ବିନା ଦର୍ଶକରେ କ୍ରିକେଟ୍‌ ଖେଳିବାର ସମ୍ଭାବନା ରହିଛି: କୋହଲି

ନୂଆଦିଲ୍ଲୀ: କୋଭିଡ୍‌-୧୯ର ପ୍ରକୋପ ଥମିଯିବା ପରେ ଯେତେବେଳେ କ୍ରୀଡ଼ାର ପୁନଃପ୍ରଚଳନ ହେବ ସେତେବେଳେ ଯେ ପ୍ରଶଂସକ ପଡ଼ିଆରେ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ ତାହା ମଧ୍ୟ ନିଶ୍ଚିତ ନୁହେଁ। ତେଣୁ କରୋନା ସ୍ଥିତି ବଦଳିଯିବା ପରେ ଫାଙ୍କା ଷ୍ଟାଡିୟମ୍‌ରେ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଶଙ୍କା ବ୍ୟକ୍ତ କରିଛନ୍ତି। କେବଳ କ୍ରିକେଟ୍‌ କାହିଁକି ସାରା ବିଶ୍ବରେ କୌଣସି ବି କ୍ରୀଡ଼ା ବେଳେ ଷ୍ଟାଡିୟମ୍‌ ଫାଙ୍କା ରହିବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ବୋଲି କୋହଲି କହିଛନ୍ତି। ହେଲେ ଦର୍ଶକ ବା ପ୍ରଶଂସକଙ୍କ ବିନା ଖେଳରେ ମନୋରଞ୍ଜନ ସୃଷ୍ଟି କରିବା କଷ୍ଟକର ହେବ ବୋଲି ସେ ମତ ରଖିଛନ୍ତି। ତେଣୁ ଆଗାମୀ ଭବିଷ୍ୟତରେ ଦର୍ଶକଙ୍କ ବିନା ଏବଂ କ୍ରିକେଟ୍‌ ଷ୍ଟାଡିୟମ୍‌ର ପରିବେଶକୁ ଦେଖି ଖେଳାଳିମାନେ ଯେ କିପରି ପ୍ରତିକ୍ରିୟା ବ୍ୟକ୍ତ କରିବେ ତାହା ସେ ଜାଣନ୍ତିନାହିଁ ବୋଲି କୋହଲି କହିଛନ୍ତି।

କରୋନା ମହାମାରୀ କ୍ରୀଡ଼ା ଦୁନିଆକୁ ଅତି ମାତ୍ରାରେ ପ୍ରଭାବିତ କରିଛି। ସାରା ବିଶ୍ବ ଏବେ କ୍ରୀଡ଼ାଠୁ ଦୂରେଇ ରହିଛି। ତଥାପି କେତେକ ଦେଶ ଏବେ ବିନା ଦର୍ଶକ ଓ ଫାଙ୍କା ଷ୍ଟାଡିୟମ୍‌ରେ ଖେଳ ଆରମ୍ଭ କରିବାର ବାଟ ଖୋଜୁଥିଲା ବେଳେ ଏହା କେତେଦୂର ଗ୍ରହଣୀୟ ହେବ ସେ ନେଇ ଆଲୋଚନା ଚାଲୁରହିଛି। କିନ୍ତୁ ସାଂପ୍ରତିକ କରୋନା ମହାମାରୀ ସମୟରେ ମେ’ ୧୭ ତାରିଖରୁ ପ୍ରଥମ ବୃହତ୍‌ ୟୁରୋପୀୟ ଲିଗ୍‌ ବୁନ୍ଦେସ୍‌ଲିଗା (ଜର୍ମାନି) ପୁନଃଆରମ୍ଭ ହେବାର କ୍ଷେତ୍ର ପ୍ରସ୍ତୁତ କରିସାରିଲାଣି। ଏହି ଲିଗ୍‌ ବିନା ଦର୍ଶକ ଓ ଫାଙ୍କା ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି କୁହାଯାଇଛି। ସେଭଳି ଏକ ପ୍ରୟାସ କ୍ରୀଡ଼ାବିତ୍‌ଙ୍କ ତୀବ୍ରତା ଉପରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି କୋହଲି କହିଛନ୍ତି। ଏହା ସଂପୂର୍ଣ୍ଣ ଏକ ସମ୍ଭାବ୍ୟ ପରିସ୍ଥିତି। ଏହା ବି ହେବା ଊଚିତ। ମୁଁ ନମ୍ରତାର ସହ କହିବାକୁ ଚାହେଁ, ଯେହେତୁ ଆମେ ସବୁ ଅଧିକାଂଶ ଉତ୍ସୁକ ପ୍ରଶଂସକଙ୍କ ସମ୍ମୁଖରେ ଖେଳିଥାଉ ସେହି କାରଣରୁ ଫାଙ୍କା ଷ୍ଟାଡିୟମ୍‌ରେ ଖେଳିବାକୁ କିଏ କିପରି ଦୃଷ୍ଟିରେ ଦେଖିବେ ତାହା ଜାଣିନି। ହେଲେ ଭଲ ତୀବ୍ରତାରେ ଏହା ଖେଳାଯାଇପାରିବ ବୋଲି ମୁଁ ଜାଣିଛି। କିନ୍ତୁ ଖେଳାଳିମାନଙ୍କ ସହ ଦର୍ଶକଙ୍କ ଭାବ‌ାବେଗର ସଂପୃକ୍ତି ଏବଂ ମ୍ୟାଚ୍‌ର ଉତ୍କଣ୍ଠା ବେଳେ ସମସ୍ତଙ୍କ ଅନୁଭବ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବନି। ସେସବୁ ଭାବପ୍ରବଣତା ସୃଷ୍ଟି କରିବା ଫାଙ୍କା ଷ୍ଟାଡିୟମ୍‌ରେ ଅତ୍ୟନ୍ତ କଷ୍ଟକର ବୋଲି କୋହଲି କହିଛନ୍ତି। ତେବେ ଯେପରି ଭାବେ ଖେଳର ବ୍ୟବସ୍ଥା କରାଯିବ ଆମେ ସେହିପରି ଖେଳିବା। କିନ୍ତୁ ଆଗପରି ଉତ୍କଣ୍ଠାପୂର୍ଣ୍ଣ ତଥା ଯାଦୁଗରୀ ମୁହୂର୍ତ୍ତ ଷ୍ଟାଡିୟମ୍‌ରେ ‌ଦେଖିବାକୁ ମିଳିବା ସମୟ ଏବେ ଆସିବା ସମ୍ଭବ ନୁହେଁ ବୋଲି ଷ୍ଟାର୍‌ ସ୍ପୋର୍ଟସ୍‌ର ‘କ୍ରିକେଟ୍‌ କନେକ୍ଟେଡ୍‌’ ସୋ ଅବସରରେ କୋହଲି କହିଛନ୍ତି।

ଦର୍ଶକଙ୍କ ବିନା କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ନେଇ ଏବେ ଖେଳାଳିମାନେ ପ୍ରାୟତଃ ଫାଳାଫାଳ ହୋଇଗଲେଣି। ଯେପରିକି ଦର୍ଶକଙ୍କ ବିନା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ହେଉ ବା ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରିବା ଅଜବ ସଦୃଶ ବୋଲି ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ କହିଥିଲା ବେଳେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମା କହିଛନ୍ତି, ବନ୍ଦ ଦ୍ବାରା ପଛପଟେ ସେ ଆଇପିଏଲ୍‌ ଖେଳିବାକୁ ପ୍ରସ୍ତୁତ ବୋଲି ମନ୍ତବ୍ୟ ରଖିଛନ୍ତି। ହେଲେ ଏବେ ସବୁକିଛି କରୋନା ମହାମାରୀ ସ୍ଥିତି ଉପରେ ନିର୍ଭର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର