ନୂଆଦିଲ୍ଲୀ: ‘କାସ୍‌’ ଉପରେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌ଙ୍କ ଶେଷ ଆଶା ଥିଲା ବେଳେ ଦୁଇ ଦିନ ତଳେ ଆବେଦନକୁ ଖାରଜ କରିଦେବାରୁ ଏହା ମଉଳି ଯାଇଛି। ଫଳରେ ସେ ଖାଲି ହାତରେ ଭାରତରେ ପହଞ୍ଚିବେ। କିନ୍ତୁ ୫୦ କେଜି ଫ୍ରିଷ୍ଟାଇଲ୍‌ ଫାଇନାଲ୍‌ ପୂର୍ବରୁ ତାଙ୍କର ଓଜନ ମପାଯିବା ସମୟରେ ୧୦୦ ଗ୍ରାମ୍‌ ଅଧିକ ରହିବା ବହୁତ ଘଟଣାବହୁଳ ଥିଲା। ଏପରିକି ଭିନେଶଙ୍କ ଜୀବନପ୍ରତି ମଧ୍ୟ ବିପଦ ରହିଥିଲା। ଏହି କଥାକୁ ତାଙ୍କର ପ୍ରଶିକ୍ଷକ ଉଲର ଅକୋସ୍‌ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଥିଲେ ଏବଂ କିଛି ସମୟ ପରେ ହଟାଇ ଦେଇଥିଲେ। ତେବେ ପୋଷ୍ଟ୍‌କୁ ହଟାଇବା ପୂର୍ବରୁ ଅନେକ ତାହାକୁ ସ୍କ୍ରିନ୍‌ସଟ୍‌ କରି ରଖିନେଇଥିଲେ।

Advertisment

ଅକୋସ୍‌ ହଙ୍ଗେରିଆନ୍‌ ଭାଷାରେ ଲେଖିଛନ୍ତି, ସେମିଫାଇନାଲ୍‌ ପରେ ଭିନେଶଙ୍କ ଓଜନ ୨.୭ କେଜି ବଢ଼ିଯାଇଥିଲା। କମାଇବା ପାଇଁ ଆମେ ପାଖାପାଖି ୧ଘଣ୍ଟା ୨୦ ମିନିଟ୍‌ ଧରି ବ୍ୟାୟାମ କରାଇଥିଲୁ। ତଥାପି ୧.୫ କେଜି ରହିଯାଇଥିଲା। ପରେ ୫୦ ମିନିଟ୍‌ରେ ସଉନା କରାଯିବା ବେଳେ ତାଙ୍କ ଦେହରୁ ଗୋଟିଏ ବୁନ୍ଦା ଝାଳ ବି ବାହାରି ନଥିଲା। ମଧ୍ୟରାତ୍ରିରୁ‌ ଭୋର୍‌ ସାଢ଼େ ୫ଟା ପର୍ଯ୍ୟନ୍ତ ସବୁପ୍ରକାରର ପ୍ରୟାସ କରାଯାଇଥିଲା। ବିଭିନ୍ନ ପ୍ରକାରର କାର୍ଡିଓ ମେସିନ୍‌ରେ ଜଗିଂ କରିବା ସହ କୁସ୍ତିର ବିଭିନ୍ନ ମୁଭ୍‌ ଅଭ୍ୟାସ କରିଥିଲେ। ଦୁଇ ତିନି ମିନିଟ୍‌ର ବିରତି ପରେ ପୁଣି ଥରେ ସମାନ ଅଭ୍ୟାସ ଜାରି ରଖୁଥିଲେ। ତେବେ ଦ୍ବିତୀୟ ଥର ସଉନା ଯିବା ପୂର୍ବରୁ ଭିନେଶ ଅଚେତ୍‌ ହୋଇଯାଇଥିଲେ। କିନ୍ତୁ କୌଣସିମତେ ତାଙ୍କୁ ଉଠାଇପାରିଥିଲୁ। ଏହାପରେ ସେ ପୁଣି ଘଣ୍ଟାଏ ସଉନାରେ ବିତାଇଥିଲେ। ଏହା କୌଣସି ନାଟକୀୟ କଥା ନୁହେଁ, ବରଂ ସେ ହୁଏତ ମୃତ୍ୟୁ ମୁହଁକୁ ଚାଲିଯାଉଛନ୍ତି କି ବୋଲି ମୋତେ ଆଶଙ୍କା ହେଉଥିଲା ବୋଲି ସେ ପୋଷ୍ଟ୍‌ରେ ଲେଖିଥିଲେ।

ହସ୍ପିଟାଲ୍‌ରୁ ଫେରିବା ପରେ ଅକୋସ୍‌ ଓ ଭିନେଶଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ସେ ଉଲ୍ଲେଖ କରିଥିଲେ। ଅଯୋଗ୍ୟ ଘୋଷଣା ପରେ ପ୍ରଶିକ୍ଷକଙ୍କୁ ଦୁଃଖ ନ କରିବାକୁ ‌ଭିନେଶ ଅନୁରୋଧ କରିଥିଲେ। କାରଣ ଦିନେ ତାଙ୍କ ପ୍ରଶିକ୍ଷକ କହିଥିଲେ ଯଦି କେବେ ନିଜକୁ କଠିନ ପରିସ୍ଥିତିରେ ପଡ଼ିଥିବା ଦେଖ ଓ ତୁମକୁ ଅଧିକ ଶକ୍ତିର ଆବଶ୍ୟକତା ହୁଏ, ‌ସେତେବେଳେ ତୁମେ ବିଶ୍ବର ଶ୍ରେଷ୍ଠ କୁସ୍ତିଯୋଦ୍ଧା (ଜାପାନ୍‌ର ୟୁକି ସୁସାକି, ରାଉଣ୍ଡ-୧୬)ଙ୍କୁ ହରାଇଛ ବୋଲି ସ୍ମରଣ କରିବ। ଭିନେଶ କହିଥିଲେ, ମୁଁ ମୋ ଲକ୍ଷ୍ୟରେ ପହଞ୍ଚିସାରିଛି। ବିଶ୍ବରେ ମୁଁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିସାରିଛି। ଆମ ଗେମ୍‌ପ୍ଲାନ୍‌ ସଫଳ ହୋଇଛି ବୋଲି ଆମେ ପ୍ରମାଣିତ କରିପାରିଛେ। ମେଡାଲ୍‌, ପୋଡିୟମ୍‌ କେବଳ ବସ୍ତୁବିଶେଷ। ଜଣଙ୍କ ପ୍ରଦର୍ଶନକୁ କେବେ କେହି ନେଇପାରିବେନି।

ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଦ୍ବାରା ଗଠନ ହୋଇଥିବା ଆଡ୍‌ହକ୍‌ ସମିତି କାର୍ଯ୍ୟ କରିବ ବୋଲି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ସ୍ପଷ୍ଟ କରିବା ସହ ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଡବ୍ଲ୍ୟୁଏଫ୍‌ଆଇର ଦୈନନ୍ଦିକ କାର୍ଯ୍ୟ ପରିଚାଳନାରେ ଅସୁବିଧା ହେଉଥିବାରୁ ଆଡ୍‌ ହକ୍‌ ସମିତିକୁ ଉଚ୍ଛେଦ ପାଇଁ ଅଦାଲତରେ ଅନୁରୋଧ କରାଯାଇଥିଲା। ହେଲେ ଦେଶର ଶୀର୍ଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ସତ୍ୟବ୍ରତ କାଡ଼ିଆନ୍‌ ଏହାକୁ ବିରୋଧ କରିବାରୁ ଜଷ୍ଟିସ୍‌ ସଚିନ ଦତ୍ତଙ୍କୁ ନେଇ ହୋଇଥିବା ଜଣିକିଆ ଖଣ୍ଡପୀଠ ଏହାକୁ ଖାରଜ କରିଥିଲେ। ଆଡ୍‌ ହକ୍‌ କମିଟିକୁ ପୁନର୍ଗଠନ କରିବା ଆଇଓଏ ଅଧୀନରେ ରହିଥିବା ଜଷ୍ଟିସ୍‌ ଦତ୍ତ ସ୍ପଷ୍ଟ କରିଥିଲେ।

ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବ ଡବ୍ଲ୍ୟୁଏଫ୍‌ଆଇ। କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଦ୍ବାରା ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଅଂଶଗ୍ରହଣ ବିପଦ ଭିତରକୁ ଠେଲି ହୋଇଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଭାପତି ସଂଜୟ ସିଂହ କହିଛନ୍ତି, ଏହି ମାମଲାକୁ ଆମେ ଦୁଇ ଜଣିଆ ଖଣ୍ଡପୀଠରେ ପୁଣି ଥରେ ଆବେଦନ କରିବୁ। ପୂର୍ବରୁ ଆଇଓଏ ଦ୍ବାରା ଆଡ୍‌ହକ୍‌ ପ୍ୟାନେଲ୍‌କୁ ଭାଙ୍ଗି ଦିଆଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ବାବଦରେ ବିଶ୍ବ କୁସ୍ତି ସଂଘ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଓ ଆନ୍ତର୍ଜାତିକ ଅଲିମ୍ପିକ୍‌ ସମିତି (ଆଇଓସି)କୁ ମଧ୍ୟ ଅନୁରୋଧ କରିବୁ ବୋଲି ସଂଜୟ କହିଛନ୍ତି। ଆଗକୁ ଦୁଇଟି ବିଶ୍ବ ଚାମ୍ପିଅନ୍‌ସିପ୍‌ ଆସୁଛି। କିନ୍ତୁ କୋର୍ଟଙ୍କ ଏଭଳି ହସ୍ତକ୍ଷେପ ଦ୍ବାରା ଭାରତୀୟ କୁସ୍ତିବିତ୍‌ଙ୍କ ଅଂଶଗ୍ରହଣ ଅସମ୍ଭବ ହୋଇଯିବ ବୋଲି ସେ କହିଛନ୍ତି। ଯଦି କୌଣସି ନିଷ୍ପତ୍ତି ଜାତୀୟ ସଂଘ ବିରୋଧରେ ଯାଏ ଏବଂ ଏକ ତୃତୀୟ ପକ୍ଷକୁ ଏହାର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଦାୟିତ୍ବ ଦିଆଯାଇଥାଏ, ସେତେବେଳେ ଏହା ୟୁଡବ୍ଲ୍ୟୁଡବ୍ଲ୍ୟୁ ନିୟମାବଳୀର ବିରୁଦ୍ଧାଚରଣ ହେବ। ଫଳରେ ପୁଣି ଥରେ ଡବ୍ଲ୍ୟୁଏଫ୍‌ଆଇକୁ ନିଲମ୍ବନ କରଯାଇପାରେ ବୋଲି ସଂଜୟ ଆଶଙ୍କା ଦେଖାଇଛନ୍ତି। ପୂର୍ବରୁ ବ୍ରିଜଭୂଷଣ ସିଂହଙ୍କ ସମର୍ଥକ ସଂଜୟ ସିଂହ, ଡବ୍ଲ୍ୟୁଏଫ୍‌ଆଇର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଏହି ନିର୍ବାଚନକୁ ବେଆଇନ୍‌ ଓ ଅବୈଧ କରିବାକୁ କୁସ୍ତିଯୋଦ୍ଧାମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାର ଗତବର୍ଷ ନିର୍ବାଚନ ଶେଷ ହେବାର ତିନିଦିନ ପରେ ଏହି କ୍ରୀଡ଼ା ମହାସଂଘକୁ ନିଲମ୍ବନ କରିବା ସହ ଆଇଓଏକୁ ଆଡ୍‌ହକ୍‌ ସମିତି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।