ଭୁବନେଶ୍ବର: ଆସନ୍ତା ବିସିସିଆଇ ଘରୋଇ କ୍ରିକେଟ୍ ଋତୁ ସେପ୍ଟେମ୍ବର ୫ ତାରିଖରୁ ଦଲୀପ ଟ୍ରଫିରୁ ଆରମ୍ଭ ହୋଇଯିବ। ଅକ୍ଟୋବର ୧ରେ ଇରାନୀ ଟ୍ରଫି ଆରମ୍ଭ ହେବା ପରେ ସେହି ମାସ ୧୧ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେବ। ୨୦୨୪-୨୫ ଋତୁର ରଣଜୀ ଟ୍ରଫିରେ ଓଡ଼ିଶା ଏଲିଟ୍ ଗ୍ରୁପ୍ ଏ’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍ରେ ଓଡ଼ିଶା ସମେତ ତ୍ରିପୁରା, ଜମ୍ମୁ କାଶ୍ମୀର, ବଡ଼ଦୋରା, ମୁମ୍ବାଇ, ମହାରାଷ୍ଟ୍ର, ମେଘାଳୟ, ସର୍ଭିସେସ୍ ସ୍ଥାନିତ ହୋଇଛନ୍ତି। ତ୍ରିପୁରା ବିପକ୍ଷରୁ ଓଡ଼ିଶା ରଣଜୀ ଅଭିଯାନ ଆରମ୍ଭ କରିବ। ଏଥର ମଧ୍ୟ ଘରେ, ବାହାରେ ପଦ୍ଧତିରେ ଲିଗ୍ ପର୍ଯ୍ୟାୟ ଖେଳାଯିବ। କିନ୍ତୁ ବିସିସିଆଇ ପକ୍ଷରୁ କିଏ କେତୋଟି ମ୍ୟାଚ୍ ଘରେ ଓ ବାହାରେ ଖେଳିବ ତାହା ସ୍ପଷ୍ଟ କରାଯାଇନି। କିନ୍ତୁ ଜାରି ହୋଇଥିବା ଖେଳସୂଚୀକୁ ଆକଳନ କଲେ ଓଡ଼ିଶା ଏଥର ଘରେ ୩ଟି ମ୍ୟାଚ୍ ଖେଳିବାକୁ ଯାଉଥିବା ଅନୁମାନ କରାଯାଉଛି। ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର ଓ ସର୍ଭିସେସ୍ ବିପକ୍ଷରେ ଓଡ଼ିଶା ଘରୋଇ ମ୍ୟାଚ୍ ଖେଳିବ। ୩୦ ତାରିଖରେ ଓଡ଼ିଶାର ଲିଗ୍ ଅଭିଯାନ ଶେଷ ହେବ।
ସେହିପରି ନଭେମ୍ବର ୨୩ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶା ଲିଗ୍ ପର୍ଯ୍ୟାୟ ଖେଳିବ। ଓଡ଼ିଶା ଏଲିଟ୍ ଗ୍ରୁପ୍ ଏ’ରେ ବିଦର୍ଭ, ରେଳବାଇ, ପଣ୍ଡିଚେରୀ, ଛତିଶଗଡ଼, ଆସାମ ଓ ଚଣ୍ଡିଗଡ଼ ବିପକ୍ଷରେ ମ୍ୟାଚ୍ ଖେଳିବ। ଡସେମ୍ବର ୨୧ ତାରିଖରୁ ଆରମ୍ଭ ହେଉଥିବା ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍ ଏ’ରେ ଗୋଆ, ଆସାମ, ଉତ୍ତରାଖଣ୍ଡ, ମଣିପୁର, ଝାଡ଼ଖଣ୍ଡ, ହରିୟାଣା, ଗୁଜରାଟ ସହିତ ଓଡ଼ିଶା ସ୍ଥାନ ପାଇଛି। ତେବେ ରଣଜୀ ଋତୁ ମଝିର ଦୁଇଟି ଯାକ ଧଳାବଲ୍ ପ୍ରତିଯୋଗିତା ଶେଷ ହୋଇଯିବ। ତେଣୁ ନାଲିବଲ୍ରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଚାଲିଥିବା ବେଳେ ନଭେମ୍ବରରୁ ଜାନୁଆରି ଭିତରେ ପାଖାପାଖି ଦୁଇ ମାସ ଫାଙ୍କା ରଖାଯାଇଛି। କିନ୍ତୁ ନଭେମ୍ବର ୧୬ ତାରିଖରେ ମହାରାଷ୍ଟ୍ର ସହିତ ରଣଜୀ ଖେଳିସାରିବା ପରେ ମାତ୍ର ୭ଦିନ ଭିତରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ କିପରି ପ୍ରସ୍ତୁତ ହେବ ବୋଲି ପ୍ରଶ୍ନ ଉଠୁଛି। ଏଥିପାଇଁ ଓସିଏର ଚୟନ ସମିତି ଓ ଦଳର ଶୀର୍ଷସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା ବେଳେ ବିସିସିଆଇଠୁ ଏହା ଉପରେ ଅଧିକ ସ୍ପଷ୍ଟୀକରଣ ଲୋଡ଼ାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।