ଭୁବନେଶ୍ୱର: ସ୍ଥାନୀୟ ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ହକି ପ୍ରତିଯୋଗିତା ସୋମବାର କଳିଙ୍ଗ ଷ୍ଟାଡିୟମଠାରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନରେ ଓଡ଼ିଶା ୧୦-୧ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଓଡ଼ିଶାର ପ୍ରସୂନ ତିର୍କୀ, ରାହୁଲ ଯାଦବ ଓ ରାଜେଶ୍ବର ଏକ୍କା ୨ ଲେଖାଏଁ ଏବଂ ମନୀଷ ଶର୍ମା, ସ ରୋଜ କୁମାର ଟପ୍ପୋ, ବୀରେନ୍ଦ୍ର ଯାଦବ, ଅମଲ ପାଲ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ମଙ୍ଗଳବାର ଫାଇନାଲ୍ରେ ଓଡ଼ିଶାର ମୁକାବିଲା ପଶ୍ଚମବଙ୍ଗ ସହିତ ହେବ।
ଉଦଘାଟନୀ ସମାରୋହରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଏବଂ ଓଡିଶା କ୍ରୀଡ଼ା ବିଭାଗ ସଚିବ ଭିନୀଲ କ୍ରିଷ୍ଣା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତା ଆୟୋଜକ କମିଟିର ଅଧ୍ୟକ୍ଷ ତଥା ପ୍ରଧାନ ମହାଲେଖାକାର ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଡୋନ ଉପସ୍ଥିତ ଥିଲେ। ବରିଷ୍ଠ ଉପମହାଲେଖାକାର ଶ୍ରୀରାଜ ଅଶୋକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।