ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି)ର ବିଜେତାଙ୍କୁ ୧.୬ ମିଲିଅନ୍ ଡଲାର (୧୩.୨୨ କୋଟି) ପୁରସ୍କାର ମିଳିବ। ସେହିପରି ଉପବିଜେତାଙ୍କୁ ୮ ଲକ୍ଷ ଡଲାର (୬.୬୧ କୋଟି) ପୁରସ୍କାର ପ୍ରଦାନ କରାଯିବ। ଡବ୍ଲୁଟିସି ଉଦ୍ଘାଟନୀ ସଂସ୍କରଣର ପୁରସ୍କାର ରାଶି ତୁଳନାରେ ଏଥର କୌଣସି ପରିବର୍ତ୍ତନ କରାଯାଇନାହିଁ। ଦୁଇ ଫାଇନାଲିଷ୍ଟଙ୍କ ସହିତ ଅନ୍ୟ ଦଳମାନଙ୍କୁ ମୋଟ ୩.୮ ମିଲିଅନ୍ ଡଲାର (୨୯.୭୫ କୋଟି) ରାଶି ଦିଆଯିବ।
ସେହି ଅନୁସାରେ ତୃତୀୟ ସ୍ଥାନରେ ରହିଥିବା ଦକ୍ଷିଣ ଆଫ୍ରିକାକୁ ୪.୫ ଲକ୍ଷ ଡଲାର (୩.୭୧ କୋଟି), ଚତୁର୍ଥ ସ୍ଥାନରେ ରହିଥିବା ଇଂଲଣ୍ଡକୁ ୩.୫ ଲକ୍ଷ ଡଲାର (୨.୮୯ କୋଟି) ଏବଂ ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀଲଙ୍କାକୁ ୨ ଲକ୍ଷ ଡଲାର (୧.୬୫ କୋଟି) ପ୍ରାପ୍ୟ ପ୍ରଦାନ କରାଯିବ। ଏମାନଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ (ଷଷ୍ଠ), ପାକିସ୍ତାନ (ସପ୍ତମ), ୱେଷ୍ଟଇଣ୍ଡିଜ୍ (ଅଷ୍ଟମ), ବାଂଲାଦେଶ (ନବମ) ଦଳ ୧ ଲକ୍ଷ ଡଲାର (୮୪ ଲକ୍ଷ) ଲେଖାଏଁ ପ୍ରାପ୍ୟ ପାଇବେ। ସୂଚନାଯୋଗ୍ୟ, ଡବ୍ଲୁଟିସି ଫାଇନାଲ୍ ଆସନ୍ତା ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନର ଦ ଓଭାଲ୍ରେ ଖେଳାଯିବ। ୧୨ ତାରିଖକୁ ସଂରକ୍ଷିତ ଦିବସ ଭାବେ ରଖାଯାଇଛି।