ବିପର୍ଯ୍ୟୟ ଜାରି: ଆଣ୍ଡରସନ୍‌, ବର୍ତେନ୍ସ ବିଦା: ତୃତୀୟ ପର୍ଯ୍ୟାୟରେ ନାଦାଲ, ଫେଡେରର୍‌, କର୍ବର, ଓଜ୍‌ନିଆକି

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ ଟେନିସ୍‌ ପ୍ରତିଯୋଗିତାରେ ବିପର୍ଯ୍ୟୟ ଜାରି ରହିଛି। ସୋମବାର ଆଣ୍ଡି ମରେ ଓ ଜନ୍‌ ଇଜ୍‌ନର ଏବଂ ମଙ୍ଗଳବାର ପୂର୍ବତନ ଶୀର୍ଷ ଖେଳାଳି ତଥା ୨ ଥର ବିଜୟିନୀ ଭିକ୍ଟୋରିଆ ଆଝାରେଙ୍କା ଓ ଦଶମ ମାନ୍ୟତା ଦାରିଆ କାସାତ୍‌କିନା ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ସେହିଭଳି ବୁଧବାର ଦ୍ବିତୀୟ ପର୍ଯ୍ୟାୟରୁ ଦକ୍ଷିଣ ଆଫ୍ରିକାର ପୁରୁଷ ତାରକା କେଭିନ ଆଣ୍ଡରସନ୍‌ ଏବଂ ‌ନେଦରଲାଣ୍ଡର ମହିଳା ଖେଳାଳି କିକି ବର୍ତେନ୍ସ ସାମିଲ ହୋଇଛନ୍ତି। ପଞ୍ଚମ ମାନ୍ୟତା ଆଣ୍ଡରସନ୍‌ଙ୍କୁ ୪-୬, ୬-୪, ୬-୪, ୭-୫ ସେଟ୍‌ରେ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଏ ଏବଂ ନବମ ମାନ୍ୟତା ବର୍ତେନ୍ସଙ୍କୁ ୩-୬, ୬-୩, ୬-୩ ‌ସେଟ୍‌ରେ ରୁଷିଆର ଅନାସ୍ତେସିଆ ପାଭଲ୍ୟୁଚେଙ୍କୋଭା ହରାଇ ବିଦାୟ ରାସ୍ତା ଦେ‌ଖାଇଥିଲେ। ସେହିପରି ପୁରୁଷ ଏକକରୁ ଫ୍ରାନ୍ସର ଗେଲ୍‌ ମନ୍‌ଫିଲ୍ସ ବିଦା ହୋଇଥିଲା ଶୀର୍ଷ ମାନ୍ୟତାଙ୍କ ମଧ୍ୟରେ ପୁରୁଷ ଏକକରେ ରାଫେଲ୍‌ ନାଦାଲ (ଦ୍ବିତୀୟ), ରୋଜର ଫେଡେରର୍‌ (ତୃତୀୟ), ମାରିନ୍‌ ସିଲ୍‌କ (‌ଷଷ୍ଠ) ନିଜ ନିଜ ଅଭିଯାନ ଜାରି ରଖି ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ୧୭ ଗ୍ରାଣ୍ଡ୍‌ ସ୍ଲାମ ବିଜେତା ସ୍ପେନ୍‌ର ନାଦାଲ ୬-୩, ୬-୨, ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଦେନ୍‌ଙ୍କୁ, ଗତ ଥରର ବିଜେତା ସ୍ବିଜରଲାଣ୍ଡ୍‌ ତାରକା ଫେଡେରର୍‌ ୭-୬, ୭-୬, ୬-୩ ସେଟ୍‌ରେ ୟୁକେ’ର ଡାନ୍‌ ଏଭାନ୍ସଙ୍କୁ, ପୂର୍ବ ଫାଇନାଲି‌ଷ୍ଟ କ୍ରୋଏସିଆର ସିଲିକ୍‌ ୭-୫, ୬-୭, ୬-୪, ୬-୪ ସେଟ୍‌ରେ ଆମେରିକାର ମାକେଞ୍ଜି ମ୍ୟାକ୍‌ଡୋନାଲ୍ଡଙ୍କୁ ମାତ୍‌ ଦେଇ ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ମହିଳା ଏକକରେ ଆଞ୍ଜେଲିକ୍‌ କର୍ବର (ଦ୍ବିତୀୟ), ଗତ ଥରର ବିଜୟିନୀ କାରୋଲିନା ୱଜନିଆକି (ତୃତୀୟ), ସ୍ଲୋଆନେ ଷ୍ଟିଫେନ୍ସ (ପଞ୍ଚମ), ପେଟ୍ରା କ୍ବିତୋଭା (ଅଷ୍ଟମ) ଏବଂ ମାରିଆ ସାରାପୋଭା (୩୦ତମ) ଏହି ପ୍ରତିଯୋଗିତା‌ରେ ଆଉ ଗୋଟେ ପାଦ ଆଗକୁ ବଢାଇଛନ୍ତି। ବୁଧବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ୱିମ୍ବଲ୍‌ଡନ୍‌ ବିଜୟିନୀ ଜର୍ମାନିର କର୍ବର ୬-୨, ୬-୩ ସେଟ୍‌ରେ ବ୍ରାଜିଲର ବିତ୍ରିଜ୍‌ ହାଦାଦ ମାଇଆଙ୍କୁ, ଡେନ୍‌ମାର୍କର ୱଜ୍‌ନିଆକି ୬-୧, ୬-୩ ‌ସେଟ୍‌ରେ ସ୍ବିଡନ୍‌ର ଜୋନା ଲାର୍ସନ୍‌ଙ୍କୁ, ଆମେରିକାର ଷ୍ଟିଫେନ୍ସ ୬-୩, ୬-୧ ସେଟ୍‌ରେ ହଙ୍ଗେରିର ତିମିଆ ବାବୋସ୍‌ଙ୍କୁ, ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଚେକ୍‌ ଗଣରାଜ୍ୟର କ୍ବିତୋଭା ୬-୧, ୬-୩ ସେଟ୍‌ରେ ଇରିନା-କାମେଲିଆ ବିଗୁଙ୍କୁ ଏବଂ ୨୦୦୮ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ରୁଷିଆର ସାରାପୋଭା ୬-୨, ୬-୧ ସେଟ୍‌ରେ ସ୍ବିଡେନ୍‌ର ରେବିକା ପିଟରସନ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରି‌ଗୋର୍‌ ଦିମିତ୍ରୋଭ, ରୋବର୍ତୋ ମତିସ୍ତା ଅଗୁଟ୍‌, କରିନ୍‌ ଖାଚାନୋଭ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମହିଳାରେ କାରୋଲିନ୍‌ ଗ୍ରାସିଆ, ଆରିନା ସାବଲେଙ୍କା ଓ ଆସ‌ିଲେ ବାର୍ତି ମଧ୍ୟ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି।

ପୁରୁଷ ଯୁଗଳରୁ ଭାରତର ଅଭିଯାନ ଶେଷ
ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ ପରେ ଯୁଗଳରେ ମଧ୍ୟ ଭାରତର ଅଭିଯାନ ଶେଷ ହୋଇଛି। ଏକମାତ୍ର ଭାରତୀୟ ଭାବେ ଏକକରେ ଖେଳୁଥିବା ପ୍ରଜ୍ଞେଶ ଗୁଣେଶ୍ବରନ୍‌ ଆରମ୍ଭରୁ ବିଦାୟ ନେଇଥିଲେ। ‌ସେହିଭଳି ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ରୋହନ ବୋପାନ୍ନା-ଦିଭିଜ ସରଣ, ଭେଟେରାନ୍‌ ତାରକା ଲିଆଣ୍ଡର ପେସ୍‌, ଜୀବନ ନେଦୁଞ୍ଚେଝିୟାନ୍‌ ମଧ୍ୟ ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ପୁରୁଷ ଯୁଗଳ ମୁକାବିଲାରେ ବୋପାନ୍ନା-ସରଣ ୧-୬, ୬-୪, ୫-୭ ସେଟ୍‌ରେ ସ୍ପେନ୍‌ ଯୋଡ଼ି ପାବ୍‌ଲୋ କାରିନୋ ବୁଷ୍ଟା ଓ ଗୁଇଲେର୍ମୋ ଗାର୍ସିଆ ଲୋପେଜଙ୍କଠୁ ହାରିଯାଇଥିଲେ। ୨୪ତମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳୁଥିବା ପେସ୍‌ ଓ ତାଙ୍କ ମେକ୍ସିକୋ ସାଥୀ ମିଗୁଏଲ୍‌ ଆଞ୍ଜେଲ୍‌ ରିୟସ୍‌-ଭାରିଲା ୫-୭, ୬-୭ ସେଟ୍‌ରେ ଆମେରିକା-ନ୍ୟୁଜିଲାଣ୍ଡ ଯୋଡ଼ି ଅଷ୍ଟିନ୍‌ କ୍ରାଜିସେକ ଓ ଆର୍ତେମ ସିତକଙ୍କଠୁ ପରାସ୍ତ ହୋଇଥିଲେ। ସେହିଭଳି ଆମେରିକାର ନିକୋଲାସ ମନ୍‌ରୋଏଙ୍କୁ ସାଥୀ କରି ଖେଳୁଥିବା ନେଦୁଚେଝିୟାନ୍‌ ୬-୪, ୭-୭, ୫-୭ ସେଟ୍‌ରେ ଜର୍ମାନି-କ୍ରୋଏସିଆ ଯୋଡ଼ି କେଭିନ କ୍ରାୱିଜ୍‌ ଓ ନିକୋଲା ମେକ୍ଟିକଙ୍କଠୁ ପରାଜୟ ବରଣ କରି ଆଗକୁ ବଢ଼ିବାରେ ବିଫଳ ହୋଇଥି‌ଲେ।

ଦର୍ଶକ ଷ୍ଟାଣ୍ଡରେ ରୋହିତ-ଦୀନେଶ
ମଙ୍ଗଳବାର ଭାରତୀୟ କ୍ରିକେଟ୍ ଦଳର ଆଡିଲେଡ୍ ବିଜୟରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବା ପରେ ଉପଅଧିନାୟକ ରୋହିତ ଶର୍ମା ଏବଂ ଦୀନେଶ କାର୍ତିକ ବୁଧବାର ଅଷ୍ଟ୍ରେଲିଆନ୍ ଓପନର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଉଭୟ ଦର୍ଶକ ଗ୍ୟାଲେରିରେ ବସି ଏକକ ମ୍ୟାଚ୍‌କୁ ଉପଯୋଗ କରୁଥିବାର ଫଟୋ ରୋହିତ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ସେ ମଧ୍ୟ ଏହି ଫଟୋକୁ ନିଜ ଟ୍ବିଟର ପୃଷ୍ଠାରେ ସ୍ଥାନ ଦେଇଥିଲେ। ଆଡିଲେଡରେ ପାଳି ଆରମ୍ଭ କରି ରୋହିତ ୪୩ ରନ୍ କରିଥିଲେ। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ମିଶି କାର୍ତିକ ବିଜୟ ମୁଣ୍ଡି ମାରିଥିଲେ। ସେ ଦ୍ରୁତ ଓ ଦାୟିତ୍ବବାନ ୨୫* ରନ୍ କରିଥିଲେ।

ସମ୍ବନ୍ଧିତ ଖବର