ବାରବାଟୀରେ ହେବନି ୱେଷ୍ଟଇଣ୍ଡିଜ୍ ଟି-୨୦: ଅହମଦାବାଦ ଓ କୋଲ୍କାତା ପାଇଁ ବିସିସିଆଇ କମିଟିର ସୁପାରିସ
ଶ୍ରୀଲଙ୍କା କିମ୍ବା ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଅନୁରୋଧ କରିବୁ: ସ˚ଜୟ
ଭୁବନେଶ୍ବର: ଶେଷ ଥର ପାଇଁ କଟକର ବାରବାଟୀରେ ୨୦୧୯ରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଏହା ମଧ୍ୟରେ ୨ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଉ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ କରିବା ସମ୍ଭବ ହୋଇନି। ତେବେ ଚଳିତ ବର୍ଷ ଫେବ୍ରୁଆରିରେ ୱେଷ୍ଟଇଣ୍ଡିଜ୍ର ଭାରତ ଗସ୍ତ ଅବସରରେ ୧୫ ତାରିଖ ଦିନ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବାର ସୂଚୀ ଘୋଷଣା କରାଯାଇଥିଲା। ମାତ୍ର କୋଭିଡ୍ର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଏବେ ଏହି ଶୃଙ୍ଖଳାକୁ କେବଳ ଦୁଇଟି ଭେନ୍ୟୁରେ ସୀମିତ ରଖିବାକୁ ଚିନ୍ତା କରିଛି। ସେ ଦୃଷ୍ଟିରୁ ଗୁରୁବାର ବିସିସିଆଇର ଟୁର୍ ଆଣ୍ଡ୍ ଫିକ୍ସଚର କମିଟି ଅହମଦାବାଦ ଓ କୋଲ୍କାତାକୁ ଭେନ୍ୟୁ ଭାବେ ସୁପାରିସ କରିଛନ୍ତି। ବୁଧବାର କମିଟି ବୈଠକରେ ଏହି ଦୁଇଟି ଭେନ୍ୟୁ ସଂପର୍କରେ ଆଲୋଚନା ହୋଇଥିଲା ଏବଂ ସଂଧ୍ୟାରେ କମିଟି ତା’ର ସୁପାରିସକୁ ବିସିସିଆଇ କାର୍ଯ୍ୟକର୍ତାଙ୍କ ନିକଟକୁ ପଠାଇଦେଇଛି। ଉଭୟ ସଭାପତି ଓ ସଂପାଦକ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କମିଟି କହିଛି।
ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାରେ ୩ ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳିବାର ଥିଲା। ଫେବ୍ରୁଆରି ୬, ୯ ଓ ୧୨ ତାରିଖରେ ଅହମଦାବାଦ, ଜୟପୁର ଓ କୋଲ୍କାତାରେ ଦିନିକିଆ ମ୍ୟାଚ୍ ଏବଂ ୧୫, ୧୮ ଓ ୨୦ ତାରିଖରେ କଟକ, ବିଶାଖାପାଟଣା ଓ ତିରୁଅନନ୍ତପୁରମ୍ରେ ଟି-୨୦ ମ୍ୟାଚ୍ ଖେଳାଯିବ ବୋଲି ସୂଚୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ କୋଭିଡ୍ ଯୋଗୁଁ ବିସିସିଆଇ ଭେନ୍ୟୁ କାଣ୍ଟଛାଣ୍ଟ୍ କରିବାକୁ ସୁପାରିସ କରିଥିଲା। ଆଉ ସେହି ସୁପାରିସ ଅନୁଯାୟୀ ଟୁର୍ ଆଣ୍ଡ୍ ଫିକ୍ସଚର କମିଟି ଅହମଦାବାଦ ଓ କୋଲ୍କାତାକୁ ବାଛିଛନ୍ତି। ଅନ୍ୟପକ୍ଷରେ ପୂର୍ବ ସୂଚୀ ମୁତାବକ ଭେନ୍ୟୁ ବଦଳିଲେ ବି ତାଙ୍କର କିଛି ଅସୁବିଧା ନାହିଁ ବୋଲି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ସ୍ପଷ୍ଟ କରିସାରିଛି। ଫଳରେ ଅହମଦାବାଦ ଓ କୋଲ୍କାତା ଭେନ୍ୟୁ ନିର୍ଦ୍ଧାରିତ ହେଲେ କଟକର ବାରବାଟୀ ଷ୍ଟାଡିୟମ୍କୁ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ସୁଯୋଗ ମିଳିବା ବିଳମ୍ବ ହେବ ବୋଲି ନିଶ୍ଚିତ ହୋଇଯାଇଛି।
ଶ୍ରୀଲଙ୍କା କିମ୍ବା ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଅନୁରୋଧ କରିବୁ: ସ˚ଜୟ
କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ଓ େଵଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାନଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏହି ମ୍ୟାଚ୍କୁ କୋଲକାତା କିମ୍ବା ଅହମଦାବାଦକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି। ଯଦିଓ କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଏଭଳି କରାଯାଉଛି, ତଥାପି ଓଡ଼ିଶା ମ୍ୟାଚ୍ ଆୟୋଜନ ଅଧିକାର ଫେରିପାଇବା ପାଇଁ ଉଦ୍ୟମ କରିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କ କହିବାନୁସାରେ, ଯଦି େଵଷ୍ଟଇଣ୍ତିଜ ବିପକ୍ଷ ମ୍ୟାଚ୍ ଏଠାରୁ ଚାଲିଯିବ, ତାହେଲେ ଆଉ ଏକ ବିକଳ୍ପ ମ୍ୟାଚ୍ ପାଇଁ ବିସିସିଆଇକୁ ଅନୁରୋଧ କରାଯିବ। ମାର୍ଚରେ ଶ୍ରୀଲଙ୍କା ଦୁଇଟି ଟେଷ୍ଟ, ୩ ଟ୍ବେଣ୍ଟି-୨୦ ଖେଳିବାକୁ ଏବଂ ଜୁନ୍ରେ ଦକ୍ଷିଣ ଆଫ୍ରିକା ୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାକୁ ଭାରତକୁ ଆସିବେ। ସେହି ଗସ୍ତର ଖେଳସୂଚୀ ଯଦିଓ ପୂର୍ବରୁ ନିର୍ଧାରିତ ହୋଇଛି, ତଥାପି ଏଥିରୁ ଓଡ଼ିଶାକୁ ଗୋଟିଏ ମ୍ୟାଚ୍ ଦେବାକୁ ବିସିସିଆଇକୁ କହିବୁ ବୋଲି ସ˚ଜୟ ମତ ଦେଇଛନ୍ତି।