ପ୍ୟାରିସ୍: ବିଜେତା ରାଫେଲ୍ ନାଦାଲ୍ ଏବଂ ତୃତୀୟ ମାନ୍ୟତା ରୋଜର ଫେଡେରର୍ ଚଳିତ ଫ୍ରେଞ୍ଚ୍ ଓପନ୍ରେ ବିଜୟ ଧାରା ଜାରି ରଖି ପୁରୁଷ ଏକକ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ୧୧ ଥର ଏଠାରେ ଟ୍ରଫି ଜିତିଥିବା ବିଶ୍ବର ୨ ନମ୍ବର ଏହି ସ୍ପେନ୍ ତାରକା ବୁଧବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ସିଧାସଳଖ ୬-୧, ୬-୨, ୬-୪ ସେଟ୍ରେ ଜର୍ମାନିର ୟାନିକ ମାଦେନ୍ଙ୍କୁ ହରାଇଥିଲେ। ସେ ପରବର୍ତୀ ପର୍ଯ୍ୟାୟରେ ବେଲ୍ଜିୟମର ଡେଭିଡ ଗଫିନଙ୍କୁ ଭେଟିବେ। ଗଫିନ ୬-୨, ୬-୪, ୬-୩ ସେଟ୍ରେ ସର୍ବିୟାର ମିଓମିର କେସମାନୋଭିକ୍ଙ୍କୁ ପରାସ୍ତ କରିଥିଲେ। ଅନ୍ୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ସ୍ବିଜରଲାଣ୍ଡ୍ ତାରକା ଫେଡେରର୍ ୬-୪, ୬-୩ ଓ ୬-୪ ସିଧାସଳଖ ସେଟ୍ରେ ଓଟେଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ଅତିକ୍ରମ କରିଥିଲା ବେଳେ ଷଷ୍ଠ ମାନ୍ୟତା ଗ୍ରିସ୍ର ଷ୍ଟିଫାନୋସ ସିସିପାସ ୪-୬, ୬-୦, ୬-୩, ୭-୫ ସେଟ୍ରେ ହୁଗୋ ଡେଲିଏନ୍ଙ୍କୁ ହରାଇଥିଲେ। ସପ୍ତମ ମାନ୍ୟତା କେଇ ନିସିକୋରି ୪-୬, ୬-୪, ୬-୪, ୬-୪ ସେଟ୍ରେ ଫ୍ରାନ୍ସର ଜୋ ୱିଲ୍ଫ୍ରାଏଡ୍ ସୋଙ୍ଗାଙ୍କୁ ଏବଂ ୨୪ ମାନ୍ୟତା ଷ୍ଟାନ୍ ୱାରିଙ୍କା ୬-୧, ୬-୪, ୬-୦ ସିଧାସଳଖ ସେଟ୍ରେ ଗାରିନ୍ଙ୍କୁ ହରାଇ ଆଗକୁ ବଢ଼ିଛନ୍ତି।
ମହିଳା ଏକକରେ ଦ୍ବିତୀୟ ମାନ୍ୟତା ଚେକ୍ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ସିଧାସଳଖ ୬-୨, ୬-୨ ସେଟ୍ରେ ସ୍ଲୋଭାକିଆର କ୍ରିସ୍ତିନା କୁକୁଭାଙ୍କୁ ଏବଂ ସପ୍ତମ ମାନ୍ୟତା ଆମେରିକାର ସ୍ଲୋଆନେ ଷ୍ଟିଫେନ୍ସ ୬-୧, ୭-୬ ସେଟ୍ରେ ସ୍ପେନ୍ର ସାରା ସୋରିବେସ ତୋର୍ମୋଙ୍କୁ ମାତ୍ ଦେଇ ପରବର୍ତୀ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ୧୯ ମାନ୍ୟତା ପୂର୍ବ ବିଜୟିନୀ ଗାର୍ବିନେ ମୁଗୁରୁଜା ୬-୪, ୬-୧ ସେଟ୍ରେ ସ୍ବିଡେନ୍ର ଜୋହାନ୍ନା ଲାର୍ସନଙ୍କୁ ହରାଇ ଏବଂ ନବମ ମାନ୍ୟତା ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କ ପ୍ରତିଦ୍ବନ୍ଦ୍ବୀ କାଟେରିନା କୋଜିଓଭା ଆହତ ଯୋଗୁଁ ଓହରି ଯିବାରୁ ଉଭୟ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ସେହିପରି ଚତୁର୍ଥ ମାନ୍ୟତା କିକି ବର୍ତେନ୍ସ ମଧ୍ୟ ଆହତ ଯୋଗୁଁ ପ୍ରଥମ ସେଟ୍ରୁ ଓହରି ବିଦାୟ ନେଇଛନ୍ତି।
ବୋପାନ୍ନା, ଶରଣ ଆଗେଇଲେ

ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଦୁଇ ଭାରତୀୟ ରୋହନ ବୋପାନ୍ନା ଏବଂ ଦିଭିଜ ଶରଣ ନିଜ ନିଜ ସାଥୀଙ୍କ ସହ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ପୁରୁଷ ଯୁଗଳରେ ରୋମାନିଆର ମାରିୟସ୍ କୋପିଲଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୬-୩, ୭-୬ ସେଟ୍ରେ ଷଷ୍ଠ ମାନ୍ୟତା ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଯୋଡ଼ି ରବୀନ କ୍ଲାସେନ ଓ ମାଇକେଲ୍ ଭେନସଙ୍କୁ ହରାଇଥିଲେ। ସେହିପରି ବ୍ରାଜିଲର ମାର୍ସିଲୋ ଡେମୋଲାଇନରଙ୍କୁ ସାଥୀ କରି ଖେଳୁଥିବା ଶରଣ ୬-୩, ୪-୬, ୬-୨ ସେଟ୍ରେ ସ୍ବିଡେନ୍-ହଙ୍ଗେରି ଯୋଡ଼ି ରବର୍ଟ ଲିଣ୍ଡଷ୍ଟେଡ୍ ଓ ମାର୍ଟନ ଫୁକସୋଭିକଙ୍କୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟରେ ପ୍ରବେଶ କରିଥିଲେ।