ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଛି। ପୂର୍ବରୁ ଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା ଘରୋଇ ଦଳ ଗୁରୁବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ନିଜଠୁ ଉଚ୍ଚମାନ୍ୟତା ଲେବାନନ୍‌ (୯୯) ସହ ଗୋଲ୍‌ ଶୂନ୍ୟ ଅମୀମାଂସିତ ରଖିଛି। ଫଳରେ ଭାରତ ୩ ମ୍ୟାଚରୁ ୨ ବିଜୟ ଓ ୧ ଅମୀମାଂସିତ ରଖି ୭ ପଏଣ୍ଟ ସହ ଗ୍ରୁପ୍‌ ବିଜେତା ହୋଇଛି। ‌ଅନ୍ୟପକ୍ଷରେ ଏହି ଅମୀମାଂସିତ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇ ଲେବାନନ୍‌ ଗ୍ରୁପ୍‌ ଉପବିଜେତା ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ଫାଇନାଲ୍‌ରେ ପୁଣି ଥରେ ଭାରତ ଓ ଲେବାନନ ମୁହାଁମୁହିଁ ହେବେ। ଲେବନାନ ୩ ମ୍ୟାଚ୍‌ରୁ ୧ ବିଜୟ, ୨ ଅମମୀମାଂସିତ ରଖି ୪ ପଏଣ୍ଟ ସହ ଦ୍ବିତୀୟରେ ରହିଛି।

Advertisment

ଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବାରୁ ଭାରତ ଗୁରୁବାର ନିଜର କିଛି ତାରକା ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ନରଖି ବିଶ୍ରାମ ଦେଇଥିଲା। ଫଳରେ ନିୟମିତ ଅଧିନାୟକ ସୁନିଲ ଛେତ୍ରୀଙ୍କ ବଦଳରେ ସନ୍ଦେଶ ଝିଙ୍ଗାନ ଦଳର ନେତୃତ୍ବ ନେଇଥିଲେ। ପ୍ରଥମାର୍ଦ୍ଧ ବିନା ପରିବର୍ତ୍ତନରେ ଦଳ ଖେଳିଥିଲା। ଆକ୍ରମଣ ପ୍ରତିଆକ୍ରମଣରେ ପ୍ରଥମାର୍ଦ୍ଧ ସରିଥିଲେ ମଧ୍ୟ ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ରଣନୀତି ବଦଳାଇ ଖେଳି ୪ ଜଣ ବଦଳ ଖେଳାଳିଙ୍କୁ ଖେଳାଇଥିଲା। ଶେଷ ୧୦ ମିନିଟ୍‌ରେ ଛେତ୍ରୀଙ୍କ ସହ ରାହୁଲ ଭେକେଙ୍କୁ ପଡ଼ିଆକୁ ଛାଡ଼ିଥିଲା। ଛେତ୍ରୀ ପଡ଼ିଆରେ ପ୍ରବେଶ ପରେ ଭାରତର ଆକ୍ରମଣ ଜୋରଦାର ହୋଇଥିଲା। ହେଲେ ଲେବାନନ୍‌ର ରକ୍ଷଣଭାଗ କୌଣସି ସୁଯୋଗ ଦେଇନଥିଲେ। ଫଳରେ ମ୍ୟାଚ୍‌ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ତେଣୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ରହିଥିଲେ। ସନ୍ଦେଶ ଝିଙ୍ଗାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତୀୟ ଅଲିମ୍ପିକ୍‌ ସଂଘ ସଭାପତି ତଥା କିଂବଦନ୍ତି ଧାବିକା ପିଟି ଉଷା ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଭାନୁଆତୁର ପ୍ରଥମ ବିଜୟ: ଆତ୍ମଘାତୀ ଗୋଲ୍‌ରେ ହାରିଲା ମଙ୍ଗୋଲିଆ

ଚଳିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ରେ ଭାନୁଆତୁ ପ୍ରଥମ ବିଜୟ ପାଇଛି। ଭାରତ ଓ ଲେବାନନ୍‌ଠୁ ହାରିଥିବା ୧୬୪ ମାନ୍ୟତାପ୍ରାପ୍ତ ଭାନୁଆତୁ ଗୁରୁବାରର ପ୍ରଥମ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ ନିଜଠୁ କମ୍‌ ମାନ୍ୟତାପ୍ରାପ୍ତ ମଙ୍ଗୋଲିଆ (୧୮୩)କୁ ପରାସ୍ତ କରିଛି। ଏଥିସହ ଭାନୁଆତୁ ଚଳିତ ପ୍ରତିଯୋଗିତାରେ ପ୍ରଥମ ପଏଣ୍ଟ୍‌ ଅର୍ଜନ କରି ଟେବୁଲର ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ମଙ୍ଗୋଲିଆ ୩ ମ୍ୟାଚ୍‌ରୁ ୨ ପରାଜୟ ଏବଂ ୧ ଅମୀମାଂସିତରୁ ୧ ପଏଣ୍ଟ ପାଇ ‌ଚତୁର୍ଥ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ ଗାନ୍ତୁୟା (୪୬ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ରେ ଭାନୁଆତୁ ଅଗ୍ରଣୀ ପାଇଯାଇଥିଲା। ଏହା ପରେ ଆଉ ଗୋଲ୍‌ ‌ନହେବାରୁ ଭାନୁଆତୁ ବିଜୟୀ ହୋଇଥିଲା।