ମୁମ୍ବାଇ: ଆସନ୍ତାକାଲିଠାରୁ ସାଉଥମ୍ପଟନ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍। ପ୍ରଥମ ଥର ଲାଗି ଆଇସିସି ଏହାକୁ ପ୍ରଚଳନ କରିଥିଲା ବେଳେ ଅନେକ ଏହା ଗୋଟିଏ ମ୍ୟାଚ୍ ହୋଇଥିବାରୁ ନାପସନ୍ଦ କରିଛନ୍ତି। ଆଇସିସି ମାନ୍ୟତାର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଟ୍ରଫି ପାଇଁ ମୁକାବିଲା ହେବ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏହାକୁ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା କରିବାକୁ ପ୍ରସ୍ତାବ ଦେଇସାରିଛନ୍ତି। ଶାସ୍ତ୍ରୀଙ୍କ ମତକୁ ମଧ୍ୟ ଅଧିକାଂଶ କ୍ରିକେଟର୍ ସମର୍ଥନ ଜଣାଇଛନ୍ତି। ହେଲେ ଆଇସିସି ଏଭଳି ପ୍ରସ୍ତାବକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ଏପରିସ୍ଥଳେ ଭାରତୀୟ କିଂବଦନ୍ତି ସଚିନ୍ ତେନ୍ଦୁଲକର ମଧ୍ୟ ଏଭଳି ପ୍ରସ୍ତାବ ବାଢ଼ିଛନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ହେବା ଉଚିତ ବୋଲି କହିଛନ୍ତି। ଶ୍ରେଷ୍ଠ ୩ ମ୍ୟାଚ୍ ଖେଳାଗଲେ କେଉଁ ଦଳ ପ୍ରକୃତରେ ଶ୍ରେଷ୍ଠ ତାହା ପ୍ରମାଣିତ ହୋଇପାରନ୍ତା। ପୁଣି ଏହି ଫାଇନାଲ୍ର ମଧ୍ୟ ମାନ ବଢ଼ିପାରନ୍ତା ବୋଲି ସଚିନ୍ କହିଛନ୍ତି। ତାଙ୍କ ମତ ହେଲା ଦୁଇ ଦଳ ମଧ୍ୟରେ ୩ କିମ୍ବା ୪ ମ୍ୟାଚ୍ ଖେଳାଯାଉ, ଏହାପରେ ଟ୍ରଫି ବିଜେତା ନିର୍ଣ୍ଣୟ କରାଯିବା ଉଚିତ।
ସଚିନ୍ ପୁଣି କହିଛନ୍ତି, ତୁମେ ଯେତେବେଳେ ୫୦ ଓଭରିଆ ବିଶ୍ବକପ୍ କିମ୍ବା ଟି-୨୦ ପ୍ରତିଯୋଗିତା ଖେଳୁଛ ସେତେବେଳେ ତୁମେ ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ସହ ଥରେ ଲେଖାଏଁ ମୁହାଁମୁହିଁ ହେଉଛ। ଏହାପରେ ତୁମେ ଗୋଟିଏ ଫାଇନାଲ୍ ଖେଳୁଛ। ସେଭଳି କ୍ଷେତ୍ରରେ ଗୋଟିଏ ମାତ୍ର ଫାଇନାଲ୍ ହିଁ ଗ୍ରହଣୀୟ ହୋଇଥାଏ। କିନ୍ତୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍କୁ ଦେଖିଲେ ଭାରତ ୪ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆରେ ଏବଂ ୪ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଭାରତରେ ଖେଳିବା ପରେ ଫାଇନାଲ୍କୁ ଯୋଗ୍ୟତା ହାସଲ କରିନେଲା। ଆଉ ଏବେ ଗୋଟିଏ ଫାଇନାଲ୍ ମ୍ୟାଚ୍ ଖେଳିବ। ତେଣୁ ଏହା ଏକ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଶୃଙ୍ଖଳା ହେବା ଉଚିତ। ବିଶେଷକରି ବେଷ୍ଟ ଅଫ୍ ଥ୍ରି ମ୍ୟାଚ୍ ବିଶିଷ୍ଟ ହେବା ଅଧିକ ଗ୍ରହଣୀୟ ହୋଇପାରନ୍ତା। ଆଉ ସେହି ମ୍ୟାଚ୍ଗୁଡ଼ିକ କେଉଁଠାରେ (ଘରେ ଗୋଟିଏ, ବାହାରେ ଗୋଟିଏ ଏବଂ ନିରପେକ୍ଷ ସ୍ଥାନରେ ବି ଗୋଟିଏ) ଖେଳାଯିବ ତାହା ସ୍ଥିର କରାଯାଆନ୍ତା। ତାହାଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ର ମାନ ବୃଦ୍ଧି ପାଆନ୍ତା ବୋଲି କହିଛନ୍ତି ସଚିନ।
ଇଂଲଣ୍ଡରେ ରନ୍ ସଂଗ୍ରହ ଗିଲଙ୍କ ‘ଉଦ୍ଦେଶ୍ୟ’
ସାଉଥାମ୍ପଟନ୍: ନ୍ୟୁଜିଲାଣ୍ଡ୍ ବିପକ୍ଷ ଡବ୍ଲୁଟିସି ଫାଇନାଲ୍କୁ ନିଜ ଖେଳ ଜୀବନର ସବୁଠୁ ବଡ଼ ମ୍ୟାଚ୍ କହିଛନ୍ତି ଭାରତୀୟ ଯୁବ ଓପନର୍ ଶୁବମନ ଗିଲ୍। ଇଂଲଣ୍ଡ ମାଟିରେ ରନ୍ ସଂଗ୍ରହ କରିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ‘ଉଦ୍ଦେଶ୍ୟ’ ବୋଲି ୨୧ ବର୍ଷୀୟ ଏହି ପଞ୍ଜାବୀ ତାରକା କହିଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଶଂସନୀୟ ପ୍ରଦର୍ଶନ କରିବା ପରେ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ବି ଗିଲ୍ ଭଲ ଖେଳିଥିଲେ। ଏବେ ଇଂଲଣ୍ଡ ମାଟିରେ ପ୍ରଥମ ଟେଷ୍ଟ୍ ତଥା ପ୍ରଥମ ଅନ୍ତର୍ଜାତୀୟ ଦାୟିତ୍ବରେ ତାଙ୍କଠାରୁ ଅନୁରୂପ ପ୍ରଦର୍ଶନ ଆଶା କରିଛି ଦଳ। ‘ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତା ଫାଇନାଲ୍ ମୋ ଖେଳ ଜୀବନର ସବୁଠାରୁ ବଡ଼ ମ୍ୟାଚ୍’ ବୋଲି କୋଲକାତା ନାଇଟ୍ ରାଇଡର୍ସ ଅଫିସିଆଲ୍ ୱେବସାଇଟ୍ରେ ଗିଲ୍ ପ୍ରକାଶ କରିଛନ୍ତି। ସାଉଥାମ୍ପଟନ୍ରେ ଖେଳାଯାଇଥିବା ଅନ୍ତଃଦଳୀୟ ମ୍ୟାଚ୍ରେ ପ୍ରଭାବୀ ୮୫ ରନ୍ କରିବା ପରେ ତାଙ୍କୁ ୧୫ ଜଣିଆ ଭାରତୀୟ ଦଳରେ ସ୍ଥାନ ମିଳିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ମଧ୍ୟ ଦଳରେ ସ୍ଥାନକୁ ଏକ ପ୍ରକାର ପକ୍କା କରିଛନ୍ତି।
ରନ୍ ସଂଗ୍ରହର ଚାପରେ ନପଡ଼ି ଏହାକୁ ଅଗ୍ରାଧିକାର ଭାବେ ବିବେଚନା କରୁଛି ବୋଲି ଗିଲ୍ କହିଛନ୍ତି। ରନ୍ ସଂଗ୍ରହର ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଲେ ବ୍ୟାଟ୍ସମ୍ୟାନ୍ ନୁହେଁ ବୋଲର ହିଁ ବ୍ୟାକ୍ ସିଟ୍କୁ ଚାଲିଯାଇଥାଏ। ଯଦି ବର୍ତ୍ତିବା ପାଇଁ ଖେଳିବାକୁ ଯିବି ତେବେ ନିଶ୍ଚିତ ଅଧିକ ଭଲ ବଲ୍ ଆସିବ ବୋଲି ନିଜ ଉଦ୍ଦେଶ୍ୟର ଗୁରୁତ୍ବକୁ ବୁଝାଇବାକୁ ଯାଇ ଗିଲ୍ ପ୍ରକାଶ କରିଥିଲେ। ଇଂଲଣ୍ଡ୍ ମାଟିରେ ପୂର୍ବରୁ ମଧ୍ୟ ଗିଲ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଭାରତୀୟ ୧୯ ବର୍ଷରୁ କମ୍ ଦଳ ଏବଂ ଭାରତ ‘ଏ’ ପାଇଁ ସେ ପ୍ରତିନିଧିତ୍ବ କରିଛନ୍ତି। ୧୯ ବର୍ଷରୁ କମ୍ ଦିନିକିଆ ଓ ଟେଷ୍ଟ୍ ବେଳେ ସେ ଯଥାକ୍ରମେ ୯୨.୬୬ ଓ ୪୩.୫ ହାରରେ ରନ୍ ସଂଗ୍ରହ କରିଛନ୍ତି। ଭାରତ ‘ଏ’ ପାଇଁ ଲିଷ୍ଟ୍ ‘ଏ’ ମ୍ୟାଚ୍ ଖେଳିବା ବେଳେ ତାଙ୍କ ହାରାହାରି ପ୍ରଭାବୀ ହାରରେ ୬୮.୨୫ ରହିଛି।
ବୁମ୍ରାଙ୍କ ସାକ୍ଷାତକାର ନେଲେ ସଂଜନା
ସାଉଥାମ୍ପଟନ: ସଂପ୍ରତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଇଂଲଣ୍ଡ ଗସ୍ତରେ ଅଛନ୍ତି। ବୁମ୍ରାଙ୍କ ସହ ତାଙ୍କ ଟିଭି ଉପସ୍ଥାପିକା ପତ୍ନୀ ସଂଜନା ଗଣେଶନ୍ ମଧ୍ୟ ସେଠାରେ ରହିଛନ୍ତି। ଡବ୍ଲୁଟିସି ଫାଇନାଲ୍ ପୂର୍ବରୁ ଆଇସିସି ଏକ ପ୍ରମୋସନାଲ ଭିଡିଓ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଯେଉଁଥିରେ ଟିଭି ଉପସ୍ଥାପିକା ସଂଜନା ନେଇଥିବା ବୁମ୍ରାଙ୍କ ଏକ ସୁନ୍ଦର ସାକ୍ଷାତକାର ରହିଛି। ଦ୍ରୁତ ବୋଲର ନିଜ ପୁରୁଣା ସ୍ମୃତି କଥା ଏହି ସାକ୍ଷାତକାରରେ କହିଛନ୍ତି। ଆଇସିସି ଏହି ଭିଡିଓର ଶିରୋନାମା ଏପରି ରଖିଛି ‘‘ତାଙ୍କ ଭଉଣୀଙ୍କ ସହ ଖେଳିବା, ସ୍କୁଲ୍ କ୍ରିିକେଟ୍ରୁ ଆରମ୍ଭ କରିବା ହେଉଛି ତାଙ୍କ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ। ସଂଜନା ଗଣେଶନ ଡବ୍ଲୁଟିସି ଫାଇନାଲ୍ ପୂର୍ବରୁ ଯଶ୍ପ୍ରୀତ ବୁମ୍ରାଙ୍କ କିଛି ସ୍ମୃତି ଉପରେ ନେଇଥିବା ସାକ୍ଷାତକାର’’।