ସଙ୍କୁଚିତ କ୍ରିକେଟ୍ ଜୀବନ ପାଇଁ ଧୋନିଙ୍କୁ ଦାୟୀ କଲେନି ପାର୍ଥିବ

ଧୋନି ଯୁଗରେ ଜନ୍ମ ହେବା ନେଇ ଅନୁତାପ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକଙ୍କ ମଧ୍ୟରୁ ମହେନ୍ଦ୍ର ସିଂହ ଧୋନି ଅନ୍ୟତମ। ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଓ ଶ୍ରେଷ୍ଠ ଫିନିସର ଭାବେ ପରିଚିତ ଧୋନିଙ୍କର ୱିକେଟ୍ ରକ୍ଷଣରେ ମଧ୍ୟ ଢେର ଦକ୍ଷତା ଥିଲା। ୱିକେଟ୍ ରକ୍ଷଣର ଅଣପାରମ୍ପରିକ ଶୈଳୀରେ ମଧ୍ୟ ସେ ପ୍ରତିପକ୍ଷକୁ ଘାଇଲା କରିବାରେ ପୂରା ଓସ୍ତାଦ ଥିଲେ। ହେଲେ ଭାରତୀୟ କ୍ରିକେଟ୍ ଦଳରେ ଧୋନିଙ୍କ ଲମ୍ବା ପାଳି ପାଇଁ ଅନେକ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନଙ୍କ କ୍ରିକେଟ୍ ଜୀବନ ସଙ୍କୁଚିତ ହୋଇଯାଇଥିଲା। ସେମାନେ ଭାରତୀୟ ଦଳରେ ଯେତିକି ବର୍ଷ ଖେଳିବା କଥା ସେତିକି ଖେଳି ପାରି ନଥିଲେ। ଏହିଭଳି ଜଣେ କ୍ରିକେଟର ହେଲେ ଗୁଜରାଟର ପାର୍ଥିବ ପଟେଲ। ହେଲେ ପାର୍ଥିବ ନିଜ ଖେଳ ଜୀବନରେ ପାଇଥିବା ସୀମିତ ସୁଯୋଗ ପାଇଁ ଧୋନିଙ୍କୁ ଦାୟୀ କରି ନାହାନ୍ତି। ଧୋନିଙ୍କ ଯୁଗରେ ଜନ୍ମ ଗ୍ରହଣ କରିବାକୁ ସେ ମଧ୍ୟ ଏକ ଅଭିଶାପ ଭାବେ ଦେଖିବାକୁ ମନା କରି ଦେଇଛନ୍ତି। ‘୧୦୦ ତାରକା ୧୦୦ ଘଣ୍ଟା’ ନାମକ ଅନଲାଇନ୍ ଆଲୋଚନା ଧର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାର୍ଥିବ କହିଛନ୍ତି ଯେ ଧୋନିଙ୍କ ଯୁଗରେ ଖେଳିଥିବାରୁ ମୁଁ ନିଜକୁ ହତଭାଗ୍ୟ ମଣୁନାହିଁ। ଧୋନିଙ୍କ ପୂର୍ବରୁ ମୁଁ ମୋ ଖେଳ ଜୀବନ ଆରମ୍ଭ କରିଥିଲି।

ଗୋଟିଏ ଦୁଇଟି ଶୃଙ୍ଖଳାରେ ମୁଁ ଭଲ ଖେଳି ନଥିଲି ଏବଂ ସେଥିପାଇଁ ଦଳରୁ ବାଦ୍ ପଡ଼ିଥିଲି। ମୁଁ ଜାଣିଛି କେବଳ ସମବେଦନା ସାଉଣ୍ଟିବା ଲାଗି ଲୋକମାନେ କହି ପାରନ୍ତି ଯେ ମୁଁ ଏକ ଖରାପ ଯୁଗରେ ଜନ୍ମଗ୍ରହଣ କରିଥିଲି। ହେଲେ ବ୍ୟକ୍ତିଗତ ଭାବେ ମୁଁ ଏଥିରେ ବିଶ୍ବାସ କରେ ନାହିଁ। ଧୋନିଙ୍କୁ କିନ୍ତୁ ପ୍ରଶଂସା କରିଛନ୍ତି ପାର୍ଥିବ। ‘‘ଧୋନିଙ୍କୁ ମିଳିଥିବା ସୁଯୋଗର ସେ ଭରପୁର ଫାଇଦା ଉଠାଇଥିଲେ। ସେଥିପାଇଁ ଭାରତୀୟ କ୍ରି‌କେଟ୍ ଲାଗି ଏତେ ସଫଳତା ଅର୍ଜନ କରିପାରିଥିଲେ। ଧୋନି ଯାହା ହାସଲ କରିଛନ୍ତି, ତାହା ନିଶ୍ଚିତ ଭାବେ ସ୍ବତନ୍ତ୍ର। ଏହା କେବଳ ସେ ସୁଯୋଗର ସଦୁପଯୋଗ କରି ପାଇଛନ୍ତି।’’ ବୋଲି ପର୍ଥିବ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର