ନୂଆଦିଲ୍ଲୀ: କରୋନା ମହାମାରୀ କଟକଣା ଯୋଗୁଁ ପ୍ରାୟ ତିନି ସପ୍ତାହର ବିରତି ପରେ ଅଧିନାୟକ ମନ୍ପ୍ରୀତ୍ ସିଂହ ଏବଂ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେସ୍ଙ୍କ ସମେତ ୩୩ ଜଣିଆ ସମ୍ଭାବ୍ୟ ଦଳ ପୁନର୍ବାର ଜାତୀୟ ଶିବିରକୁ ଫେରିବେ। ଏହି ଶିବିର ବେଙ୍ଗାଲୁରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କ୍ୟାମ୍ପସ୍ରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ତେବେ ଖେଳାଳିମାନେ ପ୍ରଶିକ୍ଷଣ ଆରମ୍ଭ କରିବା ପୂର୍ବରୁ ଉଭୟ ‘ସାଇ’ ଏବଂ ହକି ଇଣ୍ଡିଆର ଏସ୍ଓପି (ଷ୍ଟାଣ୍ଡାର୍ଡ ଅପେରଟିଂ ପ୍ରୋସିଜିଅର୍) ଅନୁଯାୟୀ ବାଧ୍ୟତାମୂଳକ ସଂଗରୋଧରେ ରହିବେ। ଏହି ଶିବିରରେ ୫ ଜଣ ଓଡ଼ିଆ ସାମିଲ ଅଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପ୍ସାନ ତିର୍କି, ନିଲମ୍ ସଞ୍ଜୀବ ଖେସ୍ ଓ ଶିଳାନନ୍ଦ ଲାକ୍ରା।
ଆମେ ଗତବର୍ଷ ଅଗଷ୍ଟରୁ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଶିବିର ଆୟୋଜନ କରିଥିଲୁ। ଏହାପରେ ବିରତି ରହିଥିଲା। ତିନି ସପ୍ତାହର ବିରିତି ପରେ ଖେଳାଳିମାନେ ଉଭୟ ଶାରୀରିକ ଓ ମାନସିକ ଭାବେ ସତେଜ ହୋଇଯାଇଥିବେ ବୋଲି ମୁଁ ଆଶା କରୁଥିବା କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍। ଆମର ପୂର୍ବ ଶିବିରରେ ୟୋ-ୟୋ ପରୀକ୍ଷା ସହିତ ବିଭିନ୍ନ କୌଶଳ ଉପରେ ଜୋର୍ ଦେଇଥିଲୁ। ଏହାକୁ ଆଗେଇ ନେବା ଏବେ ଆମର ମୁଖ୍ୟ ଲକ୍ଷ୍ୟ ରହିବ ଏବଂ ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବୁ।
ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ଚଳିତ ମାସରେ ୮ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଆର୍ଜେଣ୍ଟିନା ଗସ୍ତ କରିବ। ସେହିପରି ପୁରୁଷ ଦଳ ପାଇଁ ଗସ୍ତସୂଚୀ ପ୍ରସ୍ତୁତ କରିବାକୁ ହକି ଇଣ୍ଡିଆ ଇତି ମଧ୍ୟରେ ବିଭିନ୍ନ ରାଷ୍ଟ୍ର ସହ କଥାବାର୍ତା ଚଳାଇଛି। କାରଣ ଭାରତୀୟ ପୁରୁଷ ଦଳ ଶେଷ ଥର ପାଇଁ ଗତବର୍ଷ ଫେବ୍ରୁଆରି ୨୨ ତାରିଖରେ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲା। କରୋନା ମହାମାରୀ ଯୋଗୁଁ ୧୦ ମାସ ହେଲାଣି ଆଉ କୌଣସି ପ୍ରତିଯୋଗିତା ଖେଳିପାରିନାହିଁ।