ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ହରାଇଲା ୱେଷ୍ଟ୍‌ଇଣ୍ଡିଜ, ବଲ୍‌ ଅଟକାଇ ଧନୁଷ୍କା ଆଉଟ୍‌

ଆଣ୍ଟିଗା: ଶ୍ରୀଲଙ୍କା ଓ ୱେଷ୍ଟ୍‌ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ବିଜୟୀ ହୋଇଛି। ଶ୍ରୀଲଙ୍କା ସ˚ଗ୍ରହ କରିଥିବା ୨୩୨ ରନ୍‌ ଜବାବରେ ୱେଷ୍ଟ୍‌ଇଣ୍ଡିଜ ୨ ଵିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତିଥିଲା। ତେବେ ମ୍ୟାଚରେ ଶ୍ରୀଲଙ୍କାର ଧନୁଷ୍କା ଗୁଣତିଳକା ଉଦ୍ଦେଶ୍ୟମୂଳକ ଭାବେ ବଲ୍‌ ଅଟକାଇବାରୁ ତାଙ୍କୁ ଆଉଟ୍‌ (ଓଟିଏଫ୍‌) ଘୋଷଣା କରାଯାଇଥିଲା।

ଶ୍ରୀଲଙ୍କା ଟସ୍‌ ଜିତିବା ପରେ ବ୍ୟାଟି˚ ଆରମ୍ଭ କରିଥିଲା। ଧନୁଷ୍କା ଓ ଅଧିନାୟକ ଦିମୁଥ କରୁଣାରତ୍ନେ ପ୍ରଥମ ଵିକେଟ୍‌ରେ ୧୦୫ ରନ୍‌ ଯୋଡ଼ିବା ସହ ଉଭୟ ଅର୍ଧଶତକ ଅର୍ଜନ କରିଥିଲେ। ଭଲ ମୂଳଦୁଆ ପଡ଼ିଥିବାରୁ ଶ୍ରୀଲଙ୍କା ବଡ଼ ସ୍କୋର କରିବା ନେଇ ଆଶା ରହିଥିଲା। କିନ୍ତୁ ଧନୁଷ୍କା ୫୫ ଓ ଦିମୁଥ ୫୨ ରନ୍‌ କରି ଆଉଟ ହେବା ପରେ ଦଳ ଭୁଶୁଡ଼ି ପଡ଼ିଥିଲା। ପଥୁମ ନିଶାଙ୍କ ୮, ଆଞ୍ଜେଲୋ ମାଥ୍ୟୁସ ୫, ଦିନେଶ ଚାନ୍ଦିମାଲ ୧୨ରନ୍‌ କରି ଆଉଟ ହୋଇଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟି˚ ଆସିଥିବା ଅଶିନ୍‌ ବନ୍ଦାରା ୫୦ ରନ୍‌ ଯୋଡ଼ିଥିଲେ। ତଥାପି ଦଳ ଗୋଟିଏ ଓଭର ବାକିଥାଇ ୨୩୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା।

ଶ୍ରୀଲଙ୍କାର ୨୩୩ ରନ୍‌ର ଲକ୍ଷ୍ୟକୁ ଦୃଢ ଜବାବ ଦେଇଥିଲେ ଇଭିନ୍‌ ଲୁଇସ ଓ ସାଇ ହୋପ। ପ୍ରଥମ ଵିକେଟ୍‌ରେ ୧୪୩ ରନ୍‌ ଯୋଗ କରିବା ପରେ ଲୁଇସ ୬୫ ରନ୍‌ ସ˚ଗ୍ରହ କରିଥିବା ବେଳେ ବୋଲ୍ଡ ହୋଇ ଯାଇଥିଲେ। ପରେ ଡାରେନ୍‌ ବ୍ରାଭୋଙ୍କ ସହିତ ମିଶି ହୋପ ଦଳୀୟ ରନ୍‌କୁ ୨୦୦ ପାର‌୍‌ କରାଇଥିଲେ। ଏଥି ମଧ୍ୟରେ ହୋପ୍‌ ତାଙ୍କର ଦଶମ ଶତକ ଅର୍ଜନ କରିଥିଲା ବେଳେ ୧୧୦ ରନ୍‌ରେ ଆଉଟ ହୋଇଥିଲେ। ୧୩୩ ବଲ୍‌ରୁ ୧୨ଚୌକା ଓ ୧ ଛକା ସହାୟତାରେ ସେ ଏହି ରନ୍‌ ସ˚ଗ୍ରହ କରିଥିଲେ। ହୋପ୍‌ଙ୍କ ସ୍ଥାନରେ ଆସିଥିବା ଜାସନ ମହମ୍ମଦ ଓ ବ୍ରାଭୋ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ୪୭ତମ ଓଭରରେ ଦଳକୁ ଜିତାଇଥିଲେ।

ବଲ୍‌ ଅଟକାଇ ଧନୁଷ୍କା ଆଉଟ୍‌
ମ୍ୟାଚର ୨୧ତମ ଓଭରରେ ପୋଲାର୍ଡ ବୋଲି˚ କରୁଥିଲା ବେଳେ ଏକ ସଟ୍‌ ବଲ୍‌ ପକାଇଥିଲେ। ଯାହାକୁ ଧନୁଷ୍କା ହାଲ୍‌କା ଡିଫେନ୍ସ କରିଥିଲେ। ଏଥିରୁ ୧ ରନ୍‌ ଚୋରାଇ ନେବା ପାଇଁ ଅନ୍ୟପଟରୁ ପଥୁମ ନିଶାଙ୍କ ଦୌଡ଼ି ଆସିଥିଲା ବେଳେ ଧନୁଷ୍କା କିଛି ବାଟ କ୍ରିଜ୍‌ରୁ ଆଗକୁ ବଢ଼ିବା ପରେ ଫେରିଆସିଥିଲେ। ପୋଲାର୍ଡ ତାଙ୍କୁ ରନ୍‌ଆଉଟ କରିବା ପାଇଁ ଆଗକୁ ବଢ଼ିଥିଲା ବେଳେ ଧନୁଷ୍କା ବଲ୍‌ ଆଗରେ ରହି କ୍ରିଜ୍‌କୁ ଫେରିଆସିଥିଲେ। ଏଥିପାଇଁ ପୋଲାର୍ଡ ଅମ୍ପାୟାର ଜୋ ଵିଲସନ୍‌ଙ୍କୁ ଆଉଟ୍‌ ଆବେଦନ କରିଥିଲା ବେଳେ ସେ ଏହାକୁ ଆଉଟ ଦେବା ସହ ତୃତୀୟ ଅମ୍ପାୟାରଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସିଗ୍‌ନାଲ ଦେଇଥିଲେ। ପରେ ତୃତୀୟ ଅମ୍ପାୟାର ମଧ୍ୟ ତାଙ୍କୁ ଆଉଟ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର