ରୋହିତ ଅଷ୍ଟ୍ରେଲିଆ ଗଲେ ପୁଣି ଆହତ ହେବାର ବିପଦ ରହିଛି: ଶାସ୍ତ୍ରୀ

ମୁମ୍ବାଇ: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଫିଟନେସ୍‌କୁ ନେଇ ଲାଗି ରହିଥିବା ରହସ୍ୟ ଉପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ରବିବାର ମହତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ‘‘ପ୍ରଶଂସକଙ୍କ ଦାବି ମୁତାବକ ରୋହିତ ଯଦି ଅଷ୍ଟ୍ରେଲିଆ ଯାଆନ୍ତି, ତାହାଲେ ସେ ପୁନର୍ବାର ଆହତ ହେବାର ବିପଦ ରହିଛି। ଏକଥା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି। ଡାକ୍ତରଙ୍କ ରିପୋର୍ଟକୁ ଦେଖିବା ପରେ ଯାଇ ଚୟନକର୍ତ୍ତା ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦେଇଥିଲେ। ଏହି ମାମଲା ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅଧିକାରୀମାନେ ଦେଖୁଛନ୍ତି। ଆମର ଏଥିରେ କୌଣସି ଭୂମିକା ନାହିଁ। ସେମାନେ ଚୟନକର୍ତ୍ତାଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ଚୟନକର୍ତ୍ତା ତଦନୁଯାୟୀ ନିଷ୍ପତ୍ତି ନେଲେ’’ ବୋଲି ରବିବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଶାସ୍ତ୍ରୀ କହିଛନ୍ତି। ସେହିଭଳି ସଂପୂର୍ଣ୍ଣ ସୁସ୍ଥ ନଥିଲେ ଅଷ୍ଟ୍ରେଲିଆର ଆହ୍ବାନପୂର୍ଣ୍ଣ ଓ ଲମ୍ବା ଗସ୍ତରେ ନଯିବାକୁ ରୋହିତଙ୍କୁ ଶାସ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ସେ ନିଜ ଉଦାହରଣ ମଧ୍ୟ ଦେଇଛନ୍ତି।

‘‘ଜଣେ କ୍ରିକେଟର ଭାବେ ମୁଁ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇସାରିଛି। ମୋ ଖେଳ ଜୀବନ ୧୯୯୧ ମସିହାରେ ଶେଷ ହୋଇଯାଇଥିଲା। ପଛକଥାକୁ ଭାବିଲା ବେଳେ ମୋର ମନେ ହୁଏ ଯେ ଅଷ୍ଟ୍ରେଲିଆ ଗସ୍ତରେ ନଯାଇ ମୁଁ ଯଦି ୩-୪ ମାସର ବିଶ୍ରାମ ନେଇଥା’ନ୍ତି, ତାହାଲେ ହୁଏତ ଭାରତ ପାଇଁ ଆଉ ପାଞ୍ଚ ବର୍ଷ ଖେଳିପାରିଥା’ନ୍ତି। ଅଷ୍ଟ୍ରେଲିଆ ନଯାଇପାରିଥିବାରୁ ଅନେକ ସମୟରେ ପଶ୍ଚାତାପ କରେ। ମୋ ବ୍ୟକ୍ତିଗତ ଅଭିଜ୍ଞତାରୁ କହୁଛି, ମୁଁ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଚାହୁଁଥିଲି, ଡାକ୍ତରମାନେ କିନ୍ତୁ ପରାମର୍ଶ ଦେଇଥିଲେ, ଆଦୌ ଯାଅନି। ମୁଁ ଚମତ୍କାର ଫର୍ମରେ ଥିଲି। ଏଣୁ ସେଠାକୁ ଯିବାର ଆଗ୍ରହ ବହୁ ଗୁଣ ବଢ଼ି ଯାଇଥିଲା। ଯାହାର ପ୍ରତିକୂଳ ପ୍ରଭାବ ମୁଁ ପରେ ବୁଝିଥିଲି। ରୋହିତଙ୍କ ଆଘାତ ଜନିତ ସମସ୍ୟା ସେତେଟା ଗୁରୁତର ନୁହେଁ ବୋଲି ମୁଁ ଆଶା କରୁଛି, ସମାନ କଥା ଈଶାନ୍ତ ଶର୍ମାଙ୍କ ଲାଗି ମଧ୍ୟ କହିବି। ଉଭୟ ଈଶାନ୍ତ ଓ ରୋହିତଙ୍କ ଅନୁପସ୍ଥିତିକୁ ଆମେ ଅଷ୍ଟ୍ରେଲିଆରେ ଅନୁଭବ କରିବୁ। ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଆମେ ଏହି ଦୁଇ ତାରକାଙ୍କ ସେବାରୁ ବଞ୍ଚିତ ହୋଇଥିଲୁ। ଗତ ଅଷ୍ଟ୍ରେଲିଆ ଗସ୍ତରେ ଆମ ଐତିହାସିକ ବିଜୟରେ ଈଶାନ୍ତ ହିଁ ନିର୍ଣ୍ଣାୟକ ଭୂମିକା‌ ତୁଲାଇଥିଲେ।

ଗତବର୍ଷର ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ରୋହିତ ମଧ୍ୟ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଖେଳାଳି ପାଇଁ ଆହତ ହେବାଠାରୁ ହତାଶାର କଥା ଆଉ କିଛି ନୁହେଁ’’ ବୋଲି ଶାସ୍ତ୍ରୀ ମତ ଦେଇଥିଲେ। ବ୍ୟକ୍ତିଗତ ଭାବେ ଆଗ୍ରହୀ ଥିଲେ ମଧ୍ୟ ଶତ ପ୍ରତିଶତ ଫିଟ୍ ନଥିଲେ, ପଡ଼ିଆକୁ ଓହ୍ଲାଇ ବିପଦକୁ ଡାକିବା ବିଜ୍ଞତାର ପରିଚୟ ନୁହେଁ ବୋଲି ମଧ୍ୟ ଅଷ୍ଟ୍ରେଲିଆରେ ୧୯୮୫ରେ ଖେଳାଯାଇଥିବା ବେନସନ୍ ଆଣ୍ଡ ହେଜେସ୍ ବିଶ୍ବ ଚାମ୍ପିଅନସିପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିବା ଶାସ୍ତ୍ରୀ ଚେତାବନୀ ଦେଇଥିଲେ। ଏହି ବିଷୟରେ ନିଜ ମତ ରଖି ସେ କହିଛନ୍ତି ଯେ କେବେ କେବେ ଖେଳାଳି ଚାହେଁ ସେ ପଡ଼ିଆକୁ ଯାଇ ଖେଳୁ। ତେବେ ସେ ଏକଥା ମଧ୍ୟ ଜାଣିବା‌ ଉଚିତ ଯେ ସେ ଶତ ପ୍ରତିଶତ ସୁସ୍ଥ ଅଛି ନା ନାହିଁ। ସେପଟେ ରୋହିତ ନେଟ୍ସରେ କଠିନ ଅଭ୍ୟାସ କରୁଥିବାର ଭିଡିଓ ମୁମ୍ବାଇ ଇଣ୍ଡିଆନ୍ସ ପୁନର୍ବାର ଛା‌ଡ଼ିଛି। ଫଳରେ ମୁମ୍ବାଇର ପ୍ଲେ ଅଫ୍ ମ୍ୟାଚ୍‌କୁ ରୋହିତ ଫେରିବାର ଆଶା ସଂଚାର ହୋଇଛି। ପ୍ଲେ ଅଫ୍ ଏକ ଛୋଟିଆ (ଅବଧି ଦୃଷ୍ଟିରୁ) ପ୍ରତିଯୋଗିତା‌, ଯାହାକୁ ଆମକୁ ଅତିକ୍ରମ କରିବାକୁ ପଡ଼ିବ ବୋଲି ରବିବାର ପ୍ରକାଶ କରିଥିବା ଏକ ଭିଡିଓ ବାର୍ତ୍ତାରେ ରୋହିତ କହିଛନ୍ତି।

ସମ୍ବନ୍ଧିତ ଖବର