ନୂଆଦିଲ୍ଲୀ: ଯେଉଁ ଲକ୍ଷ୍ୟ ନେଇ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଆରମ୍ଭ ହୋଇଥିଲା କରୋନା ଯୋଗୁଁ ଏହା ହାସଲ ହୋଇପାରିଲାନି। କରୋନା ମହାମାରୀ ଏହାର ଲକ୍ଷ୍ୟ ବିଚ୍ୟୁତ କରିଛି ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ ଗ୍ରେଗ ବାର୍କଲେ ଏକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି। କରୋନା ହୋଇନଥିଲେ ଏହା ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ତାହା ପୂରଣ ହୋଇଥା’ନ୍ତା। କିନ୍ତୁ କରୋନା ସବୁ ବିଗାଡ଼ି ଦେଲା। ଏହି ଅସୁବିଧା ଆମେ ସମସ୍ତେ ଭୋଗିଛେ। ଟେଷ୍ଟ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ଉଦେଶ୍ୟରେ ହିଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ର ପରିକଳ୍ପନା ବୋଲି ସେ କହିଛନ୍ତି।
କାଗଜକଲମରେ ଏହା ଭଲ କିନ୍ତୁ ବାସ୍ତବତାରେ ଏହା ବିଫଳ ପରିକଳ୍ପନା କି? ପ୍ରଶ୍ନର ଉତ୍ତରରେ ବାର୍କଲେ କହିଛନ୍ତି, ମୁଁ ଏଥିରେ ସହମତ ନୁହେଁ। ଏହାର ବହୁତ କିଛି ଭଲ ଗୁଣ ରହିଛି। କିନ୍ତୁ ମୁଁ ନିଶ୍ଚିତ ନୁହେଁ ଯେ ଏହା ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ତାହା ହାସଲ କରିଛି। ମୁଁ ଭାବୁଛି ଆଗକୁ ଏଭଳି କ୍ୟାଲେଣ୍ଡର ପ୍ରସ୍ତୁତ କରିବା ଯାହା ଆମକୁ ସୁହାଉଥିବ ଏବଂ କ୍ରିକେଟର୍ମାନଙ୍କୁ ଅସୁବିଧାରେ ପକାଉନଥିବ। ବହୁତ କମ୍ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ଆର୍ଥିକ ଦୃଷ୍ଟିରୁ ଟେଷ୍ଟ୍ କ୍ରିକେଟ୍ ଖେଳିବା ଲାଗି ସକ୍ଷମ ନୁହନ୍ତି। ଟେଷ୍ଟ୍ କ୍ରିକେଟ୍ ମୂଳଦୁଆ ହୋଇଥିବାରୁ ଏହା ଉପରେ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ବାର୍କଲେ କହିଛନ୍ତି।
ଟି-୨୦ ଲିଗ୍କୁ ସମର୍ଥନ ଦେଇ ସେ କହିଛନ୍ତି ଯେ ଘରୋଇ ଲିଗ୍ ଆୟୋଜନ ଦ୍ବାରା ବୋର୍ଡର ରୋଜଗାର ବଢ଼ିବା ସହ ଖେଳାଳିମାନେ ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେଉଛନ୍ତି। ଯେପରି କି ଆଇପିଏଲ୍, ବିବିଏଲ୍ ଓ ସିପିଏଲ୍ ଏହାର ଉଦାହରଣ। ଦ୍ବିପାକ୍ଷିକ ଶୃଙ୍ଖଳା ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଆଇସିସି ଏହା ଉପରେ ନଜର ରଖୁଛି। ସବୁ ଦେଶ ଏଥିରେ ଭାଗ ନେବା ଆବଶ୍ୟକ। ମୁଁ ଆଇସିସି ପ୍ରତିଯୋଗିତାର ଏକ ବଡ଼ ପ୍ରଶଂସକ ଏବଂ ଏହା ସହ ଦ୍ବିପାକ୍ଷିକ ଶୃଙ୍ଖଳାକୁ ବି ହାତଛଡ଼ା କରିନଥାଏ।
‘ଭାରତ-ପାକ୍ ଦ୍ବିପାକ୍ଷିକ ଶୃଙ୍ଖଳା ପାଇଁ ପ୍ରୟାସ କରିବି’
ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ଶୃଙ୍ଖଳା ଉପରେ ବାର୍କଲେ କହିଥିଲେ ଯେ ବିଶ୍ବ କ୍ରିକେଟ୍ରେ ଭାରତ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସବୁ ପରିବାର ଭଳି ଆମର ବି ବିବାଦ ରହିଛି। ରାଜନୈତିକ ଦୃଷ୍ଟିରୁ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଉନି। ଏହାକୁ ନେଇ ଆମେ କାହାକୁ ବାଧ୍ୟ କରିବୁ ନାହିଁ। ଉଭୟ ଦେଶ ମଧ୍ୟେରେ ସଂପର୍କ ମଧ୍ୟ ଆଦୌ ଭଲ ନାହିଁ। ଏହା ଅବଶ୍ୟ କ୍ରିକେଟ୍ ବ୍ୟତିରେକ ମାମଲା। ତଥାପି କ୍ରିକେଟ୍ର ବିକାଶ ଓ ସୁନାମ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଦୃଢ଼ କରିବା ପାଇଁ ଆଇସିସି ପ୍ରୟାସ କରିବ। ରାଜନୀତିଠାରୁ କ୍ରିକେଟ୍କୁ ଦୂରେଇ ରଖିବାକୁ ଚେଷ୍ଟା କରିବୁ। ବ୍ୟକ୍ତିଗତ ଭାବେ ମୁଁ ଉଭୟ ବୋର୍ଡ ସହ ଆଲୋଚନା କରିବି ଏବଂ ଦ୍ବିପାକ୍ଷିକ ଶୃଙ୍ଖଳା ଆରମ୍ଭ ହେବା ନେଇ ଉଦ୍ୟମ କରିବି ବୋଲି କହିଥିଲେ ବାର୍କଲେ। ଏହା ସମ୍ଭବ ହୋଇପାରିଲେ ମୁଁ ସବୁଠୁ ଅଧିକ ଖୁସୀ ହେବି।