ତୃତୀୟ ପର୍ଯ୍ୟାୟରେ ନାଦାଲ, ସୋଙ୍ଗା, ଓ୍ଵଜ୍‌ନିଆକି, ସ୍ୱିତୋଲିନା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ତୃତୀୟ ଦିନରେ କୌଣସି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିନି। ପୁରୁଷ ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ରାଫେଲ୍‌ ନାଦାଲ୍‌, ତୃତୀୟ ମାନ୍ୟତା ଗ୍ରିଗୋର ଦିମିତ୍ରୋଭ, ଷଷ୍ଠ ମାନ୍ୟତା ମାରିନ୍‌ ସିଲିକ୍‌ ନିଜ ନିଜର ବିଜୟ ସହ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେହିପରି ମହିଳା ଏକକରେ ଦ୍ୱିତୀୟ ମାନ୍ୟତା କାରୋଲିନା ଓ୍ଵଜ୍‌ନିଆକି, ଚତୁର୍ଥ ମାନ୍ୟତା ଏଲିନା ସ୍ୱିତୋଲିନା ଏବଂ ସପ୍ତମ ମାନ୍ୟତା ଜେଲିନା ଓଷ୍ଟାପେଙ୍କୋ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ବୁଧବାର ପୁରୁଷ ଏକକ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ନାଦାଲ ୬-୩, ୬-୪, ୭-୬ ସେଟ୍‌ରେ ଆର୍ଜେଣ୍ଟିନାର ଲିଓନାର୍ଡୋ ମେୟର ଏବଂ ସିଲିକ୍‌ ୬-୧, ୭-୫, ୬-୨ ସେଟ୍‌ରେ ପର୍ତୁଗାଲର ଜୋଆଓ ସୌସାଙ୍କ ବିପକ୍ଷରେ ସହଜ ବିଜୟ ପାଇଥିଲେ। ଅନ୍ୟପକ୍ଷରେ କଡ଼ା ସଂଘର୍ଷ କରି ସୋଙ୍ଗା ୩-୬, ୬-୩, ୧-୬, ୭-୬, ୭-୫ରେ କାନାଡାର ଡେନିସ୍‌ ସାପୋଭାଲୋଭଙ୍କୁ ଏବଂ ଦିମିତ୍ରୋଭ ୪-୬, ୬-୨, ୬-୪, ୦-୬, ୮-୬ ସେଟ୍‌ରେ ଆମେରିକାର ମାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ହରାଇଥିଲେ। ଟାଟା ଓପନ୍‌ ବିଜେତା ଗାଇଲ୍‌ସ ସିମୋନ୍‌ ଆହତ ହୋଇ ମ୍ୟାଚ୍‌ ଅଧାରୁ ଓହରିଯିବାରୁ ଦଶମ ମାନ୍ୟତା ପାବ୍‌ଲୋ କାରିନୋ ବୁଷ୍ଟା ସହଜରେ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଥିଲେ।

ମହିଳା ଏକକରେ ଓ୍ଵଜନିଆକି ୩-୬, ୬-୨, ୭-୫ ସେଟ୍‌ରେ କ୍ରୋଏସିଆର ଜାନା ଫେଟ୍‌ଙ୍କୁ, ସ୍ୱିତୋଲିନା ୪-୬, ୬-୨, ୬-୧ ସେଟ୍‌ରେ କାଟାରିନା ସିନିକୋଭାଙ୍କୁ ପରାସ୍ତ କରିଥିଲା ବେଳେ ବିଶ୍ୱ ମାନ୍ୟତାର ୫୨୧ତମ ଖେଳାଳି ତଥା ୧୫ ବର୍ଷୀୟା ଚେକ୍‌ ଗଣରାଜ୍ୟ ଲଳନା ମାର୍ତା କୋସ୍ତ୍ୟୁକ ସିଧାସଳଖ ୬-୩ ଓ ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ଓଲିଭିଆ ରୋଗୋଓ୍ଵସ୍କାଙ୍କୁ ଏବଂ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଓଷ୍ଟାପେଙ୍କୋ ୬-୩, ୩-୬, ୬-୪ ସେଟ୍‌ରେ ଚୀନ୍‌ର ଦୁଆନ୍‌ ୟିଙ୍ଗ୍‌ୟିଙ୍ଗ୍‌ଙ୍କୁ ହରାଇଥିଲେ।

୪୦ ବର୍ଷର କୀର୍ତିମାନ ଭାଙ୍ଗିଲା କାର୍ଲୋଭିକ୍‌ ବୟୋଜ୍ୟେଷ୍ଠ
ଆସନ୍ତା ମାସରେ ୩୯ ବର୍ଷ ପୂରଣ କରିବାକୁ ଯାଉଥିବା କ୍ରୋଏସିଆର ଇଭୋ କାର୍ଲୋଭିକ୍‌ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକରେ ଜାପାନ୍‌ର ୟୁଚି ସୁଗିତଙ୍କୁ ୭-୬, ୬-୭, ୭-୫, ୪-୬, ୧୨-୧୦ ସେଟ୍‌ରେ ହରାଇ ୪୦ ବର୍ଷ ପରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ତୃତୀୟ ପର୍ଯ୍ୟୟରେ ପହଞ୍ଚିଛନ୍ତି। ଏହି ମ୍ୟାଚ୍‌ ୫ ସେଟ୍‌ ସହ ୪ ଘଣ୍ଟା ୩୩ ମିନିଟ୍‌ ସମୟ ଧରି ଖେଳା ଯାଇଥିଲା। ଯାହାକି ଚଳିତ ବର୍ଷର ସବୁଠୁ ଲମ୍ବା ମ୍ୟାଚ୍‌ର କୀର୍ତିମାନ ପାଇଛି। କାର୍ଲୋଭିକ୍‌ ପରବର୍ତୀ ପର୍ଯ୍ୟାୟରେ ଇଟାଲିର ଆନ୍ଦ୍ରିଆସ୍‌ ସେପିଙ୍କୁ ଭେଟିବେ। ପୂର୍ବରୁ ୧୯୭୮ରେ କେନ୍‌ ରୋଜ୍‌ଓ୍ଵାଲ୍‌ ୪୪ ବର୍ଷ ବୟସରେ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର