କଟକ: ଓଡ଼ିଶାରେ ସନ୍ତରଣ କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବ˚ ଭାରତୀୟ ସନ୍ତରଣ ମହାସ˚ଘ (ଏସ୍ଏଫ୍ଆଇ) ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ସହଭାଗିତା ମାଧ୍ୟମରେ ସରକାର ସବୁ ପ୍ରକାରର ସମର୍ଥନ ଓ ପ୍ରାୟୋଜକ ଏସ୍ଏଫ୍ଆଇକୁ ପ୍ରଦାନ କରିବେ। ଏଥିସହିତ ଏସ୍ଏଫ୍ଆଇ ଓ ଓଡ଼ିଶା ରାଜ୍ୟ ସନ୍ତରଣ ସ˚ଘ ମିଳିତ ଭାବେ ସବୁ ପ୍ରକାରର ବୈଷୟିକ ସହାୟତା ଯୋଗାଇଦେବାକୁ ଚୁକ୍ତିରେ ଦର୍ଶାଯାଇଛି। ଏହି ଚୁକ୍ତିର ଅବଧି ବର୍ଷେ ଥିବାବେଳେ ପରବର୍ତ୍ତୀ ସମୟରେ ସହମତି ଭିତ୍ତିରେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି।
ଏସ୍ଏଫ୍ଆଇର ବରିଷ୍ଠ ଉପସଭାପତି ବୀରେନ୍ଦ୍ର ନାନାବତିଙ୍କ ଉପସ୍ଥିତିରେ କ୍ରୀଡ଼ା ସଚିବ ଆର୍ ଭିନିଲ କ୍ରିଷ୍ଣା ଓ ଏସ୍ଏଫ୍ଆଇର ମହାସଚିବ ମୋନାଲ ଚୋକ୍ସି ଏମ୍ଓୟୁରେ ସ୍ବାକ୍ଷର କରିଥିଲେ। ଏହି ସହଭାଗିତା ମାଧ୍ୟମରେ ପରବର୍ତ୍ତୀ ୫ ବର୍ଷରେ ଉକ୍ତ କ୍ରୀଡ଼ା କ୍ଷେତ୍ରରେ ତୃଣମୂଳ ସ୍ତରରୁ ବରିଷ୍ଠ ସ୍ତର ପର୍ଯ୍ୟନ୍ତ ଐତିହାସିକ ଅଭିବୃଦ୍ଧି ଅଣାଯିବ। ଏଥିସହିତ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ଚୁକ୍ତି ସ୍ବାକ୍ଷର ଅବସରରେ ସୂଚନା ଦିଆଯାଇଛି।
ଚୁକ୍ତି ସ୍ବାକ୍ଷର ପରେ କ୍ରୀଡ଼ା ସଚିବ ଆର୍. ଭିନିଲ କ୍ରିଷ୍ଣା କହିଛନ୍ତି ଯେ, କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମି˚ ପୁଲ୍ କମ୍ପ୍ଲେକ୍ସରେ ଦେଶର ଶ୍ରେଷ୍ଠ ଭିତ୍ତିଭୂମି ଉପଲବ୍ଧ ଅଛି। ଏହାବାଦ୍ ତୃଣମୂଳସ୍ତରରେ ସନ୍ତରଣ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ମଧ୍ୟ ପାରଙ୍ଗମ କରାଯାଉଛି। ଜେଏସ୍ଡବ୍ଲୁ ସ୍ପୋର୍ଟ୍ସ ଓ ଏବେ ଏସ୍ଏଫ୍ଆଇ ସହିତ ହୋଇଥିବା ଏହି ସହଭାଗିତା ଦ୍ବାରା ସନ୍ତରଣ କ୍ରୀଡ଼ାର ବିକାଶ କରିବାକୁ ପ୍ରେରଣା ମିଳିଥିବା ସଚିବ କହିଛନ୍ତି। ଏସ୍ଏଫ୍ଆଇ ମହାସଚିବ ମୋନାଲ ଚୋକ୍ସିଙ୍କ ମତରେ, ସେ ଏହି ଚୁକ୍ତିକୁ ନେଇ ଆନନ୍ଦିତ ଅଛନ୍ତି।
ଏହାକୁ ଏକ ମାଇଲ୍ଖୁଣ୍ଟ ବୋଲି ସେ କହିବା ସହ ରାଜ୍ୟ ସରକାରଙ୍କ ସହିତ କରାଯାଇଥିବା ଏହି ସହଭାଗିତା ଯୋଗୁଁ ଭାରତରେ ଉକ୍ତ ଜଳକ୍ରୀଡ଼ା ଅନେକ ଉଚ୍ଚକୁ ଯାଇପାରିବ ବୋଲି ସେ କହିଛନ୍ତି। ଏହି ଐତିହାସିକ ଚୁକ୍ତି ପାଇଁ ଓଡ଼ିଶା ସରକାରଙ୍କୁ ରାଜ୍ୟ ସନ୍ତରଣ ସଂଘ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପାଢୀ କୃତଜ୍ଞତା ଜଣାଇଛନ୍ତି। ହକି ଭଳି ସନ୍ତରଣ ମଧ୍ୟ ଓଡ଼ିଶା ଓ ଭାରତରେ ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷ ପ୍ରମାଣିତ କରିବ ବୋଲି ସେ ଆଶା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/26-6.jpg)