ତୃତୀୟ ପର୍ଯ୍ୟାୟରୁ ଓଷ୍ଟାପେଙ୍କୋ ବିଦା

ପ୍ରି କ୍ୱାର୍ଟର୍‌ରେ ନାଦାଲ୍‌, ଦିମିତ୍ରୋଭ, ଓ୍ଵଜ୍‌ନିଆକି, ସ୍ୱିତୋଲିନା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ତୃତୀୟ ପର୍ଯ୍ୟାୟରୁ ଫ୍ରେଞ୍ଚ ଓପନ୍‌ ବିଜୟିନୀ ତଥା ସପ୍ତମ ମାନ୍ୟତା ଜେଲିନା ଓଷ୍ଟାପେଙ୍କୋ ବିଦାୟ ନେଇଛନ୍ତି। ଏହି ୨୦ ବର୍ଷୀୟ ଲାଟଭିଆ ଲଳନା ୩-୬, ୬-୧, ୩-୬ ସେଟ୍‌ରେ ୩୨ ମାନ୍ୟତା ଇସ୍ତୋନିଆର ଆନିତ କୋଣ୍ଟାଭିଟ୍‌ଙ୍କଠୁ ହାରି ଯାଇଥିଲେ। ତେବେ ଦ୍ୱିତୀୟ ମାନ୍ୟତା କାରୋଲିନା ଓ୍ଵଜ୍‌ନିଆକି, ଚତୁର୍ଥ ମାନ୍ୟତା ଏଲିନା ସ୍ୱିତୋଲିନା ଏବଂ ଉନ୍ନବିଂଶ ମାନ୍ୟତା ମାଗ୍‌ଦେଲିନା ରିବାରିକୋଭା ବିଜୟ ଜାରି ରଖି ପ୍ରି କ୍ୱାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଶୀର୍ଷ ମାନ୍ୟତା ରାଫେଲ୍‌ ନାଦାଲ୍‌, ତୃତୀୟ ମାନ୍ୟତା ଗ୍ରିଗୋର ଦିମିତ୍ରୋଭ ଏବଂ ଷଷ୍ଠ ମାନ୍ୟତା ମାରିନ୍‌ ସିଲିକ୍‌ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ତୃତୀୟ ପର୍ଯ୍ୟାୟ ବାଧା ପାରି କରି ନେଇଛନ୍ତି।
ଶୁକ୍ରବାର ତୃତୀୟ ପର୍ଯ୍ୟାୟ ପୁରୁଷ ଏକକ ମୁକାବିଲାରେ ସ୍ପେନ୍‌ ତାରକା ନାଦାଲ ୬-୧, ୬-୩, ୬-୧ ସିଧାସଳଖ ସେଟ୍‌ରେ ୨୮ ମାନ୍ୟତା ଡାମିର ଜୁମୁରଙ୍କୁ ପରାସ୍ତ କରିଥିଲେ। ପ୍ରି କ୍ୱାର୍ଟର୍‌ରେ ନାଦାଲ ଆର୍ଜେଣ୍ଟିନାର ଡିଏଗୋ ଶ୍ଚଓ୍ଵାର୍ଜମ୍ୟାନ୍‌ଙ୍କୁ ଭେଟିବେ। ୨୪ ମାନ୍ୟତା ଶ୍ଚଓ୍ଵାର୍ଜମ୍ୟାନ୍‌ ୬-୭, ୬-୨, ୬-୩, ୬-୩ ସେଟ୍‌ରେ ଆଲେକ୍ସଜାଣ୍ଡର ଡୋଲ୍‌୍ଗାପୋଲ୍ଭଙ୍କୁ ହରାଇଥିଲେ। ବୁଲ୍‌ଗେରିଆର ଦିମିତ୍ରୋଭ ୬-୩, ୪-୬, ୬-୪, ୬-୪ ସେଟ୍‌ରେ ୩୦ ମାନ୍ୟତା ରୁଷିଆର ଆନ୍ଦ୍ରେ ରୁବଲଭ୍‌ଙ୍କୁ ପରାସ୍ତ କରିଥିଲେ। ସେହିଭଳି ଷଷ୍ଠ ମାନ୍ୟତା କ୍ରୋଏସିଆର ମାରିନ୍‌ ସିଲିକ୍‌ ୭-୬, ୬-୩, ୭-୬ ସେଟ୍‌ରେ ଆମେରିକାର ରିଆନ୍‌ ହାରିସନ୍‌ଙ୍କୁ ହରାଇ ପ୍ରି କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ପେନ୍‌ର ପାବ୍ଲୋ କାରିନା ବୁଷ୍ଟାଙ୍କୁ ଭେଟିବେ। ବୁଷ୍ଟା ୭-୬, ୪-୬, ୭-୫, ୭-୫ ସେଟ୍‌ରେ ଗେଲ୍ସ ମୁଲରଙ୍କୁ ମାତ୍‌ ଦେଇଥିଲେ। ସପ୍ତଦଶ ମାନ୍ୟତା ନିକ୍‌ କିର୍ଗିସ୍‌ ଘରୋଇ ମାଟିରେ ୭-୬, ୪-୬, ୭-୬, ୭-୬ ସେଟ୍‌ରେ ପଞ୍ଚଦଶ ମାନ୍ୟତା ଜୋ ଓ୍ଵିଫ୍ରାଏଡ୍‌ ସୋଙ୍ଗାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।

ମହିଳା ଏକକରେ ଡେନ୍‌ମାର୍କ ସୁନ୍ଦରୀ ଓ୍ଵଜନିଆକି ୬-୪, ୬-୩ ସଧାସଳଖ ସେଟ୍‌ରେ ୩୦ ମାନ୍ୟତା ନେଦରଲାଣ୍ଡ୍‌ର କିକି ବର୍ତନିଙ୍କୁ, ୟୁକ୍ରେନ୍‌ ଲଳନା ସ୍ୱିତୋଲିନା ୬-୨, ୬-୨ ସେଟ୍‌ରେ ନିଜ ଦେଶର ୧୫ ବର୍ଷୀୟା ଯୁବତୀ ମାର୍ତା କୋସୁଙ୍କ୍‌ଙ୍କୁ ଏବଂ ରିବାରିକୋଭା ୭-୬, ୩-୬, ୬-୧ ସେଟ୍‌ରେ ୟୁକ୍ରେନ୍‌ର କାଟ୍ରିନା ବୋନ୍ଦାରିକୋଙ୍କୁ ହରାଇଥିଲେ। ଥାଇଲାଣ୍ଡ୍‌ର ଲୁକ୍‌ସିକା କୁମ୍‌ଖୁମ୍‌ଙ୍କୁ ପରାସ୍ତ କରି କ୍ରୋଏସିଆର ପେତ୍ରା ମାର୍ଟିକ ନିଜର ୨୬ତମ ଜନ୍ମଦିନକୁ ସ୍ମରଣୀୟ କରିଛନ୍ତି। ସେ ୬-୩, ୩-୬, ୭-୫ ସେଟ୍‌ରେ କୁମ୍‌ଖୁମ୍‌ ହରାଇ ପ୍ରି କ୍ୱାର୍ଟର୍‌ରେ ସ୍ଥାନ ପକ୍କା କରିଥିଲେ।
ବୋପାନ୍ନା, ସରଣ ଆଗେଇଲେଦୁଇ ଭାରତୀୟ ତାରକା ରୋହନ୍‌ ବୋପାନ୍ନା ଏବଂ ଦିଭିଜ ସରଣ ନିଜ ନିଜ ସାଥୀଙ୍କ ସହ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ମଙ୍ଗଳବାର ପୁରୁଷ ଯୁଗଳରେ ବୋପାନ୍ନା ତାଙ୍କ ଫ୍ରାନ୍ସ ସାଥୀ ଏଡର୍ଡ ରୋଜର-ଭାସେଲିନ୍‌ ୬-୨, ୭-୬ ସେଟ୍‌ରେ ଆର୍ଜେଣ୍ଟିନାର ଲିଓନାର୍ଡ ମେୟର ଓ ପର୍ତୁଗାଲର ଜୋଆଓ ସୌସାଙ୍କୁ ହରାଇ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। ୧୦ ମାନ୍ୟତା ଏହି ଭାରତ-ଫ୍ରାନ୍ସ ଯୋଡ଼ି ପରବର୍ତୀ ପର୍ଯ୍ୟାୟରେ ସପ୍ତମ ମାନ୍ୟତା ଓଲିଭର ମାରାକ ଓ ମାତେ ପାଭିକ୍‌ଙ୍କୁ ଭେଟିବେ। ଆମେରିକାର ରାଜୀବ ରାମଙ୍କୁ ସାଥୀ କରି ଖେଳୁଥିବା ଦିଭିଜ ୪-୬, ୭-୬, ୬-୨ ସେଟ୍‌ରେ ଇଟାଲି-ସ୍ପେନ୍‌ ଯୋଡ଼ି ଫାବିଓ ଫୋଗନିନି ଓ ମାର୍ସିଲ୍‌ ଗ୍ରାନୋଲର୍ସଙ୍କୁ ହରାଇ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର