ପ୍ୟାରିସ୍‌: ୩୬ ବର୍ଷ ବୟସରେ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିବା ସହ ସର୍ବିୟା କିଂବଦନ୍ତି ନୋଭାକ ଜୋଜୋଭିକ୍‌ ରେକର୍ଡ ବୁକ୍‌ରେ ନିଜ ନାମ ସାମିଲ କରି ନେଇଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍‌କୁ ଅନ୍ୟୁନ ୩ ଥର ଲେଖାଏଁ ଜିତିବାର ଗୌରବ ପାଇଛନ୍ତି। ମୋଟ ଉପରେ ୨୩ ପୁରୁଷ ଏକକ ଟ୍ରଫି ଜିତି ନୂଆ କୀର୍ତ୍ତିମାନ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ସ୍ପେନୀୟ ତାରକା ରାଫେଲ୍ ନାଦାଲଙ୍କ ୨୨ ଗ୍ରାଣ୍ଡ୍ ସ୍ଲାମ ରେକର୍ଡ ପଛରେ ପଡ଼ିଯାଇଛି। ରବିବାରର ଫ୍ରେଞ୍ଚ୍ ଓପନ୍ ପୁରୁଷ ଏକକ ଫାଇନାଲ୍‌ରେ ଜୋକୋଭିକ୍‌ ୭-୬ (୧), ୬-୩, ୭-୫ରେ ନରୱେର ଯୁବ ତାରକା କାସପର୍‌ ରୁଡଙ୍କୁ ପରାସ୍ତ କରିଥିଲେ।

Advertisment

ତୃତୀୟ ଥର ପାଇଁ ‌‌ଫ୍ରେଞ୍ଚ୍ ଓପନ୍ ଜିତି ନେଇଥିଲେ। ପୂର୍ବରୁ ଜୋକୋଭିକ୍‌ ଏହି କ୍ଲେ କୋର୍ଟ ପ୍ରତିଯୋଗିତାକୁ ୨୦୧୬ ଓ ୨୦୨୧ରେ ମଧ୍ୟ ଜିତିଥିଲେ। ଚଳିତ ବର୍ଷ ଜୋକୋଭିକ୍ ମଧ୍ୟ ଅଷ୍ଟ୍ରେଲିଆନ୍ ଓପନ୍‌କୁ ଦଶମ ଥର ପାଇଁ ହାସଲ କରି ଅନ୍ୟତମ ରେକର୍ଡ କରିଥିଲେ। ଏହା ଛଡ଼ା ସେ ୭ ଥର ୱିମ୍ବଲଡ଼ନ୍‌ ଓ ୩ ଥର ୟୁଏସ୍‌ ଓପନ୍ ଏକକ ଟ୍ରଫି ଜିତିବାର ଗୌରବ ରଖିଛନ୍ତି। ଠିକ୍ ୨୦ ବର୍ଷର ପେସାଦାର ଖେଳ ଜୀବନରେ ୨୩ ଗ୍ରାଣ୍ଡ ସ୍ଲାମ ଏକକ ଟ୍ରଫି ଜିତି ମହାନତମ ଖେଳାଳି ‌ପାଲଟିଯାଇଛନ୍ତି।