ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୨୮ ତାରିଖ ପର୍ଯ୍ୟନ୍ତ ଏସିଆ କପ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ୟୁଏଇର ଦୁବାଇ ଓ ଆବୁଧାବିରେ ଖେଳାଯିବ। ଏହାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ଦଳ ଭାରତ ଓ ପାକିସ୍ତାନ। ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ଭାରତ ଏହାର ଜବାବ ପାକିସ୍ତାନକୁ ଦେଇଥିଲା। ଅପରେସନ୍‌ ସିନ୍ଦୂର ନାମ‌ରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ଏହାପରଠୁ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ। ନିକଟରେ ଶେଷ ହୋଇଥିବା ବିଶ୍ବ ଲିଜେଣ୍ଡ୍ସ ଲିଗ୍‌ ପ୍ରତିଯୋଗିତାରେ ଉଭୟ ଦଳ ଅଂଶଗ୍ରହଣ କରିଥିଲେ। ହେଲେ ଭାରତୀୟ ଖେଳାଳି ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେବାରୁ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ବାତିଲ ହୋଇଥିଲା। ଏହାପରେ ଉଭୟ ଦଳ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବାର ସୂଚୀ ଚୂଡ଼ାନ୍ତ ହେଲା। ଭାରତୀୟ ଲିଜେଣ୍ଡ୍‌ସ ‘ଦେଶ ଆଗ’ କହି ଏହି ମ୍ୟାଚ୍‌ ମଧ୍ୟ ଖେଳିଲେନି। ଫଳରେ ପାକିସ୍ତାନ ସହଜରେ ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲା। ଭାରତରେ ଆୟୋଜିତ ଏସିଆ କପ୍‌ ହକିରେ ପାକିସ୍ତାନ ସୁରକ୍ଷା କାରଣ ଦର୍ଶାଇ ଓହରିଯାଇଛି। ଏସବୁ ଭିତରେ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍‌ କ୍ରିକେଟ୍‌ କପ୍‌ରେ ଉଭୟ ଦଳ ଖେଳିବା ନେଇ ସନ୍ଦେହ ଉପୁଜିଛି। ଏମିରେଟ୍ସ କ୍ରିକେଟ୍‌ ବୋର୍ଡ ସିଓଓ ସୁଭାନ ଅହମଦ କହିଛନ୍ତି, ଏସିଆ କପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବା ନେଇ ମୁଁ ଗ୍ୟାରେଣ୍ଟି ଦେଇପାରୁନି। ବିଶ୍ବ ଲିଜେଣ୍ଡ୍‌ସ ଲିଗ୍‌ ପରି ଏସିଆ କପ୍‌ ଘରୋଇ ପ୍ରତିଯୋଗିତା ନୁହେଁ, ତେଣୁ ଉଭୟ ଦେଶ ଖେଳିବା ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଦୁବାଇରେ ଭାରତ ସେପ୍ଟେମ୍ବର ୧୦ ଓ ୧୪ ତାରିଖରେ ଯଥାକ୍ରମେ ୟୁଏଇ ଓ ପାକିସ୍ତାନକୁ ଭେଟିବା ସୂଚୀ ରହିଛି। ପାକିସ୍ତାନ ଖେଳିବା ସ୍ଥିର ହେଲେ ଏହି ପ୍ରତିଯୋଗିତାରେ ଉଭୟ ଦେଶ ୩ ଥର ମୁକାବିଲା କରିବା ସମ୍ଭାବନା ବି ରହିଛି।