ଡବ୍ଲୁଟିସି ଫାଇନାଲ୍‌ରେ ସଂରକ୍ଷିତ ଦିବସ ରହି ନପାରେ, ଇଂଲଣ୍ଡ ଗସ୍ତ ପାଇଁ ସଙ୍ଗରୋଧ ଆରମ୍ଭ କଲା ଟିମ୍ ଇଣ୍ଡିଆ

ଜାଦେଜାଙ୍କ ଷ୍ଟାଇଲିସ୍ ପ୍ରବେଶ

ଲଣ୍ଡନ: ଜୁନ୍ ୧୮ରୁ ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲରେ ସଂରକ୍ଷିତ ଦିବସ ରହିବ ନାହିଁ। ପୂର୍ବରୁ ୫ ଦିନରେ ଯଦି ଖେଳ ନସରେ ତାହେଲେ ଷଷ୍ଠ ଦିବସକୁ ସଂରକ୍ଷିତ ଦିବସ ଭାବେ ନିଆଯିବ ବୋଲି ଆଇସିସି ତା ୱେବସାଇଟ୍‌ରେ ଉଲ୍ଲେଖ କରିଥିଲା। ଏବେ ଏହି ନିୟମକୁ ହଟାଇ ଦିଆଯାଇଛି। ଷଷ୍ଠ ଦିବସ କଥା ଖେଳ ୩୦ ଘଣ୍ଟା ଭିତରେ ନସରିଲେ ଉଠିଥା’ନ୍ତା। ତେବେ ଯଦି କୌଣସି ଦିନରେ ମନ୍ଥର ବୋଲିଂ ହୁଏ, ତେବେ ଷଷ୍ଠ ଦିନ ଖେଳ ସମୟକୁ ନେଇ ଅଯଥା ଦ୍ବନ୍ଦ୍ବ ସୃଷ୍ଟି ହେବ। ସେଥିପାଇଁ ଆଇସିସି ଏହି ବିକଳ୍ପକୁ ବାଦ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ନିୟମ ହଟାଇବା ପରେ ମଧ୍ୟ ମ୍ୟାଚ୍ ଅମୀମାଂସିତ ରହିଲେ କେମିତି ବିଜେତା ବଛାହେବ? ସେ ପ୍ରଶ୍ନର ଏବେ ବି ଅସ୍ପଷ୍ଟ ହୋଇ ରହିଛି। ଆଉ ଏକ ବିକଳ୍ପ ଭାବେ ମ୍ୟାଚ୍ ଅମୀମାଂସିତ ରହିଲେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯାଇପାରେ। ତେବେ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜୁନ୍ ପହିଲାରେ ବସିବାକୁ ଥିବା ଆଇସିସିର ବୋର୍ଡ ବୈଠକରେ ନିଆଯିବ। ଏହି ବୈଠକରେ ମଧ୍ୟ ମ୍ୟାଚ୍‌ର ଖେଳ ପରିବେଶ, ନୀତି ଓ ନିୟମ ସ୍ଥିର କରାଯିବ। ସେହିଭଳି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଭବିଷ୍ୟତକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହେବ। କାରଣ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌କୁ ୨୦୨୧-୨୩ ଏଫ୍‌ଟିପିରେ ମଧ୍ୟ ଜାରି ରଖିବାକୁ ପୂର୍ବରୁ ଘୋଷଣା କରି ସାରିଛି। ଯାହା ଅଗଷ୍ଟ ମାସର ଭାରତ-ଇଂଲଣ୍ଡ ଶୃଙ୍ଖଳାରୁ ଆରମ୍ଭ ହେବାର ଅଛି। ହେଲେ ଏପର୍ଯ୍ୟନ୍ତ ପଏଣ୍ଟ୍‌ ବ୍ୟବସ୍ଥାକୁ ନେଇ କୌଣସି ଯୋଜନା ପ୍ରସ୍ତୁତ ହୋଇନି। ତାଛଡ଼ା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ସଫଳତା ନେଇ ବହୁ ଦେଶର ଅଧିନାୟକ ବ୍ୟକ୍ତିଗତ ସ୍ତରରେ ସନ୍ଦେହ ପ୍ରକଟ କରି ସାରିଛନ୍ତି।

ଇଂଲଣ୍ଡ ଗସ୍ତ ପାଇଁ ସଙ୍ଗରୋଧ ଆରମ୍ଭ କଲା ଟିମ୍ ଇଣ୍ଡିଆ

ମୁମ୍ବାଇ: ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟମାନେ ଏଠାରେ ସଙ୍ଗରୋଧରେ ରହିବା ଆରମ୍ଭ କରିଛନ୍ତି। ଅଧିନାୟକ ବିରାଟ କୋହଲି, ଏକଦିବସୀୟ ଉପଅଧିନାୟକ ରୋହିତ ଶର୍ମା, ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରମୁଖ ମଙ୍ଗଳବାର ଏଥିରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ରହୁଥିବା ଖେଳାଳିମାନେ ଗତ ୧୯ ତାରିଖରୁ ଏକାନ୍ତବାସରେ ରହିବା ଆରମ୍ଭ କରି ଦେଇଥିଲେ। ସେଥିପାଇଁ କୋହଲି, ରୋହିତ ଓ ଶାସ୍ତ୍ରୀ କିଛି ଦିନ ଏହି ଖେଳାଳିଙ୍କଠାରୁ ଅଲଗା ରହିବେ। ୭ ଦିନ ସଙ୍ଗରୋଧରେ ରହିବା ପରେ ଯାଇ ଅନ୍ୟ ଖେଳାଳିଙ୍କ ସହ ମିଶିବେ। ସେବେଯାଏ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା ସେମାନଙ୍କ ହୋଟେଲ ରୁମ୍‌ରେ ହିଁ କରିଦିଆଯିବ। ସେଠାରେ ରହି ସେମାନେ ବିଭିନ୍ନ ଶାରୀରିକ ଅଭ୍ୟାସ ଯଥା ସାଇକ୍ଲିଂ, ଡମ୍ବଲ ଉଠାଇବା ତଥା ଅନ୍ୟାନ୍ୟ ବ୍ୟାୟାମ କରି ପାରିବେ। ଇଂଲଣ୍ଡ ପହଞ୍ଚିବା ପରେ ସମସ୍ତ ଖେଳାଳି ଦ୍ବିତୀୟ ଡୋଜ୍ କୋଭିଡ୍ ଟିକା ‌ନେବେ। ଭାରତୀୟ କ୍ରିକେଟ୍ ଦଳ ମୁମ୍ବାଇରୁ ହିଁ ଜୁନ୍ ୨ ତାରିଖରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଇଂଲଣ୍ଡ ଗସ୍ତ କରିବାକୁ ଥିବା ଭାରତୀୟ ମହିଳା ଦଳ ମଧ୍ୟ ମୁମ୍ବାଇର ଗ୍ରାଣ୍ଡ ହାୟାତ ‌ହୋଟେଲରେ ସଙ୍ଗରୋଧ ଆରମ୍ଭ କରିଛନ୍ତି। ଏହି ସମୟ ଭିତରେ ନିୟମିତ ବ୍ୟବଧାନରେ ଉଭୟ ଦଳର କୋଭିଡ୍ ପରୀକ୍ଷା କରାଯିବ। ଇଂଲଣ୍ଡ ଯିବା ପୂର୍ବରୁ ଅଣଖେଳାଳି ସଦସ୍ୟଙ୍କର ଅନ୍ୟୂନ ୩ ଥର କୋଭିଡ୍ ପରୀକ୍ଷା ହେବ। ଭାରତୀୟ କ୍ରିକେଟ୍ ଦଳ ଜୁନ୍ ୧୮ରୁ ସାଉଥମ୍ପଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳି ତାର ଇଂଲଣ୍ଡ ଅଭିଯାନ ଆରମ୍ଭ କରିବ। ଏହା ପରେ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ୫ ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଅନ୍ୟପକ୍ଷରେ ମହିଳା ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ୍ ଏବଂ ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଖେଳିବ। ଭାରତ-ଇଂଲଣ୍ଡ ମହିଳା ମୁକାବିଲା ଜୁନ୍ ୧୬ରୁ ଶୁଭାରମ୍ଭ ହେବ। ଖେଳାଳିଙ୍କ ପରିବାରବର୍ଗ ପାଇଁ ମଞ୍ଜୁରି ଏବେ ମିଳି ନଥିଲା ବେଳେ ବିସିସିଆଇ ଏହାକୁ ଅପେକ୍ଷା କରିଛି। ଅନୁମତି ମିଳିବା ପରେ ସେମା‌ନେ ମଧ୍ୟ ସଙ୍ଗରୋଧରେ ରହିବା ଆରମ୍ଭ କରିବେ।

ଜାଦେଜାଙ୍କ ଷ୍ଟାଇଲିସ୍ ପ୍ରବେଶ
କୋହଲି, ରୋହିତ ଓ ଶାସ୍ତ୍ରୀଙ୍କ ଭଳି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମଧ୍ୟ ଇଂଲଣ୍ଡ ଗସ୍ତ ଲାଗି ମଙ୍ଗଳବାରଠାରୁ ମୁମ୍ବାଇରେ ସଙ୍ଗରୋଧ ଆରମ୍ଭ କରିଛନ୍ତି। ଦଳୀୟ ଜୈବ ବଳୟରେ ପ୍ରବେଶ ବେଳେ ସେ ପିନ୍ଧିଥିବା ପୋଷାକ ଓ କରିଥିବା ଷ୍ଟାଇଲ୍‌ କିନ୍ତୁ ସାଥୀ ଖେଳାଳିଙ୍କ ସହ ପ୍ରଶଂସକଙ୍କ ମନ ମୋହି ନେଇଛି। ପ୍ରବେଶ ବେଳର ଫଟୋ ବି ଜାଦେଜା ନିଜ ଇନଷ୍ଟାଗ୍ରାମ‌ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏଥିରେ ସେ ଏକ ଲାଲ ଗଞ୍ଜି ଓ ଟୋପି ପିନ୍ଧିଥିବା ଦେଖିବାକୁ ମିଳୁଛି। ଫଟୋଟି ତଳେ ସେ ଲେଖିଛନ୍ତି ଯେ ଯାତ୍ରା ଆରମ୍ଭ ହେଲା। ସୂଚନାଯୋଗ୍ୟ ଯେ ଆଘାତ ପ୍ରାପ୍ତ ହୋଇ ଭାରତୀୟ ଦଳରୁ ଢେର କିଛି ଦିନ ଦୂରେଇ ରହିବା ପରେ ଇଂଲଣ୍ଡ ଶୃଙ୍ଖଳା ପାଇଁ ଫେରିଛନ୍ତି ଜାଦେଜା। ଜାଦେଜା ଓ ଭାରତୀୟ ଦଳ ମୁମ୍ବାଇରେ ୧୦ ଦିନ ସଙ୍ଗରୋଧରେ ରହିବା ପରେ ଇଂଲଣ୍ଡ ପହଞ୍ଚି ସେଠାରେ ମଧ୍ୟ ୮ ଦିନ ଯାଏ ସଙ୍ଗରୋଧରେ ରହିବେ। ଏହି ଅବସରରେ ଅବଶ୍ୟ ସେମାନଙ୍କୁ ଅଭ୍ୟାସ କରିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର