ରାଜକୋଟ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍କୁ ଇଂଲଣ୍ଡ ଜିତିବା ପରେ ହାଇଦ୍ରାବାଦ୍ରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଏବେ ସ୍ଥିତି ୧-୧ରେ ବରାବର ଥିବା ବେଳେ ରାଜକୋଟରେ ଗୁରୁବାରଠୁ ତୃତୀୟ ଟେଷ୍ଟ୍ ଆରମ୍ଭ ହେବ। ଯଶସ୍ବୀ ଜୟସ୍ବାଲ୍ (୩୨୧ ରନ୍) ଓ ଯଶପ୍ରୀତ୍ ବୁମ୍ରା (୧୫ ୱିକେଟ୍) ଙ୍କ ଯୋଗୁଁ ଭାରତ ଶୃଙ୍ଖଳାରେ ଦାବି ଦୃଢ କରିଛି। କିନ୍ତୁ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ଏବେବି ଚିନ୍ତାଜନକ ରହିଛି। ବିରାଟ କୋହଲି, ଚେତେଶ୍ବର ପୂଜାରା, କେଏଲ୍ ରାହୁଲ, ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳିଙ୍କ ବିନା ଭାରତୀୟ ମଧ୍ୟକ୍ରମ ଦୁର୍ବଳ ହୋଇଯାଇଥିବା ଦେଖାଯାଉଛି। ତୃତୀୟ ଟେଷ୍ଟରୁ ଏହି ଦାୟିତ୍ବକୁ ଯୁବ ଖେଳାଳିମାନେ ବହନ କରିବେ। କେବଳ ଏତିକି ନୁହେଁ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ହୋଇପାରିନି।
ଗତ ୧ ବର୍ଷରୁ ଅଧିକ ଦିନ ହେବ ରୋହିତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦଳ ପାଇଁ ଲାଭଦାୟକ ହୋଇପାରୁନି। ତେଣୁ ଆଗାମୀ ମ୍ୟାଚ୍ଗୁଡ଼ିକରେ ତାଙ୍କ ଶୈଳୀକୁ ପରିବର୍ତ୍ତନ କରିବା ଆବଶ୍ୟକ ରହୁଛି। ଅନ୍ୟପକ୍ଷରେ ରାହୁଲଙ୍କ ଅନୁପସ୍ଥିତିରେ ମୁମ୍ବାଇ ବ୍ୟାଟର ସର୍ଫରାଜ ଖାନ୍ ରାଜକୋଟରେ ପଦାର୍ପଣ କରିବା ସମ୍ଭାବନା ରହିଛି। ସେହିପରି ଗୋଟିଏ ଟେଷ୍ଟରେ ଖେଳିଥିବା ରଜତ ପଟିଦାର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଇପାରନ୍ତି। ଭାରତର ଏହି ମଧ୍ୟକ୍ରମ ଦୁର୍ବଳତାକୁ ଇଂଲଣ୍ଡ ମଧ୍ୟ ଜାଣି ସାରିଲାଣି। ତେଣୁ ବାଜ୍ବଲ୍କୁ ଅକାମି କରିବାକୁ ହେଲେ ମଧ୍ୟକ୍ରମକୁ ଦକ୍ଷତା ଦେଖାଇବାକୁ ପଡ଼ିବ।
ସର୍ଫରାଜ, ପଟିଦାରଙ୍କ କାନ୍ଧରେ ମଧ୍ୟକ୍ରମ
ଭରତଙ୍କ ସ୍ଥାନ ନେଇପାରନ୍ତି ଜୁରେଲ୍
ଅଶ୍ବିନ, ଆଣ୍ଡରସନ୍ଙ୍କ ଉପରେ ନଜର
ବଶିରଙ୍କ ସ୍ଥାନ ନେଲେ ଉଡ୍
ୱିକେଟ୍ରକ୍ଷକ କେଏସ୍ ଭରତ ଲଗାତାର ଭାବେ ନିରାଶ କରିଆସୁଛନ୍ତି। ତଥାପି ତାଙ୍କୁ ପ୍ରତ୍ୟେକ ମ୍ୟାଚ୍ରେ ସୁଯୋଗ ଦିଆଯାଉଛି। କିନ୍ତୁ ତୃତୀୟ ମ୍ୟାଚ୍ ବେଳକୁ ଭରତଙ୍କୁ ବିଶ୍ରାମ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ସ୍ଥାନରେ ଉତ୍ତରପ୍ରଦେଶର ଯୁବ ୱିକେଟ୍ରକ୍ଷକ ଧ୍ରୁବ ଜୁରେଲ୍ ରାଜକୋଟରେ ଖେଳିପାରନ୍ତି। ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ସେ ୪୬.୪୭ ରନ୍ ହାର ରଖିଛନ୍ତି। ସେହିପରି ସ୍ଥାନୀୟ ଖେଳାଳି ପୂଜାରା ଦଳରେ ନଥିବାରୁ ଅନ୍ୟତମ ସ୍ଥାନୀୟ ତାରକା ରବୀନ୍ଦ୍ର ଜାଡ଼େଜା ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ବିଶ୍ବ ୧ନମ୍ବର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଇଂଲଣ୍ଡର ଭେଟେରାନ୍ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ଏହି ଟେଷ୍ଟ୍ରେ ବଡ଼ ଆକର୍ଷଣ ହେବାକୁ ଯାଉଛନ୍ତି। ଅଶ୍ବିନଙ୍କ ଟେଷ୍ଟ୍ ୱିକେଟ୍ ସଂଖ୍ୟା ୪୯୯ ଓ ଆଣ୍ଡରସନ୍ଙ୍କ ୱିକେଟ୍ ସଂଖ୍ୟା ୬୯୫ ରହିଛି। ମାଇଲ୍ଖୁଣ୍ଟରେ ପହଞ୍ଚିବାକୁ ଅଶ୍ବିନଙ୍କୁ ଆଉ ୧ ୱିକେଟ୍ର ଆବଶ୍ୟକ ଥିବା ବେଳେ ଆଣ୍ଡରସନ୍ଙ୍କୁ ୫ ୱିକେଟ୍ ଦରକାର ହେଉଛି। କେବଳ ଏତିକି ନୁହେଁ ଭ୍ରମଣକାରୀ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ସେ ଏହାକୁ ସ୍ମରଣୀୟ କରିବା ପାଇଁ ଚେଷ୍ଟା କରିବେ। ୨୦୧୬ରେ ଭାରତ ଆସିଥିଲା ବେଳେ ଏହିଠାରେ ସେ ୧୨୮ ରନ୍ର ପାଳି ଖେଳିଥିଲେ। ଏବେ ପୁଣି ଥରେ ସ୍ମରଣୀୟ ମ୍ୟାଚ୍ରେ ଶତକ କରିବା ପାଇଁ ସେ ଆଶା ରଖିଛନ୍ତି।
ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ତାହାର ଖେଳାଳି ଏକାଦଶ ଘୋଷଣା କରିଛି। ପ୍ରଥମ ଥର ପାଇଁ ଦଳ ଦୁଇ ଦ୍ରୁତ ବୋଲରଙ୍କୁ ନେଇ ଖେଳିବ। ଏଥିପାଇଁ ସ୍ପିନର ସୋଏବ୍ ବଶିରଙ୍କ ସ୍ଥାନରେ ମାର୍କ ଉଡ୍ ଦଳକୁ ଫେରିଛନ୍ତି। ପ୍ରଥମ ଟେଷ୍ଟରେ ଉଡ୍ ଖେଳିବା ପରେ ଦ୍ବିତୀୟ ମ୍ୟାଚ୍ରେ ତାଙ୍କ ସ୍ଥାନରେ ଆଣ୍ଡରସନ୍ ଖେଳିଥିଲେ। କିନ୍ତୁ ରାଜକୋଟ ପିଚ୍ ଦ୍ରୁତ ବୋଲରଙ୍କୁ ସହାୟତା ଦେବାକୁ ଥିବାରୁ ଜଣେ ସ୍ପିନରଙ୍କ ସ୍ଥାନରେ ଦ୍ରୁତ ବୋଲରଙ୍କୁ ନିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଭିସା ସମସ୍ୟାରେ ପଡ଼ିଥିବା ସ୍ପିନର ରେହାନ ଅହମଦଙ୍କୁ ଅସ୍ଥାୟୀ ଭିସା ପ୍ରଦାନ କରଯାଇଥିବାରୁ ସେ ଏହି ମ୍ୟାଚ୍ରେ ଖେଳିବାକୁ ଯାଉଛନ୍ତି।
ଇଂଲଣ୍ଡ ଏକାଦଶ:ଜାକ୍ କ୍ରଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟା, ବେନ୍ ଷ୍ଟୋକ୍ସ (ଅଧିନାୟକ), ବେନ୍ ଫୋକ୍ସ, ରେହାନ ଅହମଦ, ଟମ୍ ହାର୍ଟଲି, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍, ଶୁବମନ ଗିଲ୍, ରଜତ ପଟିଦାର, ସର୍ଫରାଜ ଖାନ୍, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ୍/କେଏସ୍ ଭରତ, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।