ଆଇପିଏଲ୍‌ ଅଣଦେଖା ପାଇଁ ଅହଂଭାବ ଆସିନି: ପୂଜାରା

ନୂଆଦିଲ୍ଲୀ: ଆଇପିଏଲ୍‌ର ଖେଳାଳି ନିଲାମ ସବୁବେଳେ କିଛି ଆଗଧାଡ଼ିର କ୍ରିକେଟରଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ଆଣି ଦେଇଥାଏ। ବିଶେଷ କରି ଯେଉଁମାନେ ଅଣବିକ୍ରି ତଥା ଅଲୋଡ଼ା ରହିଯାଆନ୍ତି ସେମାନେ ନିଜକୁ ଗୌଣ ମନେ କରନ୍ତି। ଭାରତୀୟ କ୍ରିକେଟ୍‌ର ଅନ୍ୟତମ ତାରକା ବ୍ୟାଟ୍ସମ୍ୟାନ୍‌ ଚେତେଶ୍ବର ପୂଜାରା ସେଭଳି ଜଣେ ଖେଳାଳି ଯିଏ ଅଧିକାଂଶ ଥର ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ କେବେ ବି ନିଜ ଭିତରେ ବ୍ୟର୍ଥତା କି ଅହଂଭାବ ଆସିନଥାଏ ବୋଲି ପ୍ରକାଶ କରିଛନ୍ତି ଏହି ‌ଟେଷ୍ଟ୍ କ୍ରିକେଟ୍‌ ସ୍ପେଶାଲିଷ୍ଟ୍‌। ପାଖାପାଖି ୧୧୦ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରୁଥିଲେ ମଧ୍ୟ ପୂଜାରାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କେବେ ବିଚାରକୁ ନେଇନାହାନ୍ତି। ୨୦୧୮-୧୯ରେ ଭାରତକୁ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ଦେବାରେ ପୂଜାରାଙ୍କ ଭୂମିକା ପ୍ରମୁଖ ରହିଥିଲା। କିନ୍ତୁ ଆଇପିଏଲ୍‌ ଖେଳିବାର ସୁଯୋଗ ନପାଇବା ତାଙ୍କୁ କେବେ ବାଧିନାହିଁ କି ବିରକ୍ତ କରିନାହିଁ ବୋଲି ପୂଜାରା ପ୍ରକାଶ କରିଛନ୍ତି।

‘ଜଣେ କ୍ରିକେଟର୍ ଭାବେ ମୋର ସେଭଳି ମତାମତ ନାହିଁ। ଆଇପିଏଲ୍‌ ଖେଳାଳି ନିଲାମ ବେଳେ ମୋ ଭିତରେ ସେଭଳି ଅହଂଭାବ ଆସେ ନାହିଁ, କାରଣ ଜାଣିଛି ଏହା ସବୁବେଳେ ଅଡୁଆ ପରିସ୍ଥିତି ଆଣିଥାଏ। ମୁଁ ଦେଖିଛି ବିଶ୍ବସ୍ତରୀୟ ଖେଳାଳି ହାସିମ୍ ଆମଲା ମଧ୍ୟ ଅଣବିକ୍ରି ରହିଥିଲେ। ଅନେକ ଭଲ ଟି-୨୦ ଖେଳାଳି ମଧ୍ୟ ନିଲାମରୁ ବଞ୍ଚିତ ହୁଅନ୍ତି। ତେଣୁ ମୁଁ ମନୋନୀତ ହେଲି ନାହିଁ ବୋଲି ନିଜ ଭିତରେ କିଛି ଭାବନା ଆସେନାହିଁ। ମୁଁ ଜଣେ ଟେଷ୍ଟ୍ ଖେଳାଳି ବୋଲି ଧାରଣା ରଖାଯାଇଛି, ଏହା ବାଦ୍‌ ମୁଁ କିଛି କରିପାରିବି ନାହିଁ ବୋଲି ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ୫୦୦ରୁ ଊର୍ଧ୍ବ ରନ୍‌ କରି ଭାରତକୁ ୨-୧ରେ ଶୃଙ୍ଖଳା ବିଜୟ ଦେଇଥିବା ପୂଜାରା ପ୍ରକାଶ କରିଥିଲେ। ମୁଁ ସବୁବେଳେ କହି ଆସିଛି ସୁଯୋଗ ମିଳିଲେ ଧଳା ବଲ୍‌ରେ ଭଲ ବୋଲି ନିଜକୁ ପ୍ରମାଣିତ କରିପାରିବି। ଲିଷ୍ଟ୍‌ ‘ଏ’ (ହାରାହାରି ୫୪), ଘରୋଇ ଟି-୨୦ (ମୁସ୍ତାକ ଅଲୀରେ ଶତକ) ଏବଂ ଇଂଲଣ୍ଡ ଲିଷ୍ଟ୍ ‘ଏ’ରେ ବି ମୁଁ ଭଲ କରିଛି। ପ୍ରଦର୍ଶନ ଏକମାତ୍ର କଥା ଯାହା ମୋ ନିୟନ୍ତ୍ରଣରେ ରହିଛି ଓ ଏହା କରିପାରିବି। ସମସ୍ତ ଫର୍ମାଟ୍‌ରେ ଖେଳିବାକୁ ସୁଯୋଗ ପାଇଲେ ଖୁସି ହୁଅନ୍ତି। କ୍ରିକେଟ୍‌ ଖେଳ ଜାରି ରଖିଥିବା ପର୍ଯ୍ୟନ୍ତ ମୁଁ ଏହାର ଛାତ୍ର ହୋଇ ରହିଛି ଏବଂ ଶିଖି ଚାଲିଥିବି। ସୁଯୋଗ ମିଳିଲେ ହିଁ ମୁଁ ମୋ ପ୍ରତି ଥିବା ଧାରଣାକୁ ବଦଳାଇ ଦେଇପାରିବି ବୋଲି ଏହି ରାଜକୋଟ୍ ତାରକା ପ୍ରକାଶ କରିଥିଲେ। ଭାରତ ପାଇଁ ଏହି ୩୨ ବର୍ଷୀୟ ସୌରାଷ୍ଟ୍ର ବ୍ୟାଟସମ୍ୟାନ୍‌ ୭୭ ଟେଷ୍ଟ୍‌ ଖେଳି ୧୮ ଶତକ ସହିତ ୫୮୪୦ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର