ମହିଳା ଟ୍ବେଣ୍ଟି-୨୦ର ଦଳ ସଂଖ୍ୟା ଚଳିତବର୍ଷ ବଢ଼ିବନି

ମୁମ୍ବାଇ : ଆଇପିଏଲ୍ ପ୍ଲେ ଅଫ୍ ସହ ସାମାନ୍ତରାଳ ଭାବେ ଆୟୋଜିତ ହୋଇ ଆସୁଥିବା ମହିଳା ଟ୍ବେଣ୍ଟି-୨୦ର ଦଳ ସଂଖ୍ୟା ଚଳିତବର୍ଷ ବଢ଼ିବନି। ଏହା ପୂର୍ବଭଳି ତିନିଟି ଦଳରେ ଅପରିବର୍ତ୍ତିତ ରହିବ। ଗତବର୍ଷ ଏହି ଚର୍ଚ୍ଚିତ ଲିଗ୍‌ର ଦଳସଂଖ୍ୟା ୪ କରିବାକୁ ବିସିସିଆଇ ଚିନ୍ତା କରୁଥିଲା। ହେଲେ ଜୈବ ବଳୟର ଆହ୍ବାନ ଏବଂ କୋଭିଡ୍ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରି ନଥିଲା। ଚଳିତବର୍ଷ ମଧ୍ୟ ସେହି ତିନିଟି ଦଳକୁ ନେଇ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍ ଆୟୋଜିତ ହେବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରି ଦେଇଛନ୍ତି। ଆସନ୍ତା କିଛି ଦିନ ଭିତରେ ଏଥିନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ସେ କିନ୍ତୁ ସୂଚନା ଦେଇଛନ୍ତି।

ଗତବର୍ଷ ଦୁବାଇ ଓ ଆଦୁଧାବିରେ ‌ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ର ଚାରିଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସୁପରନୋଭାସ୍‌କୁ ପରାସ୍ତ କରି ଟ୍ରେଲବ୍ଲେଜର୍ସ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ ମହିଳା ଦଳ ଗତବର୍ଷ ଖୁବକମ୍ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲା। ଚଳିତବର୍ଷ ଦଳ ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟେଷ୍ଟ୍ କ୍ରିକେଟ୍ ଖେଳିବାର ସୂଚୀ ରହିଛି। ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପୂର୍ବରୁ ଦଳ ମଧ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ସବୁକିଛି ଅବଶ୍ୟ କୋଭିଡ୍-୧୯ ସ୍ଥିତି ଉପରେ ନିର୍ଭର କରିବ।

ସମ୍ବନ୍ଧିତ ଖବର