ଭୁବନେଶ୍ବର: ଉଜବେକିସ୍ତାନ ରଗ୍ବି ସଂଘ ଆନୁକୂଲ୍ୟରେ ତାସକେଣ୍ଟଠାରେ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଖେଳାଯିବାକୁ ଥିବା ୧୮ ବର୍ଷରୁ କମ୍ ଏସୀୟ ରଗ୍ବି ସେଭେନ୍ସ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାରୁ ୩ ଜଣ ଝିଅ ସ୍ଥାନ ପାଇଛନ୍ତି। ଭାରତୀୟ ରଗ୍ବିର ଏନ୍ତୁଡ଼ିଶାଳ ଭାବେ ଉଭା ହୋଇଥିବା କିସ୍ର ଏହି ୩ ଖେଳାଳି ହେଲେ ତାରୁଲତା ନାଏକ, ମାମା ନାୟକ ଏବଂ ନିର୍ମାଲ୍ୟ ରାଉତ। ଭାରତ ସହିତ ଆୟୋଜକ ଉଜ୍ବେକିସ୍ତାନ ସହିତ କାଜାକସ୍ତାନ, କିର୍ଗିଜସ୍ତାନ ଓ ୟୁଏଇ ଏହି ପ୍ରତିଯୋଗିତାରେ ଭାଗନେବେ। ତାରୁଲତା ଓ ମାମା କେନ୍ଦୁଝର ଜିଲ୍ଲାର ଜଡ଼ବାଙ୍କ ଓ ତଭସରୁଆର ବୋଲି ଜଣାପଡ଼ିଛି।
ନିର୍ମାଲ୍ୟ ବରଗଡ଼ ଜିଲ୍ଲା ଭଟିଗାଁରୁ ଆସି କିସ୍ରେ ପଢ଼ି ଖେଳ ଜୀବନ ଗଢ଼ିଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ (ଓର୍ଫା) ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି, କିସ୍ କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ରଗ୍ବି ଇଣ୍ଡିଆ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି। ଏହି ତିନି ଆଦିବାସୀ ସମ୍ପ୍ରଦାୟର ଖେଳାଳି ୨୦୧୭ରେ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ୨୦୧୮ ଜାତୀୟ ଉପକନିଷ୍ଠ ରଗ୍ବି ସେଭେନ୍ସରେ କାଂସ୍ୟ ପଦକ ଜିତିଥିଲେ। ଗତବର୍ଷ ତିନିହେଁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ କିସ୍ରେ ପଢ଼ୁଛନ୍ତି।