ଟୋଟ୍ଟିଙ୍କ ବାର୍ତା ‌ପାଇ କୋମାରୁ ଉଠିଲେ ଯୁବତୀ

ରୋମ: ଡିସେମ୍ବର ମାସରୁ କୋମାରେ ଥିବା ଜଣେ ୧୯ ବର୍ଷୀୟା ଫୁଟ୍‌ବଲ୍‌ପ୍ରେମୀ ଯୁବତୀ‌ ଶେଷରେ ରୋମାର ମହାନ ଫୁଟ୍‌ବଲ୍‌ ଖେଳାଳି ଫ୍ରାନସେସ୍କୋ ଟୋଟ୍ଟିଙ୍କ ଏକ ଭିଡିଓ ବାର୍ତା ପାଇ ଚେତାରୁ ଉଠିଛନ୍ତି। ‘ଲାଗି ରହିଥାଅ ଓ କେବେ ଛାଡ଼ ନାହିଁ’ ବୋଲି କହି ୪୪ ବର୍ଷୀୟ ଟୋଟ୍ଟି ଏକ ଭିଡିଓ ପଠାଇବା ପରେ ଦୁର୍ଘଟଣାରେ ଗୁରୁତର ଆହତ ଲେନିଆ ମାତିଲି କୋମାରୁ ଉଠିଥିଲେ। ଟୋଟ୍ଟିଙ୍କ ବାର୍ତ୍ତା ଶୁଣିବା ପରେ ଏକ ସ୍ବତନ୍ତ୍ର ବ୍ଲାକବୋର୍ଡରେ ଲେନିଆ ମଧ୍ୟ ଲେଖିଥିଲେ ମୁଁ ମୋ ଆଦର୍ଶ ଖେଳାଳିଙ୍କୁ ଭେଟିବାକୁ ଚାହୁଁଛି।

ପରିବାର ଲୋକଙ୍କ ଅନୁରୋଧ ରକ୍ଷା କରି ଟୋଟ୍ଟି ସୋମବାର ହସ୍ପିଟାଲରେ ଲେନିଆଙ୍କୁ ଭେଟିଛନ୍ତି। ପ୍ରାୟ ଘଣ୍ଟାଏ କାଳ ଉଭୟ ବିତାଇଥିଲେ। ଲାଜିଓ ବିପକ୍ଷରେ ରୋମାର ମହିଳା ଦଳ ପାଇଁ ଖେଳୁଥିବାବେଳର ଜର୍ସି ଲେନିଆ ପରିଧାନ କରିଥିଲେ। ଏହି ଟି-ସାର୍ଟରେ ଏକ ମାର୍କର ପେନରେ ଟୋଟ୍ଟିଙ୍କ ସ୍ବାକ୍ଷର ବି ଥିଲା। ‘ହସ୍ପିଟାଲ୍‌ ବାହାରେ ମୁଁ ତୁମକୁ ଖୁବ୍ ଶୀଘ୍ର ଦେଖିବାକୁ ଚାହୁଁଛୁ’ ବୋଲି ମଧ୍ୟ ଟୋଟ୍ଟି ତାଙ୍କୁ କହିଥିଲେ। ସ୍ନାୟୁରୋଗ ଥଇଥାନ ୟୁନିଟ୍‌ର ମୁଖ୍ୟ ଡାକ୍ତର ଲୁକା ପାଡୁଆ କହିଛନ୍ତି ‘ସଂଗୀତ ଓ କିଛି ଶବ୍ବ ଶୁଣିବା ସହ କିଛି ଛବି ଦେଖିବା ଲେନିଆଙ୍କ ଥେରାପିର ଗୁରୁତ୍ବପୂର୍ଣ୍ଣ ଅଂଶ। ବହୁ ଦୂର ଯିବାକୁ ଅଛି, ତଥାପି ଆମ ଆତ୍ମବିଶ୍ବାସ ରହିଛି’। ସୂଚନାଯୋଗ୍ୟ, ପୂର୍ବତନ ଇଟାଲି ଅନ୍ତର୍ଜାତୀୟ‌ ‌ଖେଳାଳି ଟୋଟ୍ଟି ରୋମା ପାଇଁ ୬୦୦ରୁ ଊର୍ଧ୍ବ ସିରି ଏ ମ୍ୟାଚ୍‌ ଖେଳି ୨୦୧୭ରେ ଅବସର‌ ନେଇଛନ୍ତି। ଗତ ଡିସେମ୍ବର ମାସର ଏକ ସଡ଼କ ଦୁର୍ଘଟଣାରେ ନିଜ ଘନିଷ୍ଠ ବାଂଧବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଲେନିଆ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର