ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିଶ୍ବକପ୍‌ ଟ୍ରଫି ଜିତିବା ପରେ ଡ୍ରେସିଂରୁମ୍‌ରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରାଯାଇଥିଲା। କିନ୍ତୁ ଏହି ଉତ୍ସବ ମଧ୍ୟରେ ମିଚେଲ ମାର୍ସଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହ ଟ୍ରଫି ସହ ତାଙ୍କର ଆଚରଣ ଔଦ୍ଧତ୍ୟର ସୀମା ପାର୍‌ କରିଯାଇଥିବା କୁହାଯାଇଥିଲା। ଟ୍ରଫି ଜିତିବା ଏକ ସମ୍ମାନର କଥା ହୋଇଥିଲେ ମଧ୍ୟ ମାର୍ସ ତାହା ଉପରେ ଗୋଡ଼ ରଖି ଫଟୋ ଉଠାଇଥିଲେ। ଏହାକୁ ନେଇ ଅନେକ ତାଙ୍କୁ ସମାଲୋଚନା କରିଥିଲେ। କେତେକ ଏକ୍ସ ବ୍ୟବହାରକାରୀ ଉକ୍ତ ଫଟୋକୁ କପିଳ ଦେବଙ୍କ ୧୯୮୩ ବିଶ୍ବକପ୍‌ ଟ୍ରଫି ଧରିବା ଫଟୋ ସହିତ ତୁଳନା କରିଥିଲେ। କପିଳ ବିଶ୍ବକପ୍‌ ଟ୍ରଫିକୁ ମୁଣ୍ଡ ଉପରକୁ ଉଠାଇ ଧରିଥିବା ବେଳେ ମାର୍ସ ଟ୍ରଫି ଉପରେ ଗୋଡ଼ ରଖିବା କାହାକୁ ପସନ୍ଦ ଆସିନଥିଲା।

Advertisment

ଏହି ଘଟଣାକୁ ୧୨ଦିନ ବିତିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମାର୍ସ। ସେ କହିଛନ୍ତି, ମୁଁ ଯାହା କରିଥିଲି, ସେଥି‌ରେ ଟ୍ରଫିକୁ ଅପମାନ କଲା ଭଳି କିଛି ନାହିଁ। ମୋତେ ଲାଗୁନାହିଁ ମୁଁ ସେଭଳି କରି ଟ୍ରଫିକୁ ଅପମାନିତ କରିଛି। ଯଦି ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ବକପ ଟ୍ରଫି ଜିତେ, ତେବେ ମୁଁ ପୁଣି ଥରେ ଟ୍ରଫି ଉପରେ ଗୋଡ଼ ରଖିବି। ସୋସିଆଲ ମିଡିଆରେ ମୋତେ ଟ୍ରୋଲ କରାଯାଉଥିବା ବିଷୟରେ ମୁଁ କେବଳ ଶୁଣିଥିଲି। ହେ‌‌ଲେ ଦେଖିନାହିଁ। ଏବେ ଏହି ଚର୍ଚ୍ଚା ବନ୍ଦ ହୋଇସାରିଥିବା ମୁଁ ଜାଣିବାକୁ ପାଇଛି।