିଁ। ଏହି ସମୟରେ ଜଣେ ସମ୍ପର୍କୀୟ ଭାଇ ସହ ସୁଟିଂ ରେଞ୍ଜ୍ ବୁଲିଯିବା ବେଳେ ମାନସେର୍ ସିଂହ, ରାଜା ରଣଧୀର ସିଂହଙ୍କ ସହିତ ବହୁ ଅଲିମ୍ପିଆନ୍‌, ଏସୀୟ ପଦକ ଓ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କୁ‌ ଭେଟି ପ୍ରଭାବିତ ହୋଇଥିଲି। ସେବଠୁ ହିଁ ବଂଧୁକଚାଳନା ପାଇଁ ନିଷ୍ପତ୍ତି ନେଇଥିଲି‌ ବୋଲି ମିରାଜ ପ୍ରକାଶ କରିଛନ୍ତି। ସେବେଠାରୁ ଆଉ ପଛକୁ ଫେରି ଚାହିଁନଥିବା ମିରାଜ ଅହମ୍ମଦ ଖାନ୍‌ ଗୋଟିଏ ବିଶ୍ବ ପଦକ, ୪ ଏସୀୟ ପଦକ ଏବଂ ୨୦ରୁ ଊର୍ଧ୍ବ ଜାତୀୟ ପଦକ ହାସଲ କରି ସାରିଛନ୍ତି।

ସମ୍ବନ୍ଧିତ ଖବର