ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ରେ ଦୀର୍ଘ ୧୬ ବର୍ଷ ପରେ ସର୍ବକନିଷ୍ଠ ଖେଳାଳି ଭାବେ ସ୍ପେନୀୟ ଖେଳାଳି କାର୍ଲୋସ୍ ଆଲକାରାଜ ପ୍ରି-କ୍ବାର୍ଟର ଫାଇନାଲ୍କୁ ଉଠିଛନ୍ତି। ଶୁକ୍ରବାର ରାତିରେ ୧୯ ବର୍ଷୀୟ ଆଲକାରାଜ ୬-୪, ୬-୪, ୬-୨ରେ ଆମେରିକାର ସେବାଷ୍ଟିଏନ୍ କୋର୍ଡାଙ୍କୁ ପରାସ୍ତ କରି ଶୀର୍ଷ ୧୬ ଜଣରେ ସାମିଲ ହୋଇଛନ୍ତି। ଏଥି ସହ ଗତ ମାସରେ ମଣ୍ଟେ କାର୍ଲୋ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛନ୍ତି ଆଲକାରାଜ। ଶେଷ ଥର ପାଇଁ ୨୦୦୬ ମସିହାରେ ନୋଭାକ ଜୋକୋଭିକ୍ ସର୍ବକନିଷ୍ଠ ଭାବେ ପ୍ରି-କ୍ବାର୍ଟର ଫାଇନାଲ୍ ଖେଳିଥିଲେ। ଆଲକାରାଜ ଏବେ ସମ୍ଭାବ୍ୟ ସେମିଫାଇନାଲ୍ରେ ଗତ ଥରର ବିଜେତା ନୋଭାକ ଜୋକୋଭିକ୍ କିମ୍ବା ୧୩ ଥର ବିଜେତା ରାଫେଲ୍ ନାଦାଲଙ୍କୁ ଭେଟିବା ସମ୍ଭାବନା ରହିଛି। ଚଳିତ ମାସ ପ୍ରାରମ୍ଭରେ ଉଭୟଙ୍କୁ ଆଲକାରାଜ ମାଡ୍ରିଡ ମାଷ୍ଟର୍ସ ଟାଇଟଲ୍ ବିଜୟ ପଥରେ ପରାସ୍ତ କରିଥିଲେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡି ମେଦେଭେଦେଭ, ଏକାଦଶ ମାନ୍ୟତାର ଜେ ସିନର୍, ସପ୍ତମ ମାନ୍ୟତାର ଏ ରୁବଲେଭ୍ ମଧ୍ୟ ନିଜ ନିଜ ତୃତୀୟ ରାଉଣ୍ଡ୍ ଜିତି ଆଗକୁ ବଢ଼ିଛନ୍ତି।
ମହିଳା ବିଭାଗରେ ବିଶ୍ବର ଏକ ନମ୍ବର ଈଗା ସ୍ବିତେକ୍ ନିଜ ଲଗାତାର ୩୧ତମ ବିଜୟ ସହ ମଧ୍ୟ ପ୍ରି-କ୍ବାର୍ଟର ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ୨୦୨୦ ବିଜୟିନୀ ସ୍ବିତକ ମଣ୍ଟେଗ୍ରୋର ଡାଙ୍କା କୋଭିନିକ୍ଙ୍କୁ ୬-୩, ୭-୫ରେ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ସ୍ବିତକଙ୍କ ଲଗାତାର ବିଜୟ ୨୦୧୩ରେ ସେରେନା ୱିଲିୟମ୍ସଙ୍କ କ୍ରମାଗତ ୩୪ ବିଜୟ ପରେ ଦ୍ବିତୀୟ ଶ୍ରେଷ୍ଠ। ଅନ୍ୟପକ୍ଷରେ ଚମତ୍କାର ଖେଳ ଜାରି ରଖିଥିବା ଲିଓଲିଆ ଜିନ୍ଜିନ୍ଙ୍କ ଅଭିଯାନକୁ ୨୨୭ ନମ୍ବର ରୋମାନିଆର ଇରିନା କାମେଲିଆ ବେଗୁ ପରାସ୍ତ କରିଛନ୍ତି। ଫ୍ରାନ୍ସର ଅନ୍ୟତମ ଉଦୀୟମାନ ପ୍ରତିଭା ଜିନ୍ଜିନ ପୂର୍ବତନ ଏକ ନମ୍ବର କରୋଲିନା ପ୍ଲିସକୋଭାଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡ୍ ଉଠିଥିଲେ। ୬୩ ମାନ୍ୟତାପ୍ରାପ୍ତ ବେଗୁ ୨୦୧୬ ମସିହା ପରେ ପ୍ରଥମ ଥର ପ୍ରିକ୍ବାର୍ଟର ଉଠିଛନ୍ତି।
ଭାରତୀୟ ଖେଳାଳି ରୋହନ ବୋପାନ୍ନାଙ୍କ ଚମତ୍କାର ଖେଳ ଶନିବାର ରୋଲାଁ ଗ୍ୟାରୋସ୍ରେ ଉଚ୍ଚ ପ୍ରଶଂସିତ ହୋଇଛି। ରୋହନ ଏବଂ ତାଙ୍କ ଡଚ୍ ସାଥି ମାତୱେ ମିଡଲ୍କୁପ୍ ୫ ମ୍ୟାଚ୍ ପଏଣ୍ଟ ବଞ୍ଚାଇବା ସହିତ ପୁରୁଷ ଯୁଗଳ ୱିମ୍ବଲଡନ୍ ବିଜେତା ମାଟ୍ ପାଭିକ୍ ଓ ନିକୋଲ୍ ମେକଟିକ୍ଙ୍କୁ ପରାସ୍ତ କରିଥିଲେ। ଭାରତ-ନେଦରଲାଣ୍ଡ୍ସ ଯୋଡ଼ିଙ୍କ ଭୟଙ୍କର ସର୍ଭ ଓ ଶାଣିତ ଭଲି ତାଙ୍କୁ ୬-୭ (୫), ୭-୬ (୩), ୭-୬ (୧୦)ରେ ବିଜୟୀ କରିଥିଲା। ୨ ଘଣ୍ଟା ୩୨ ମିନିଟ୍ ଧରି ଏହି ଲଢ଼େଇ ଚାଲିବା ପରେ ଫଳାଫଳ ବାହାରିଥିଲା। ଏହି ବିଜୟ ସହ ପ୍ରମୁଖ କ୍ଲେ କୋର୍ଟରେ ବୋପାନ୍ନା ନିଜ ଶ୍ରେଷ୍ଠ ପ୍ରଦର୍ଶନ କରି ପଞ୍ଚମ ଥର କ୍ବାର୍ଟରଫାଇନାଲ୍ ଖେଳିବାକୁ ଯାଉଛନ୍ତି। ସେହିପରି ଦଶମ ମାନ୍ୟତାପ୍ରାପ୍ତ ଯୋଡ଼ି ସାନିଆ ମିର୍ଜା ଓ ତାଙ୍କ ସାଥୀ ଲୁସି ହ୍ରାଦିକା ମହିଳା ଯୁଗଳ ଦ୍ବିତୀୟ ରାଉଣ୍ଡ ଅତିକ୍ରମ କରିଛନ୍ତି। ଏହି ଯୋଡ଼ି ୬-୩ ଓ ୬-୪ ସେଟ୍ରେ କେ ଜୁଭାନ-ଟି ଜିଦାଁସେକ୍ଙ୍କୁ ପରାସ୍ତ କରିଛନ୍ତି।