କ୍ରିକେଟ୍ ଦୁନିଆ ବଦଳିଯିବ: ଗାଭାସ୍କର

ଲାଳ ବାସନ୍ଦାଦେଶକୁ ସଚିନଙ୍କ କଟାକ୍ଷ, ‘ଆଗକୁ ବୋଲରଙ୍କ ସ୍ଥାନ ବୋଲିଂ ମେସିନ ନେବ’

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ପରେ କ୍ରିକେଟ୍ ଦୁନିଆ ସଂପୂର୍ଣ୍ଣ ବଦଳିଯିବ। ଖେଳାଳିଙ୍କ ପାଇଁ ମ୍ୟାଚ୍ ଖେଳିବା କଷ୍ଟକର ହୋଇଯିବ। ହିତାଧିକାରୀମାନେ ଏହି ନୂଆ ଆହ୍ବାନକୁ କିଭଳି ଭାବେ ମୁକାବିଲା କରୁଛନ୍ତି, ତାହା ଦେଖିବା କିନ୍ତୁ ମଜାଦାର ହେବ। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦୁନିଆର କିଂବଦନ୍ତି ପୁରୁଷ ସୁନିଲ ଗାଭାସ୍କର। ସଲାମ କ୍ରିକେଟ୍ -୨୦୨୦ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଭାସ୍କର କ୍ରିକେଟ୍ ଜଗତ ଆଗକୁ ସଂପୂର୍ଣ୍ଣ ବଦଳିଯିବ ବୋଲି ଶନିବାର ଆଶଙ୍କା ଜାହିର କରିଛନ୍ତି। କଷ୍ଟକର ହେଲେ ମଧ୍ୟ କ୍ରିକେଟ୍ ଖେଳିବାର ବାଟ ବାହାର କରିବାକୁ ଆଇସିସି ସହ ସବୁ ଦେଶର କ୍ରିକେଟ୍ ବୋର୍ଡକୁ ସେ ପରାମର୍ଶ ଦେଇଛନ୍ତି। ‘‘ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ଏକାଠି ଗୋଲେଇରେ ଠିଆ ହେବା, ୱିକେଟ୍ ନେଲା ବେଳେ ଉତ୍ସବ ପାଳନ କରିବା ଭଳି କଥା ଆସନ୍ତା ସମୟରେ ହୁଏତ ଆମେ ଆଉ ଦେଖିବାକୁ ପାଇବା ନାହିଁ। ଏପରିକି ବ୍ୟାଟ୍ସମ୍ୟାନମାନେ ସାଥୀ ବ୍ୟାଟ୍ସମ୍ୟାନଙ୍କ ‌ଗ୍ଲୋଭ୍ସକୁ ନିଜ ଗ୍ଲୋଭ୍ସ ଲଗାଇ କରୁଥିବା ଉତ୍ସବ ପାଳନ ମଧ୍ୟ ସ୍ବପ୍ନ ପାଲଟିଯିବ। ଏସବୁ ପରିବର୍ତ୍ତନକୁ ଆମକୁ ଗ୍ରହଣ କରିବାକୁ ହେବ। ଆସନ୍ତା କିଛି ମାସ ପାଇଁ କ୍ରିକେଟ୍ ବିଶୋଧନ ହେବ।

ବଲ୍ ପଡ଼ିଆରେ ଗଡ଼ୁଥିଲା ବେଳେ କ୍ଷେତ୍ରରକ୍ଷକମାନେ ଏହାକୁ ଛୁଇଁବାକୁ ବି ଡରିବେ। ଭଲ କଥା ହେଲା ମ୍ୟାଚ୍ ପୂର୍ବରୁ ସବୁ ଖେଳାଳିଙ୍କ ପରୀକ୍ଷା କରାଯିବ, କୌଣସି ଖେଳାଳିଙ୍କୁ କୋଭିଡ୍-୧୯ ହୋଇଥିବା ଜଣାପଡ଼ିଲେ ତାଙ୍କୁ ମ୍ୟାଚ୍‌ରୁ ବାଦ ଦିଆଯିବ। ତେବେ ବୋଲର ଓ କ୍ଷେତ୍ରରକ୍ଷକମାନେ ମୁଖା ପିନ୍ଧି ମ୍ୟାଚ୍ ଖେଳୁଥିବା ଦୃଶ୍ୟକୁ ଦେଖିବା ବ୍ୟକ୍ତିଗତ ଭାବେ ମୋ ପାଇଁ ବହୁତ କଷ୍ଟକର ହେବ। ବ୍ୟାଟ୍ସମ୍ୟାନ୍ ହେଲମେଟ୍ ପିନ୍ଧିବା ‌ବେଳେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଯାଏ, କ୍ଷେତ୍ରରକ୍ଷକ ମୁଖା ପିନ୍ଧିବା ଆହୁରି ବଡ଼ ସମସ୍ୟା ସୃଷ୍ଟି କରିପାରେ। ଏଭଳି ସ୍ଥିତିରେ ଖେଳାଳିଙ୍କ ଜର୍ସିକୁ ନମ୍ବରିଂ କରିବା ଏକ ଭଲ ଓ ସ୍ବାଗତଯୋଗ୍ୟ ଉପାୟ’’ ବୋଲି ଗାଭାସ୍କର ମତ ରଖିଛନ୍ତି। ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରାଯାଇପାରେ। ଅଷ୍ଟ୍ରେଲିଅ କ୍ରିକେଟ୍ ବୋର୍ଡକୁ କିନ୍ତୁ ଏଥିନେଇ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଗାଭାସ୍କର ଚଳିତବର୍ଷ ହେବାକୁ ଥିବା ବିଶ୍ବକପ୍‌କୁ ସୃଷ୍ଟି ହୋଇଥିବା ଆଶଙ୍କା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି।

ଲାଳ ବାସନ୍ଦାଦେଶକୁ ସଚିନଙ୍କ କଟାକ୍ଷ, ‘ଆଗକୁ ବୋଲରଙ୍କ ସ୍ଥାନ ବୋଲିଂ ମେସିନ ନେବ’
ସଲାମ କ୍ରିକେଟ୍-୨୦୨୦ କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଥିବା ଭାରତୀୟ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍ ବଲ୍ ଉପରେ ଲାଳ ଲଗାଇବା ଉପରେ ଆଇସିସି ଜାରି କରିଥିବା ବାସନ୍ଦା‌ଦେଶକୁ କଟାକ୍ଷ କରିଛନ୍ତି। ଆଇସିସିର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସଚିନ କହିଛନ୍ତି ଯେ ମୋର କିଛି ବୋଲର ବନ୍ଧୁ ମୋ‌ତେ କହିଛନ୍ତି, ଆଗକୁ ୱିକେଟ୍‌ର ଦୁଇ ପଟରୁ ଦୁଇଟି ବୋଲିଂ ମେସିନର ଉପଯୋଗ କରାଯିବ। ଏହି ମେସିନମାନେ ହିଁ ବୋଲରଙ୍କ ସ୍ଥାନ ନେବେ। କ୍ରିକେଟ୍ ଭବିଷ୍ୟତରେ ଏଭଳି ଭାବେ ଖେଳାଯିବ ବୋଲି ‌ସେମାନେ ଆଶଙ୍କା ଜାହିର କରିଛନ୍ତି। ତେବେ କୋଭିଡ୍-୧୯ ସଙ୍କଟ ପରେ କ୍ରିକେଟ୍ ପୂର୍ବାପେକ୍ଷା ସଂପୂର୍ଣ୍ଣ ବଦଳିଯିବ ବୋଲି ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଦେଇଥିବା ମନ୍ତବ୍ୟ ଉପରେ ସେ ଏକମତ ହୋଇଛନ୍ତି। ‘‘ କ୍ରିକେଟ୍ ନିଶ୍ଚିତ ଭାବେ ବଦଳିବ। ଆଇସିସି ଲାଳ ଲଗାଇବା ଉପରେ ଅଙ୍କୁଶ ଜାରି କରିଛି। ପାଳିର ମଝି ଓଭରଗୁଡ଼ିକରେ ବଲ୍ ସୁଇଂ ହେବ କେମିତି? କିଛି ଦେଶର ଜଳବାୟୁ ପାଇଁ ସେଠାରେ ଝାଳ ବାହାରେ ନାହିଁ। ସେତେବେଳେ ବଲ୍‌କୁ କିଭଳି ଭାବେ ଚିକ୍କଣ କରାଯିବ? ଏଭଳି ସ୍ଥିତିରେ ଅମ୍ପାୟାରଙ୍କୁ ଏକ ମହମ ବାକ୍ସ ଦେବା ଭଲ ବିକଳ୍ପ ହୋଇପାରେ। ବାକ୍ସ ଭିତରେ କେତେ ଗ୍ରାମ୍ ମହମ ରହିବ ଆଇସିସି ସେ ନିଷ୍ପତ୍ତି ନେଇପାରିବ। ପ୍ରତି ପାଳି ପିଛା ଏକ ନିର୍ଦ୍ଦିଷ୍ଟ ଓଭରର ମହମ ପ୍ରତ୍ୟେକ ଦଳକୁ ମିଳିବା ଉଚିତ। ୪୫ରୁ ୫୦ ଓଭର ଭିତରେ ବଲ୍ ପରିବର୍ତ୍ତନ କରିବା ନିଷ୍ପତ୍ତି ମଧ୍ୟ ସେମାନେ ନେଇପାରିବେ। ବୋଲରଙ୍କୁ ଅଧିକ ବିକଳ୍ପ ମିଳିଲେ ବଲ୍ ଓ ବ୍ୟାଟ୍ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ। ଏଥିନେଇ ଗଭୀର ଚିନ୍ତନ ଓ ଯୋଜନାର ଆବଶ୍ୟକତା ରହିଛି’’ ବୋଲି ସଚିନ କହିଥିଲେ। ଲାଳ ଉପରେ ବାସନ୍ଦ ଲାଗିବା ପରେ ପାଲଟା ସୁଇଂ କଳା ସମୟକ୍ରମେ ଶେଷ ହୋଇଯିବ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି କହିଥିଲେ।

ଅକ୍ଟୋବରରେ ଆଇପିଏଲ୍‌ କଷ୍ଟସାଧ୍ୟ; ସେପ୍ଟେମ୍ବରରେ ଶ୍ରୀଲଙ୍କାରେ କରାଯାଇପାରିବ
ନୂଆଦିଲ୍ଲୀ: ଅକ୍ଟୋବରରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଆୟୋଜନ କରିବା କଷ୍ଟସାଧ୍ୟ ହେବ। ବରଂ ଚଳିତ ବର୍ଷର ଏହି ସଂସ୍କରଣକୁ ସେପ୍ଟେମ୍ବରରେ ଶ୍ରୀଲଙ୍କାରେ ଆୟୋଜିତ କରାଯାଇପାରିବ ବୋଲି ମତ ରଖିଛନ୍ତି କିବଦନ୍ତି କ୍ରିକେଟର୍‌ ସୁନିଲ ଗାଭାସ୍କର। ଅଷ୍ଟ୍ରେଲିଆ ସରକାର ଏବେ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ଦେଉଥିବାରୁ ଅକ୍ଟୋବରରେ ସେହି ଦେଶ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ହୁଏତ ସଫଳତାର ସହ ଆୟୋଜନ କରିବାକୁ ଆଗଭର ରହିଛି। ଆଉ ଯଦି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନକୁ ଅନୁମତି ଦିଏ ତାହାଲେ ସେହି ସମୟରେ ଆଇପିଏଲ୍‌ ଅସମ୍ଭବ ହୋଇପଡ଼ିବ। ତେଣୁ ଭାରତରେ ନହେଲେ ନାହିଁ ସେପ୍ଟେମ୍ବରରେ ଶ୍ରୀଲଙ୍କା କିମ୍ବା ୟୁଏଇରେ ଆଇପିଏଲ୍‌ କରାଯାଇପାରିବ ବୋଲି ଗାଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର