ନେଲ୍ସନ୍: ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟ୍ବେଣ୍ଠି-୨୦ ମ୍ୟାଚ୍ରେ ଭ୍ରମଣକାରୀ ଇଂଲଣ୍ଡ ୧୪ ରନ୍ରେ ଘରୋଇ ନ୍ୟୁଜିଲାଣ୍ଡ ନିକଟରୁ ହାରିଯାଇଛି। କଲିନ୍ ଡି ଗ୍ରାଣ୍ଡୋମ (୫୫ ରନ୍, ୩୫ ବଲ୍, ୫ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ପରେ ଲୁକ ଫର୍ଗୁସନ୍ (୨/୨୫) ଓ ବ୍ଲେୟାର ଟିକ୍ନର୍ (୨/୨୫)ଙ୍କ ଚମତ୍କାର ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ପାଇଛି। ଏଥି ସହିତ କ୍ରମାଗତ ଦ୍ବିତୀୟ ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୧ର ଅଗ୍ରଣୀ ପାଇଯାଇଛି। ଗ୍ରାଣ୍ଡୋମ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ମାର୍ଟିନ୍ ଗପ୍ଟିଲ (୩୩ ରନ୍, ୧୭ ବଲ୍, ୭ ଚୌକା) ଧୂଆଁଧାର ଆରମ୍ଭ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୩.୫ ଓଭରରେ ୪୦ ରନ୍ ଯୋଡ଼ିଥିଲା। ଏହାପରେ ଗ୍ରାଣ୍ଡୋମ ପାଳି ସମ୍ଭାଳିଥିଲେ। ସେ ଚତୁର୍ଥ ୱିକେଟ୍ରେ ଅଭିଜ୍ଞ ରସ୍ ଟେଲର (୨୭ ରନ୍, ୨୪ ବଲ୍, ୨ ଚୌକା, ୧ ଛକା)ଙ୍କ ସହ ୬୬ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ନିସାମ (୨୦ ରନ୍, ୧୫ ବଲ୍, ୨ ଚୌକା, ୧ ଛକା) ଏବଂ ମିଚେଲ ସାଣ୍ଟନର୍ (୧୫ ରନ୍, ୯ ବଲ୍, ୨ ଚୌକା)ଙ୍କ ଧମାକା ବଳରେ ନ୍ୟୁଜିଲାଣ୍ଡ ୭ ୱିକେଟ୍ ବିନିମୟରେ ୧୮୦ ରନ୍ କରିନେଇଥିଲା। ଟମ୍ କରନ୍ ୨୯ ରନ୍ରେ ୨ ୱିକେଟ୍ ନେଇ ଇଂଲଣ୍ଡର ସଫଳ ବୋଲର ରହିଥିଲେ।
ଜବାବରେ ଡେଭିଡ୍ ମଲାନ୍ (୫୫ ରନ୍, ୩୪ ବଲ୍, ୮ ଚୌକା, ୧ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ଜେମ୍ସ ଭିନ୍ସଙ୍କ ୪୯ ରନ୍ ସତ୍ତ୍ବେ ଇଂଲଣ୍ଡ ସ୍କୋର୍ ୧୬୬/୭ରେ ସୀମିତ ରହିଗଲା। ଟମ୍ ବଣ୍ଟନ (୧୮), ଅଧିନାୟକ ଇଅନ୍ ମୋର୍ଗାନ୍ (୧୮) ଓ ଟମ୍ କରନ୍ (୧୪)ଙ୍କ ଲଢୁଆ ଅବଦାନ ମଧ୍ୟ ବେକାର ଯାଇଥିଲା। ବିଶେଷକରି ୧୮ ବଲ୍ ଏବଂ ୧୦ ରନ୍ ମଧ୍ୟରେ ୫ ୱିକେଟ୍ ହରାଇବା ପରେ ଇଂଲଣ୍ଡ ପାଇଁ ଆଉ ବିଜୟ ପଥକୁ ଫେରିବା ସହଜ ହୋଇନଥିଲା। ୧୪.୫ ଓଭର ବେଳକୁ ୧୩୯ ରନ୍ରେ ୨ ୱିକେଟ୍ ହରାଇଥିବା ଇଂଲଣ୍ଡକୁ ଶେଷ ୫.୧ ଓଭରରେ ୮ ୱିକେଟ୍ ହାତରେ ଥାଇ ବିଜୟ ପାଇଁ ୪୨ ରନ୍ ଦରକାର ଥିଲା। ସେହିଠାରୁ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଏହା ପରେ ୧୮ ବଲ୍ ମଧ୍ୟରେ ତଥା ୧୭.୫ ଓଭର ବେଳକୁ ୧୦ ରନ୍ ଯୋଡ଼ି ଦଳ ୫ ୱିକେଟ୍ ହରାଇଥିଲା। ୧୭.୫ ଓଭରରେ ଇଂଲଣ୍ଡ ୧୪୯/୭ରେ ପହଞ୍ଚି ପରାଜୟ ମୁହାଁ ହୋଇଥିଲା। ଶେଷରେ ୧୬୬/୭ରେ ଅଟକି ୧୪ ରନ୍ରେ ହାରିଗଲା।