ଭୁବନେଶ୍ବର: ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ବ କରିବେ। ଚଳିତ ମାସ ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚୀନ୍ର ହାଙ୍ଗଝୌଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବହୁଦେଶୀୟ କ୍ରୀଡ଼ାରେ ବିଭିନ୍ନ ବିଭାଗରେ ଏମାନେ ଦେଶରୁ ପ୍ରତିନିଧିତ୍ୱ କରିବେ। ଦେଶର ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାରେ କିଟ୍ ଓ କିସ୍ ହେଉଛି ଭାରତର ପ୍ରଥମ ଶିକ୍ଷାନୁଷ୍ଠାନ ବୋଲି ଶୁକ୍ରବାର ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି। କିଟ୍ର ଛାତ୍ରୀ ସିଏ ଭବାନୀ ଦେବୀ ଅସିଚାଳନାରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବା ବେଳେ ଭାରତୀୟ ପୁରୁଷ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ସେହିପରି ସନ୍ତରଣରେ କିଟ୍ ଓ କିସ୍ର ଛାତ୍ର ସାଜନ ପ୍ରକାଶ, ନୌଚାଳନା (ମହିଳା)ରେ ଅଶିଂକା ଭାରତୀ, ଦୌଡ଼କୁଦ ୨୦ କିମି ରେସ୍ ୱାକ୍ ମହିଳାରେ ପ୍ରିୟଙ୍କା ଗୋସ୍ବାମୀ ଓ ପୁରୁଷରେ ସନ୍ଦୀପ କୁମାର, ଜାଭଲିନ୍ରେ କିଶୋର ଜେନା, ସଟ୍ପୁଟ୍ରେ ତେଜିନ୍ଦର ପାଲ୍ ଡେକାଥଲନ୍ରେ ତେଜସ୍ୱୀ ଶଙ୍କର ଏବଂ ୨୦୦ମିଟର ଦୌଡ଼ରେ ଅମ୍ଳାନ ବରଗୋହେଁ ଭାରତର ପ୍ରତିନିଧିତ୍ୱ କରିବାର ଗୌରବ ଅର୍ଜନ କରିଛନ୍ତି। ଗୌରବର କଥା ଭାରତୀୟ ମହିଳା ରଗ୍ବି ଦଳରେ କିସ୍ର ୪ ଛାତ୍ରୀ ଡୁମୁଣୀ ମାରାଣ୍ଡି, ତାରୁଲତା ନାଏକ, ମାମା ନାଏକ ଏବଂ ହୁପି ମାଝୀ ସ୍ଥାନ ପାଇଛନ୍ତି। କ୍ରୀଡ଼ାର ବିକାଶ ପାଇଁ କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସମସ୍ତ ଖେଳାଳିଙ୍କୁ ବର୍ଷ ବର୍ଷ ଧରି ଆବଶ୍ୟକ ସୁବିଧା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି ବୋଲି କିଟ୍ ଓ କିସ୍ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ ସୂଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ର କ୍ରୀଡ଼ା ପରାମର୍ଶଦାତା ଉପେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ।
ଏହି ଅବସରରେ ଡକ୍ଟର ସାମନ୍ତ କହିଥିଲେ ଯେ ଏମାନେ କେବଳ କିଟ୍ ଓ କିସ୍ ପାଇଁ ଗୌରବ ନୁହନ୍ତି ବରଂ ସମଗ୍ର ଓଡ଼ିଶା ଓ ଦେଶର ଗର୍ବ ଓ ଗୌରବ। ଓଡ଼ିଶାରୁ ୧୩ ଜଣ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ରହିଥିଲା ବେଳେ ଏଥିରେ କେବଳ କିଟ୍ ଓ କିସ୍ର ୭ ଜଣ ରହିଛନ୍ତି। ଓଡ଼ିଶାକୁ ଏକ କ୍ରୀଡ଼ା ହବ୍ ଭାବେ ପରିଣତ କରିବା ପାଇଁ କିଟ୍ ଓ କିସ୍ର ମଧ୍ୟ ଯୋଗଦାନ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା ସହ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କିଟ୍ ଓ କିସ୍ରେ ଥିବା ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଏବଂ ଅଭିଜ୍ଞ ଓ ଦକ୍ଷ ପ୍ରଶିକ୍ଷକ ବିଶେଷକରି କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଯୋଗୁଁ କିଟ୍ ଓ କିସ୍ରୁ ୫ହଜାରରୁ ଊର୍ଦ୍ଧ୍ୱ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି। ସବୁଠାରୁ ଗର୍ବ ଓ ଗୌରବର ବିଷୟ ହେଉଛି କିଟ୍ ଓ କିସ୍ରୁ ୧୩ ଜଣ ଅଲିମ୍ପିଆନ୍ ବାହାରି ପାରିଛନ୍ତି। ସେମାନେ ହେଲେ ଆଥଲେଟିକ୍ରେ ଦୂତି ଚାନ୍ଦ, ପ୍ରିୟଙ୍କା ଗୋସ୍ବାମୀ, ଶ୍ରାବଣୀ ନନ୍ଦ, ଶିବପାଲ୍ ସିଂହ, ତେଜିନ୍ଦର ପାଲ ସିଂହ ତୁର, ସନ୍ଦୀପ କୁମାର, ହକିରେ ଅମିତ ରୋହିଦାସ, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା, ଅସିଚାଳନାରେ ସିଏ ଭବାନୀ ଦେବୀ, ସନ୍ତରଣରେ ସାଜନ ପ୍ରକାଶ, ପାରାଅଲିମ୍ପିଆନ୍ ପ୍ରବୀଣ କୁମାର ଏବଂ କାସିସ୍ ଲାକ୍ରା ଅଛନ୍ତି।