ତୃତୀୟ ଦିନରେ ୫ ପଦକ, ଚାଷୀ ପୁଅଙ୍କୁ ସ୍ୱର୍ଣ୍ଣ
ଜାକର୍ତା/ପାଲେମବାଙ୍ଗ: ଏସୀୟ କ୍ରୀଡ଼ାର ତୃତୀୟ ଦିନରେ ଭାରତ ଆଉ ଗୋଟିଏ ସ୍ୱର୍ଣ୍ଣ ସହ ୫ ପଦକ ଜିତିଛି। ଏଥିସହିତ ଟିମ୍ ଇଣ୍ଡିଆର ମୋଟ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ପ୍ରଥମ ଦିନରେ ୨ ଓ ଦ୍ୱିତୀୟରେ ୩ ପଦକ ଜିତିଥିବା ଭାରତୀୟ ପ୍ରତିଯୋଗୀମାନେ ଆଜି ୫ ପଦକ ଅମଳ କରିଛନ୍ତି। ଉତ୍ତରପ୍ରଦେଶ କାଲିନା ଗ୍ରାମର କୃଷକ ପରିବାର ପୁଅ ସୌରଭ ଚୌଧୁରୀ ପଦାର୍ପଣରେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ବନ୍ଧୁକ ଚାଳନାର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ସେହିଭଳି ସିପକ ଟାକ୍ରରେ ଭାରତ ପ୍ରଥମ ଥର ଲାଗି ଏସୀୟ କ୍ରୀଡ଼ା ପଦକ ଜିତିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଏକାକୀ ବନ୍ଧୁକ ଚାଳନା ରେଞ୍ଜ୍ରୁ ତିନିଟି ପଦକ ମିଳିଥିଲା। ଅନ୍ୟ ଦୁଇ ପଦକ କୁସ୍ତି ଏବଂ ସିପକ ଟାକ୍ରରୁ ଆସିଛି। ୧୦ ମିଟର ଏୟାର ପିସ୍ତଲରେ କିଶୋର ତାରକା ସୌରଭ ଏକାଧିକ ବିଶ୍ୱ ଏବଂ ଅଲିମ୍ପିକ୍ସ ବିଜେତାଙ୍କୁ ପଛରେ ପକାଇ ସ୍ୱର୍ଣ୍ଣିମ ସଫଳତା ଲାଭ କରିଛନ୍ତି। ଏହି ବର୍ଗରେ ଆଉ ଜଣେ ନବାଗତ ଅଭିଷେକ ବର୍ମା କାଂସ୍ୟ ଜିତିବା ସହ ଭାରତ ଓ୍ଵାନ୍-ଥ୍ରୀ ଫିନିସ୍ ପାଇଥିଲା। ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସୌରଭ ଅସାଧାରଣ ପରିପକ୍ୱତା ଏବଂ ଧୈର୍ଯ୍ୟର ପରିଚୟ ଦେଇ ୨୪୦.୭ ପଏଣ୍ଟ୍ ଅର୍ଜନ କରିଥିଲେ। ଯାହା ଏସୀୟ କ୍ରୀଡ଼ା ଇତିହାସରେ ଏକ ନୂଆ କୀର୍ତ୍ତିମାନ ଥିଲା। ଶେଷ ଦୁଇ ସଟ୍ରେ ୧୦.୨ ଏବଂ ୧୦.୪ ପଏଣ୍ଟ୍ ଅର୍ଜନ କରିବା ହିଁ ତାଙ୍କୁ ସ୍ୱର୍ଣ୍ଣ ସହ ଏସୀୟ କୀର୍ତ୍ତିମାନର ଅଧିକାରୀ କରିଥିଲା। ସେହିଭଳି ଏହା ମଧ୍ୟ ୨୦୧୦ ବିଶ୍ୱବିଜେତା ଜାପାନର ତୋମୋୟୁକି ମାତସୁଦାଙ୍କଠାରୁ ସ୍ୱର୍ଣ୍ଣ ଛଡ଼ାଇ ଆଣିବା ଲାଗି ଯଥେଷ୍ଟ ହୋଇଥିଲା। ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସୌରଭ ମଧ୍ୟ ପଞ୍ଚମ ଭାରତୀୟ ହୋଇଥିଲେ। ଏହି ବର୍ଗରେ ଅଭିଷକ ୨୧୯.୩ ପଏଣ୍ଟ୍ ପାଇ ଭାରତ ପାଇଁ କାଂସ୍ୟ ପଦକ ହାସଲ କରିଥିଲେ। ସୌରଭଙ୍କ ଭଳି ୨୯ ବର୍ଷୀୟ ଅଭିଷେକ ମଧ୍ୟ ୩ ବର୍ଷ ତଳେ ବନ୍ଧୁକ ଚଳନା ଆରମ୍ଭ କରିଥିଲେ। ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ରେ ମଧ୍ୟ ଭାରତକୁ ରୁପେଲି ସଫଳତା ମିଳିଥିଲା। ଏଥିରେ ସଂଜୀବ ରାଜପୁତ ପ୍ରାରମ୍ଭିକ ଅଗ୍ରଣୀକୁ କିଛି ସମୟ ହାତଛଡ଼ା କରିଥିଲେ। ହେଲେ ପରେ ସଫଳ ପ୍ରତ୍ୟାବର୍ତନ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଥିଲେ। ଏହା ମଧ୍ୟ ତାଙ୍କର ପ୍ରଥମ ବ୍ୟକ୍ତିଗତ ଏସୀୟ କ୍ରୀଡ଼ା ପଦକ ଥିଲା। ସେ ୪୫୨.୭ ପଏଣ୍ଟ ଅର୍ଜନ କରିଥିଲେ। ଚୀନର ହୁଇ ଜିଚେଙ୍ଗ (୪୫୩.୩) ଏହି ଇଭେଣ୍ଟ୍ର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସିପକ ଟାକ୍ରରେ କେବେବି ଖାତା ଖୋଲି ନଥିବା ଭାରତୀୟ ପୁରୁଷ ଦଳ ମଙ୍ଗଳବାର କାଂସ୍ୟ ପଦକ ଜିତିବାର ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଛୁଇଁଥିଲା। ଭାରତୀୟ ଦଳ ସେମିଫାଇନାଲରେ ପୂର୍ବ ବିଜେତା ଥାଇଲାଣ୍ଡଠାରୁ ୦-୨ରେ ହାରିଯାଇଥିଲା। ତେବେ ଏହି ଖେଳର ଦୁଇ ପରାଜିତ ସେମିଫାଇନାଲିଷ୍ଟ କାଂସ୍ୟ ପଦକ ପାଇବାର ପରମ୍ପରା ଥିବାରୁ ଐତିହାସିକ ପଦକ ଲାଭ କରିଥିଲା। ସେହିଭଳି କୁସ୍ତି ଆଖଡ଼ାରୁ ମିଳୁଥିବା ସଫଳତା ଧାରାକୁ ଆଗେଇ ନେଇ ୬୮ କିଲୋଗ୍ରାମ ଫ୍ରି ଷ୍ଟାଇଲରେ ଦିବ୍ୟା କକରନ୍ ଚାଇନିଜ୍ ତାଇପେର ଚେନ୍ େଓ୍ଵନଲିଙ୍ଗଙ୍କୁ ଏକତରଫା ଭାବେ ୧୦-୦ରେ ହରାଇ ଆଉ ଏକ କାଂସ୍ୟ ଅମଳ କରିଥିଲେ।