ନୂଆଦିଲ୍ଲୀ: ପ୍ରଥମ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପ୍ରତିଯୋଗିତାର ଫାଇନାଲ ଜୁନ୍ ୧୦ରୁ ୧୪ ନୁହେଁ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ୨୩କୁ ସଂରକ୍ଷିତ ଦିବସ ଭାବେ ରଖାଯିବ। ଆଇପିଏଲ୍-୨୦୨୧ର ଫାଇନାଲ୍କୁ ଆଖି ଆଗରେ ରଖି ଆଇସିସି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୋଭିଡ୍-୧୯ ସଙ୍କଟ ସଂପୂର୍ଣ୍ଣ ଦୂର ହୋଇ ନଥିବାରୁ ଖେଳାଳିଙ୍କ ସମ୍ଭାବ୍ୟ ସଙ୍ଗରୋଧ ଏବଂ ଉଭୟ ଫାଇନାଲ୍ ମଧ୍ୟରେ ଥିବା ସ୍ବଳ୍ପ ବ୍ୟବଧାନ ପାଇଁ ମଧ୍ୟ ଆଇସିସି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଏଥିନେଇ ଆନୁଷ୍ଠାନିକ ଘୋଷଣା କିନ୍ତୁ କରାଯାଇ ନାହିଁ।
ପଏଣ୍ଟ୍ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ଥିବା ଦଳ ଫାଇନାଲ୍ ଖେଳିବେ ଏବଂ ସଂପ୍ରତି ଭାରତ ଓ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାର ଶୀର୍ଷ ୨ ସ୍ଥାନରେ ରହିଛନ୍ତି। ଭାରତ ୪୩୦ ପଏଣ୍ଟ୍ ସହ ପ୍ରଥମ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡ ୪୨୦ ପଏଣ୍ଟ ପାଇ ଦ୍ବିତୀୟରେ ଅଛି। ଉଭୟ ଦଳ ପାଞ୍ଚଟି ଲେଖାଏଁ ଟେଷ୍ଟ୍ ଶୃଙ୍ଖଳା ଖେଳି ସାରିଛନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଭାରତ ଆଉ ଗୋଟିଏ ଶୃଙ୍ଖଳା ଇଂଲଣ୍ଡ ବିପକ୍ଷରେ ଖେଳିବାର ଅଛି। ସେପଟେ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟ ତା’ର ଶେଷ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଫାଇନାଲ୍ ଖେଳିବାକୁ ହେଲେ କିନ୍ତୁ ଟିମ୍ ପେନ୍ଙ୍କ କଙ୍ଗାରୁ ଦଳକୁ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେବ। କୋଭିଡ୍-୧୯ ସଙ୍କଟ ପାଇଁ ଏକାଧିକ ଶୃଙ୍ଖଳା ବାତିଲ କିମ୍ବା ସ୍ଥଗିତ ହେବା ପରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ପଏଣ୍ଟ୍ ପଦ୍ଧତିକୁ ବଦଳାଇ ଦେଇଛି। ଦଳଗୁଡ଼ିକ ଏବେ ସେମାନେ ଖେଳିଥିବା ଶୃଙ୍ଖଳାରୁ ଅର୍ଜନ କରିଥିବା ପଏଣ୍ଟ୍ ପ୍ରତିଶତକୁ ମଧ୍ୟ ମାନ୍ୟତା ନିର୍ଦ୍ଧାରଣ ବେଳେ ହିସାବକୁ ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/test-championship.jpg)