୮ ଦଳ ପାଇଁ ଏମିତି ରହିବ ପ୍ଲେ ଅଫ୍ ସମ୍ଭାବନା

ଦୁବାଇ: ଆଇପିଏଲ୍‌ର ୫୬ ମ୍ୟାଚ୍ ମଧ୍ୟରୁ ୩୯ ମ୍ୟାଚ୍ (ସୋମବାରର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ପୂର୍ବରୁ) ଖେଳାଯାଇସାରିଛି। ଏପର୍ଯ୍ୟନ୍ତ ମାତ୍ର ଦୁଇଟି ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ ଏକପ୍ରକାର ‌ପ୍ଲେ ଅଫ୍ ଯିବା ସୁନିଶ୍ଚିତ ହୋଇ ସାରିଛି। ତେବେ ଏବେବି ୮ଟି ଯାକ ଦଳ ପାଇଁ ପ୍ଲେ ଅଫ୍ ଯିବାର ସମ୍ଭାବନା ରହିଛି। ଚେନ୍ନାଇର ପ୍ଲେ ଅଫ୍ ଯିବା ସମ୍ଭାବନା ସର୍ବାଧିକ ୯୬.୭ ପ୍ରତିଶତ ଥିଲା ବେଳେ ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍ ଖେଳିବାର ସର୍ବନିମ୍ନ ୧ ପ୍ରତିଶତ ସମ୍ଭାବନା ରହିଛି। ୮ଟି ଯାକ ଦଳର ପ୍ଲେ ଅଫ୍ ଯିବା ସମ୍ଭାବନାର ସମୀକରଣ ଏମତି ରହିବ।
୧) ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ସଂପ୍ରତି ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଏହି ଦଳ ପ୍ଲେ ଅଫ୍ ଖେଳିବା ଏବଂ ଶୀର୍ଷ ଦୁଇ ସ୍ଥାନରେ ଲିଗ୍ ପର୍ଯ୍ୟାୟ ଅଭିଯାନ ଶେଷ କରିବାର ସର୍ବାଧିକ ୯୬.୭ ପ୍ରତିଶତ ସମ୍ଭାବନା ରହିଛି।

୨) ସିଏସ୍‌କେ ସହ ସଂପ୍ରତି ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୧୬ ପଏଣ୍ଟ୍‌ ପାଇଥିଲେ ମଧ୍ୟ ନେଟ୍ ରନ୍ ରେଟ୍ ହାରରେ ଦ୍ବିତୀୟ ସ୍ଥାନରେ ରହିଛି। ଏହି ଦଳ ପ୍ଲେ ଅଫ୍‌କୁ ଯିବାର ଏବଂ ଶୀର୍ଷ ଦୁଇ ସ୍ଥାନରେ ଅଭିଯାନ ଶେଷ କରିବାର ୯୫ ପ୍ରତିଶତ ସମ୍ଭାବନା ଅଛି।

୩) ସଂପ୍ରତି ୧୨ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଶୀର୍ଷ ୪ ସ୍ଥାନରେ ଅଭିଯାନ ଶେଷ କରିବାର ୯୪.୯ ପ୍ରତିଶତ ସମ୍ଭାବନା ରହିଛି। ତେବେ ଏହି ଦଳ ଶୀର୍ଷ ଦୁଇ ସ୍ଥାନରେ ରହିବାର ମାତ୍ର ୨୬ ପ୍ରତିଶତ ସମ୍ଭାବନା ଅଛି।

୪) ଏହି ତିନି ଦଳକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦଳର ପ୍ଲେ ଅଫ୍ ପଥ ଏକବାର ବନ୍ଧୁର ରହିଛି। ସେମାନଙ୍କୁ ଏଥିଲାଗି ନିଜ ନିଜର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ଚମତ୍କାର ପ୍ରଦର୍ଶନ କରି ଏଗୁଡ଼ିକୁ ଜିତିବାକୁ ପଡ଼ିବ।

୫) ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥାନରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଶୀର୍ଷ ଚାରି ସ୍ଥାନରେ ରହି ପ୍ଲେ ଅଫ୍ ଯିବାର ୩୬ ପ୍ରତିଶତ ସମ୍ଭାବନା ଅଛି। ଏହା ମଧ୍ୟ ଦ୍ବିତୀୟ ସ୍ଥାନରେ ରହିପାରେ। ତେବେ ଏହାର ସମ୍ଭାବନା ରହିଛି ମାତ୍ର ୦.୭ ପ୍ରତିଶତ।

୬) କେକେଆର୍‌ ଭଳି ପଞ୍ଜାବ କିଙ୍ଗ୍ସର ମଧ୍ୟ ପ୍ଲେ ଅଫ୍ ଯିବାର ୩୬ ପ୍ରତିଶତ ସମ୍ଭାବନା ଅଛି। ତେବେ ଏହି ଦଳ କୌଣସି ପରିସ୍ଥିତିରେ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିପାରିବ ନାହିଁ। ଏହି ଦଳ ଦ୍ବିତୀୟ ସ୍ଥାନରେ ରହିବାର ୦.୯ ପ୍ରତିଶତ ଅଛି।

୭) ସଂପ୍ରତି ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ। ତେବେ ଏହି ଦଳ ହାତରେ ଗୋଟିଏ ଅତିରିକ୍ତ ମ୍ୟାଚ୍ ରହିଛି। ସେଥିପାଇଁ ଏହି ଦଳର ପ୍ଲେ ଅଫ୍ ପ୍ରବେଶ ସମ୍ଭାବନା କେକେଆର୍‌ ଏବଂ ପଞ୍ଜାବ କିଙ୍ଗ୍ସଠାରୁ ଭଲ ରହିଛି। ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍‌କୁ ପ୍ରବେଶ କରିବାର ୫୫ ପ୍ରତିଶତ ସମ୍ଭାବା ଅଛି। ରାଜସ୍ଥାନ ପଏଣ୍ଟ୍‌ ତାଲିକାର ଶୀର୍ଷରେ ମଧ୍ୟ ରହିପାରେ। ଶୀର୍ଷ ଦୁଇ ସ୍ଥାନରେ ଏହି ଦଳ ଲିଗ୍ ପର୍ଯ୍ୟାୟ ଶେଷ କରିବାର ସମ୍ଭାବନା କିନ୍ତୁ ହେଉଛି ମାତ୍ର ୪ ପ୍ରତିଶତ।

୮) କେକେଆର୍‌ ଓ ପଞ୍ଜାବ କିଙ୍ଗ୍ସ ସହ ସମାନ ପଏଣ୍ଟ୍‌ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟ ପ୍ଲେ ଅଫ୍ ଯିବାର ୩୬ ପ୍ରତିଶତ ସମ୍ଭାବନା ଅଛି। ତେବେ ଏହି ଦଳ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିବାର କୌଣସି ସମ୍ଭାବନା ନାହିଁ। ଏହି ଦଳ ଶୀର୍ଷ ଦୁଇ ସ୍ଥାନରେ ରହିବାର ସମ୍ଭାବନା ହେଉଛି ଯଥାକ୍ରମେ ୧ ଓ ୦.୭ ପ୍ରତିଶତ।

୯) ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଗାଣିତ୍ୟିକ ହିସାବ ଅନୁଯାୟୀ ପ୍ଲେ ଅଫ୍‌କୁ ଯାଇ ପାରିବ। ଯାହାର ସମ୍ଭାବନା ହେଉଛି କେବଳ ୧.୧ ପ୍ରତିଶତ। ତେବେ ସେମାନେ ତୃତୀୟ ସ୍ଥାନରୁ ଉପରେ ରହିପାରିବେ ନାହିଁ। ସେମାନେ ତୃତୀୟ ସ୍ଥାନରେ ରହିବାର ସମ୍ଭାବନା ହେଉଛି ମାତ୍ର ୦.୦୦୫ ବା ୨,୦୦୦ରୁ ମାତ୍ର ୧। ସୋମବାର ଯଦି ରାଜସ୍ଥାନ ରୟାଲ୍ସଠାରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ହାରିଯାଏ, ତାହାଲେ ସେମାନଙ୍କର ଏହି ସମ୍ଭାବନା ଦୂର ‌ହୋଇଯିବ। ଅର୍ଥାତ୍ ସନରାଇଜର୍ସ ପ୍ଲେ ଅଫ୍ ଯିବାର କୌଣସି ସମ୍ଭାବନା ରହିବ ନାହିଁ।

୧୦) ସବୁଦୃଷ୍ଟିରୁ ଦେଖିଲେ ସିଏସ୍‌କେ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ୍‌ର ୩ ସ୍ଥାନ ନେବାର ୯୫ ପ୍ରତିଶତ ସମ୍ଭାବନା ରହିଛି। ଅନ୍ୟ ସ୍ଥାନଟି ପାଇଁ ଅବଶିଷ୍ଟ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ହେବ।

ସମ୍ବନ୍ଧିତ ଖବର