ମୁମ୍ବାଇ: କୋଭିଡ୍-୧୯ ସଙ୍କଟ ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍-୨୦୨୧ର ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ୟୁଏଇରେ ଆୟୋଜିତ ହୋଇପାରେ। ଏଭଳି ସଙ୍କେତ ଦେଇଛି ବିସିସିଆଇ। ୬୦ ମ୍ୟାଚ୍ ବିଶିଷ୍ଟ ଆଇପିଏଲ୍ର ୨୯ ମ୍ୟାଚ୍ ଭାରତରେ ଖେଳ ସରିଥିଲା ବେଳେ ଅବଶିଷ୍ଟ ୩୧ ମ୍ୟାଚ୍ ପାଇଁ ୟୁଏଇକୁ ହିଁ ବିସିସିଆଇ ଶ୍ରେଷ୍ଠ ବିକଳ୍ପ ଭାବେ ଦେଖୁଛି। ଏହାକୁ କିଭଳି ଓ କେମିତି ନିର୍ବିବାଦୀୟ ଏବଂ ସୁରକ୍ଷିତ ଭାବେ ଆୟୋଜନ କରାଯିବ, ସେ ନେଇ ମାସନ ମନ୍ଥନ ଚାଲିଛି। ଆସନ୍ତା ଶନିବାର ବସିବାକୁ ଥିବା ବୋର୍ଡର ଜରୁରୀକାଳୀନ ସାଧାରଣ ବୈଠକ ପରେ ଏଥିନେଇ ଆନୁଷ୍ଠାନିକ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଦ୍ବିତୀୟ ପର୍ଯ୍ୟାୟ ଲାଗି ବିସିସିଆଇ ସେପ୍ଟେମ୍ବର-ଅକ୍ଟୋବରରେ ଥିବା ଝରକା ଉପରେ ନଜର ପକାଇଛି। କାରଣ ଭାରତୀୟ କ୍ରିକେଟ୍ ଦଳ ଜୁନ୍ ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ପରେ ଇଂଲଣ୍ଡ ବିପକ୍ଷରେ ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୪ ଭିତରେ ୫ ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବ।
ଏହା ପରେ ଅକ୍ଟୋବର ତୃତୀୟ ସପ୍ତାହରୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବ। ଇଂଲଣ୍ଡରୁ ଟିମ୍ ଇଣ୍ଡିଆ ଫେରିବା ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ଭିତରେ ଥିବା ପାଖାପାଖି ୩୦ ଦିନର ସମୟରେ ଚଳିତବର୍ଷର ଆଇପିଏଲ୍ ଶେଷ କରିବାକୁ ବିସିସିଆଇ ଯୋଜନା କରିଛି। ଏଥିପାଇଁ ଇଂଲଣ୍ଡ ଶୃଙ୍ଖଳାକୁ ଅଗଷ୍ଟ ୪ ପରିବର୍ତ୍ତେ ଆଗୁଆ ଆରମ୍ଭ କରିବା କିମ୍ବା ଦ୍ବିତୀୟ ଓ ତୃତୀୟ ଟେଷ୍ଟ୍ ମଧ୍ୟରେ ଥିବା ୯ ଦିନର ବ୍ୟବଧାନକୁ କମାଇବାକୁ ବିସିସିଆଇ ସେଠାକାର କ୍ରିକେଟ୍ ବୋର୍ଡକୁ ଅନୁରୋଧ କରିବାକୁ ଚିନ୍ତା କରୁଛି। ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଶନିବାର ହିଁ ନିଆଯିବ। ଇଂଲଣ୍ଡ ବିପକ୍ଷ ତୃତୀୟ ଓ ଚତୁର୍ଥ ଟେଷ୍ଟ ଭିତରେ ଥିବା ବ୍ୟବଧାନକୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୪ ଦିନକୁ କମାଇ ଦେଲେ ବିସିସିଆଇକୁ ୩୫ ଦିନ ମିଳିଯିବ। ଯଦି ଇଂଲଣ୍ଡ ଶୃଙ୍ଖଳାକୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଶେଷ କରିବାକୁ ବିସିସିଆଇ ନିଷ୍ପତ୍ତି ନିଏ। ତାହାଲେ ବି ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ଭିତରେ ୩୦ ଦିନର ସମୟ ପାଇବ ବିସିସିଆଇ।
ଏଭଳି ସ୍ଥିତିରେ ଇଂଲଣ୍ଡ ଓ ଭାରତୀୟ ଖେଳାଳିଙ୍କୁ ୟୁଏଇ ପହଞ୍ଚିବା ଲାଗି ଗୋଟିଏ ଦିନର ସମୟ ମିଳିବା ସହ ଚାରିଟି ନକଆଉଟ୍ ମ୍ୟାଚ୍ ପାଇଁ ୫ ଦିନ ମିଳିବ। ବାକି ରହିଥିବା ୨୭ ମ୍ୟାଚ୍ ଶେଷ କରିବାକୁ ବିସିସିଆଇ ପାଖରେ ୨୪ ଦିନର ସମୟ ରହିବ। ୪ ସପ୍ତାହର ଝରକାରେ ଯୁଗଳ ମୁକାବିଲା ଲାଗି ଶନିବାର ଓ ରବିବାର ମିଶାଇ ୮ ଦିନ ମିଳିବ ଏବଂ ସେଥିରେ ୧୬ ମ୍ୟାଚ୍ ଶେଷ ହୋଇଯିବ। ଏହା ପରେ ୧୧ ମ୍ୟାଚ୍ ପାଇଁ ବିସିସିଆଇ ହାତରେ ଆହୁରି ୧୯ ଦିନ ଥିବ। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସୂଚୀରେ ପରିବର୍ତ୍ତନ କରିବାକୁ ରାଜି ହେଲେ ଆଉ ୫ ଦିନ ସମୟ ମିଳିବ। ଭାରତୀୟ କ୍ରିକେଟ୍ ଦଳ ଏହାକୁ ଅକ୍ଟୋବର ୧୮ରେ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ପ୍ରସ୍ତୁତି କରିବାରେ ବିନିଯୋଗ କରି ପାରିବ। ତେବେ ସବୁକିଛି ୟୁଏଇ ଓ ଭାରତରେ କରୋନାର ତୃତୀୟ ଲହର ସ୍ଥିତି ଉପରେ ନିର୍ଭରଶୀଳ ରହିବ। ୟୁଏଇରେ ଆଇପିଏଲ୍ ଆୟୋଜନର ଏହା କିନ୍ତୁ ପ୍ରଥମ ଘଟଣା ହେବନି। ଗତବର୍ଷର ସଂପୂର୍ଣ୍ଣ ଆଇପିଏଲ୍ ଏଠାରେ ଖେଳା ଯାଇଥିଲା। ସେହିଭଳି ୨୦୦୯ ମସିହା ଆଇପିଏଲ୍ର ପ୍ରଥମ ଭାଗ ମଧ୍ୟ ଏଠାରେ ସଫଳତାର ସହ ଆୟୋଜିତ ହୋଇଥିଲା। ଆଇପିଏଲ୍-୨୦୨୧ ଶେଷ କରିବା ଲାଗି ଇଂଲଣ୍ଡ ଆଉ ଏକ ବିକଳ୍ପ ଥିଲେ ମଧ୍ୟ ୟୁଏଇରେ ଏହାକୁ ଶେଷ କରିବାକୁ ବିସିସିଆଇ ଅଧିକ ପସନ୍ଦ କରିବ। କାରଣ ୟୁଏଇ କ୍ରିକେଟ୍ ବୋର୍ଡର ଆଇପିଏଲ୍ ଆୟୋଜନ କରିବା ଅଭିଜ୍ଞତା ଅଛି। ଏଠାରେ ପୂର୍ବରୁ ସ୍ଥାପିତ ଜୈବ ବଳୟର ଯୋଜନାକୁ ମଧ୍ୟ ବିସିସିଆଇ ସହଜରେ ଉପଯୋଗ କରି ପାରିବ।
ଆମେ କିଭଳି ସଂକ୍ରମିତ ହେଲୁ ବୁଝି ପାରୁନୁ: ବାଲାଜୀ
ଚେନ୍ନାଇ: କୋଭିଡ୍ ସଂକ୍ରମଣରୁ ସୁଧୁରୁଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ ଏହି ସଂଘର୍ଷମୟ ସମୟକୁ ମାନବ ବନାମ ବନ୍ୟପ୍ରାଣୀ ଅଧ୍ୟାୟ ସହ ତୁଳନା କରିଛନ୍ତି। ମେ’ ୨ ତାରିଖରେ ମୁଁ ଅସହଜ ଅନୁଭବ କରିବା ପରେ ପରୀକ୍ଷା କରିଥିଲି। ମେ’ ୩ ତାରିଖରେ ପଜିଟିଭ ରିପୋର୍ଟ ଆସିବା ପରେ ମୁଁ ବିସ୍ମିତ ହୋଇଯାଇଥିଲି। ଜୈବ ବଳୟର କୌଣସିଟି ବ୍ୟବସ୍ଥାକୁ ମୁଁ ଉଲ୍ଲଂଘନ କରିନଥିଲି। କିନ୍ତୁ ମୋ ସହ ବ୍ୟାଟିଂ ପ୍ରଶିକ୍ଷକ ମାଇକ୍ ହସି କିଭଳି ସଂକ୍ରମିତ ହେଲୁ ଏବେ ବି ବୁଝିପାରୁନୁ। ପଜିଟିଭ ରିପୋର୍ଟ ଭୁଲ ଥିବ ଭାବି ଆଉ ଥରେ ପରୀକ୍ଷା କରିଥିଲେ ମଧ୍ୟ ସମାନ ରିପୋର୍ଟ ଆସିଥିଲା। ତୁରନ୍ତ ହୋଟେଲ୍ର ଅନ୍ୟ ଫ୍ଲୋରକୁ ଚାଲିଯାଇଥିଲି ଏବଂ ଦଳଠାରୁ ଦୂରେଇ ରହିଥିଲି। ମୁଁ ଡରିଯାଇଥିଲି ଏବଂ ଦଳର ଅନ୍ୟ ସଦସ୍ୟଙ୍କ ପାଇଁ ମଧ୍ୟ ଚିନ୍ତିତ ହୋଇପଡ଼ିଥିଲି। ମୋ ଭାବନାକୁ ପ୍ରକାଶ କରିପାରୁନଥିଲି, କାରଣ ଜାଣୁଥିଲୁ ବାହାରେ କେତେ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଦ୍ବିତୀୟ ଦିନଠାରୁ କିନ୍ତୁ ମୁଁ ନିଜ କିଥା ନିଜେ ବୁଝିବାର ଗୁରୁତ୍ବକୁ ବୁଝିଯାଇଥିଲି। ଦଳର କ୍ଷେତ୍ରରକ୍ଷକ ପ୍ରଶିକ୍ଷକ ରାଜୀବ କୁମାର, ରବିନ୍ ଉଥପ୍ପା ଏବଂ ଚେତେଶ୍ବର ପୂଜାରା ପ୍ରମୁଖ ମୋତେ ମାନସିକ ଦୃଢ଼ତା ରଖିବାରେ ବଡ଼ ସହାୟତା କରିଥିଲେ ବୋଲି ବାଲାଜୀ ପ୍ରକାଶ କରିଥିଲେ।
ଜୈବ ବଳୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ ଋଦ୍ଧିମାନ
କୋଲକାତା: ଅଧାରେ ଅଟକିଥିବା ଆଇପିଏଲ୍-୧୪ର ଜୈବ ବଳୟର ସୁରକ୍ଷିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତୀୟ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା। ପ୍ରଥମ ଖେଳାଳିଭାବେ ମଧ୍ୟ ସାହା ସାଧାରଣରେ ଏଭଳି ପ୍ରଶ୍ନ ଉଠାଇଛନ୍ତି। ଗତବର୍ଷ ୟୁଏଇରେ ଅନୁଷ୍ଠିତ ପୂର୍ବ ସଂସ୍କରଣ ଭଳି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ନଥିଲା ବୋଲି ସାହା କହିଛନ୍ତି। ଭାରତରେ ଅନୁଷ୍ଠିତ ଚଳିତ ବର୍ଷର ସଂସ୍କରଣର ପରିବେଶ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦ୍ ପାଇଁ ଖେଳୁଥିବା ୩୬ ବର୍ଷୀୟ ସାହା ଦୁଇ ଦୁଇ ଥର ପଜିଟିଭ୍ ଆସିଥିଲେ। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସାହା କହିଥିଲେ ଆଇପିଏଲ୍ର ସମସ୍ତ ଦାବିଦାର ଓ ପରିଚାଳକମାନେ ଏହିକୁ ଟିକିନିଖି ଭାବେ ପରଖିବାର ଥିଲା। ସେହି ଦୃଷ୍ଟିରୁ ୨୦୨୦ ୟୁଏଇ ସଂସ୍କରଣ ସବୁଠାରୁ ଭଲ ଥିଲା। ସେଠାରେ ଜଣେ କେହି ବି ଆମ ତାଲିମ ସମୟରେ ଭିତରକୁ ଆସି ପାରୁନଥିଲେ। ଏପରିକି ଗ୍ରାଉଣ୍ଡ୍ ଷ୍ଟାଫ୍ ଆମ ପର୍ଯ୍ୟନ୍ତ ଆସିପାରୁନଥିଲେ।
ଏଥର କିନ୍ତୁ ଲୋକ ପାଖାପାଖି ଆସୁଥିଲେ, ପାଖ କାନ୍ଥ ନିକଟରୁ ପିଲାମାନେ ଚିଲାଉଥିଲେ। ଆଇପିଏଲ୍ ୟୁଏଇରେ ସୁରୁଖୁରୁରେ ଚାଲିଲା ଏବଂ ଭାରତରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାବେଳେ ଆୟୋଜନକୁ ନେଇ ମୁଁ କିଛି କହିବି ନାହିଁ। କିନ୍ତୁ କୋଭିଡ୍ ସଂକ୍ରମଣ କିଭଳି ଆଇପିଏଲ୍ ଜୈବ ବଳୟ ଭେଦିଲା ନିଶ୍ଚିତ ଚିନ୍ତାର କାରଣ। ୟୁଏଇରେ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ସଂକ୍ରମଣରୁ ମୁକ୍ତ ହୋଇ ଦିଲ୍ଲୀରେ ୧୪ ଦିନିଆ ସଙ୍ଗରୋଧରେ ଥିବା ଋଦ୍ଧିମାନ କୋଲକାତା ଘରେ ପହଞ୍ଚିବା ପରେ ଏଭଳି ମତ ଦେଇଛନ୍ତି। ଋଦ୍ଧିମାନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଦୁର୍ବଳ ଅନୁଭବ କରୁନାହାନ୍ତି। ଇଂଲଣ୍ଡ ଗସ୍ତ ପାଇଁ ସେ ନିଜକୁ ମାନସିକ ଭାବେ ପ୍ରସ୍ତୁତ ରଖିଛନ୍ତି ବୋଲି ମଧ୍ୟ କହିଛନ୍ତି। ତେବେ ଅଭ୍ୟାସ ଆରମ୍ଭ କରିବା ପରେ ଶରୀର କେତେ ସାଥ ଦେଉଛି ଦେଖିବାର ଅଛି ବୋଲି ସେ କହିଛନ୍ତି। ଭୂତାଣୁ ସହ ସଙ୍ଘର୍ଷର ପ୍ରଥମ ଦିନ ଗୁଡିକୁ ମନେ ପକାଇ ସାହା କହିଥିଲେ ‘ପ୍ରଥମ ଦୁଇ ଦିନ ଜ୍ବର ହୋଇଥିଲା। ପରବର୍ତୀ ୫ ଦିନ ମୁଁ କୌଣସି ଘ୍ରାଣ ପାଇନଥିଲି। କିନ୍ତୁ ପରବର୍ତୀ ୪ ଦିନ ଭିତରେ ସବୁକିଛି ସ୍ବାଭାବିକ ହେବାରେ ଲାଗିଥିଲା’। ପରିବାର ଓ ବଂଧୁଙ୍କ ସହ କିଛି ହାଲକା ମୁହୂର୍ତ ବିତାଇ ମାନସିକ ଦୃଢ଼ତାକୁ ଫେରି ପାଇଛି। ଏବେ ଘରେ କିଛି ଫିଟନେସ୍ କାର୍ଯ୍ୟ କରୁଛି। ମୁମ୍ବାଇରେ ଦଳ ସହ ଯୋଗଦେବା ପରେ ଅସଲ ଫିଟନେସ୍ ଆରମ୍ଭ କରିବି’ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ipl-BCCI.jpg)