କନିଷ୍ଠ ହକି ବିଶ୍ବକପ୍‌ ସମ୍ଭାବ୍ୟ ଦଳରେ ୫ ଓଡ଼ିଆ: ସାହିଲ, ଅଭିଷେକ, ସୁଦୀପ, ସୁନିଲ ଓ ସିରିଲ୍‌

ଭୁବନେଶ୍ବର: ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ହକି କନିଷ୍ଠ ପୁରୁଷ ବିଶ୍ବକପ୍‌ ପାଇଁ ଶନିବାର ହକି ଇଣ୍ଡିଆ ଭାରତୀୟ ଦଳ ଘୋଷଣା କରିଛି। ଓଡ଼ିଶା ଆୟୋଜିତ ଏହି ୧୬ ଦଳୀୟ ବିଶ୍ବକପ୍‌ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ବରୁ ଅଂଶଗ୍ରହଣ କରୁଥିବା ବଛାବଛା ୧୬ ଦଳକୁ ୪ଟି ପୁଲ୍‌ରେ ଭାଗ କରାଯାଇଛି।

ବିଶ୍ବକପ୍‌ ପାଇଁ ପାଖାପାଖି ୩୫ ଖେଳାଳିଙ୍କୁ ନେଇ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଜୈବ ବଳୟ ମଧ୍ୟରେ ଭାରତର ପ୍ରସ୍ତୁତି ଶିବିର ଆୟୋଜିତ ହୋଇଥିଲା। ଶିବିରରୁ ଶନିବାର ସମ୍ଭାବ୍ୟ ୨୪ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ୫ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ମୋଟ ୭ ଜଣ ଓଡ଼ିଆ ଶିବିରରେ ସାମିଲ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସମ୍ଭାବ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ଗୋଲ୍‌ରକ୍ଷକ ସାହିଲ କୁମାର ନାୟକଙ୍କ ସହିତ ଅଭିଷେକ ଲାକ୍ରା, ସୁଦୀପ ଚିର୍ମାକୋ, ସୁନିଲ ଜୋଜୋ ଓ ସିରିଲ ଲୁଗୁନ ସମ୍ଭାବ୍ୟ ଦଳରେ ସ୍ଥାନ ସୁରକ୍ଷିତ କରିନେଇଥିଲା ବେଳେ ଶିବିରରେ ଥିବା ନବୀନ କୁଜୁର ଓ ଗ୍ରିଗୋରି ଖେସ୍‌ ବାଦ୍‌ ପଡ଼ିଛନ୍ତି। ଏବେ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରସ୍ତୁତି କରିପାରିବେ। ଆସନ୍ତାକାଲି ଖେଳାଳିମାନେ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ୍‌ ରିଡ୍‌ ଏବଂ ପ୍ରଶିକ୍ଷକ ବିଜେ କାରିଆପ୍ପାଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି।

ବିଶ୍ବକପ୍‌ ଆୟୋଜକ ତଥା ଗତ ସଂସ୍କରଣର ବିଜେତା ଭାରତ ପୁଲ୍‌-ବି’ରେ କାନାଡା, ଫ୍ରାନ୍‌ସ ଏବଂ ପୋଲାଣ୍ଡ୍‌ ସହ ସ୍ଥାନ ପାଇଛି। ସେହିପରି ପୁଲ୍‌-ଏ’ରେ ବେଲ୍‌ଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ଚିଲି, ପୁଲ୍‌-ସି’ରେ ନେଦରଲାଣ୍ଡ୍‌ସ, ସ୍ପେନ୍‌, କୋରିଆ ଓ ଆମେରିକା ଏବଂ ପୁଲ୍‌-ଡି’ରେ ଜର୍ମାନି, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି।
୨୪ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ: ପୱନ, ପ୍ରଶାନ୍ତ କୁମାର ଚୌହାନ, ସାହିଲ କୁମାର ନାୟକ, ସଞ୍ଜୟ, ୟାଶ୍‌ଦୀପ ସିୱାଚ, ସାରଦାନନ୍ଦ ତିୱାରୀ, ଅଭିଷେକ ଲାକ୍ରା, ମନ୍‌ଜିତ୍‌, ଦିନଚନ୍ଦ୍ର ସିଂହ ମୋଇରାଙ୍ଗ୍‌ଥେମ୍‌, ସୁନିଲ ଜୋଜୋ, ସିରିଲ ଲୁଗୁନ, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ର ସିଂହ ମୋଇରାଙ୍ଗ୍‌ଥେମ୍‌, ବିଷ୍ଣୁକାନ୍ତ ସିଂହ, ଗୁର୍‌ମୁଖ ସିଂହ, ଅଙ୍କିତ ପାଲ୍‌, ମାରେଶ୍ବରନ ଶକ୍ତିଭେଲ୍‌, ଉତ୍ତମ ସିଂହ, ମନିନ୍ଦର ସିଂହ, ଅରୈଜିତ ସିଂହ ହୁଣ୍ଡାଲ, ସୁଦୀପ ଚିର୍ମାକୋ, ରାହୁଲ କୁମାର ରାଜ୍‌ଭର, ବବି ସିଂହ ଧାମି, ପ୍ରଭ୍‌ଜ୍ୟୋତ୍‌ ସିଂହ।

ସମ୍ବନ୍ଧିତ ଖବର