ବୁଧବାରଠୁ ତୃତୀୟ ଟେଷ୍ଟ୍‌: ଜାଦେଜାଙ୍କ ସ୍ଥାନ ନେଇପାରନ୍ତି ଅଶ୍ବିନ

ଲିଡ୍ସ: ଚଳିତ ମାସ ୨୫ ତାରିଖରୁ ଏଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବାର ସଙ୍କେତ ଦେଇଛି। ବିଶେଷ କରି ଅଭିଜ୍ଞ ସ୍ପିନର୍‌ ରବିଚନ୍ଦ୍ରନ୍‌ ଅଶ୍ବିନ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ସ୍ଥାନ ନେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଜାଦେଜା ଚଳିତ ଶୃଙ୍ଖଳାରେ ୪୪ ଓଭର ବୋଲିଂ କରିବା ସତ୍ତ୍ବେ ଗୋଟିଏ ହେଲେ ବି ୱିକେଟ୍ ଅକ୍ତିଆର କରିପାରିନାହାନ୍ତି। ଏଣୁ ଅଶ୍ବିନଙ୍କ ପରିବର୍ତ୍ତେ ଅଧିନାୟକ କୋହଲି ତାଙ୍କୁ ଆଗ୍ରଧିକାର ଦେଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଜାଦେଜା ବଲ୍‌ରେ ନିରାଶ କରିବା ପରେ ଲିଡ୍ସରେ ଅଶ୍ବିନ ସୁଯୋଗ ପାଇବାର ଆଶା ବି ବଢ଼ିଯାଇଛି।

ଚଳିତ ଇଂଲଣ୍ଡ ଗସ୍ତରେ ଜାଦେଜା ମୁଖ୍ୟତଃ ବ୍ୟାଟିଂ ଦକ୍ଷତା ପାଇଁ ପ୍ରଥମ ପସନ୍ଦର ସ୍ପିନର ଭାବେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉଥିଲେ। ସେ ଏହି କ୍ଷେତ୍ରରେ କିଛିଟା ସଫଳତା ବି ପାଇଛନ୍ତି। ସେହିଭଳି ନଟିଂହାମ ଓ ଲଣ୍ଡନ୍‌ର ପାଗ ଓ ପରିବେଶ ତାଙ୍କ ବାମହାତୀ ବୋଲିଂକୁ ବେଶ୍ ସୁହାଇବ ବୋଲି ଦଳୀୟ ଅଧିକାରୀମାନେ ଆକଳନ କରିଥିଲେ। ଏହି ଦୁଇ ସ୍ଥାନରେ ଖେଳାଯାଇଥିବା ପ୍ରଥମ ଓ ଦ୍ବିତୀୟ ଟେଷ୍ଟ୍ ଅବସରରେ ବର୍ଷା ଲାଗି ରହିଥିଲା। ଫଳରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌କୁ ଘାଇଲା କରିବା ସହ ନଟିଂହାମରେ ବିଜୟ ଦ୍ବାର ଦେଶରେ ପହଞ୍ଚି ବର୍ଷା ପାଇଁ ଏଥିରୁ ବଞ୍ଚିତ ହୋଇଥିବା ଭାରତୀୟ ଦଳ ଲଣ୍ଡନର ଲର୍ଡସରେ ନାଟକୀୟ ବିଜୟ ହାସଲ କରିଥିଲା। ଯଦି ବ୍ୟକ୍ତିଗତ ପ୍ରଦର୍ଶନକୁ ତର୍ଜମା କରାଯାଏ ତାହାଲେ ଜଣାପଡ଼େ ଯେ ପ୍ରଥମ ଟେଷ୍ଟ୍‌ରେ ଜାଦେଜା ୧୬ ଓଭର ବୋଲିଂରେ ୫୦ ରନ୍ ବ୍ୟୟ କରି ଗୋଟିଏ ହେଲେ ବି ୱିକେଟ୍ ପାଇ ନଥିଲେ। ଦ୍ବିତୀୟ ଟେଷ୍ଟ୍‌ରେ ବି ୱିକେଟ୍ ଶୂନ୍ୟ ରହିଥିଲେ ସେ।

୨୮ ଓଭର ବୋଲିଂ କରି କୌଣସି ସଫଳତା ନପାଇବା ସହ ୪୮ ରନ୍ ଖର୍ଚ୍ଚ କରିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡର କାମଚଳା ସ୍ପିନର ମୋଇନ ଅଲ୍ଲୀ ତିନିଟି ୱିକେଟ୍ କରାୟତ କରିଥିଲେ। ଚଳିତ ଇଂଲଣ୍ଡ ଗସ୍ତରେ ମୋଟ ଉପରେ ଜାଦେଜା କେବଳ ଦୁଇଟି ୱିକେଟ୍ ଅକ୍ତିଆର କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଏବଂ ଅନ୍ୟଟି ହେଉଛି କାଉଣ୍ଟି ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଅଶ୍ବିନ ଚାରିଟି ୱିକେଟ୍ ନେଇଥିଲା ବେଳେ ‘ସରେ’ ପକ୍ଷରୁ ଗୋଟିଏ ମ୍ୟାଚ୍ ଖେଳି ୨୭ ରନ୍‌ ବିନିମୟରେ ୬ ୱିକେଟ୍ ହାସଲ କରିଥିଲେ। ଅଶ୍ବିନ ଫେରିଲେ ଭାରତୀୟ ଦଳ ଅଧିକ ସନ୍ତୁଳିତ ହୋଇପାରିବ ବୋଲି ମଧ୍ୟ ପାକିସ୍ତାନର ପୂର୍ବତନ ସ୍ପିନର ମୁସ୍ତାକ ମହମ୍ମଦ କହିଛନ୍ତି। ଲିଡ୍ସର ପରିବେଶ ମଧ୍ୟ ତାଙ୍କ ବୋଲିଂ ଶୈଳୀକୁ ସଂପୂର୍ଣ୍ଣ ସୁହାଇବ। କାରଣ ଏଠାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ ବେଳେ ବର୍ଷା ହେବାର ପୂର୍ବାନୁମାନ ନାହିଁ। ଶୁଖିଲା ପିଚ୍‌ ପାଇଁ ତୃତୀୟ ଓ ଚତୁର୍ଥ ଦିନରେ ଏଠାରେ ସ୍ପିନର ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରନ୍ତି। ନଟିଂହାମରେ ଉଭୟ ଜାଦେଜା ଓ ଅଶ୍ବିନ ଖେଳିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ।

ଲିଡ୍ସ ଟେଷ୍ଟ୍‌ର ସମ୍ଭାବ୍ୟ ଭାରତୀୟ ଏକାଦଶ
ଓପନର: କେଏଲ୍ ରାହୁଲ, ରୋହିତ ଶର୍ମା, ୩ ନମ୍ବର: ଚେତେଶ୍ବର ପୂଜାରା, ୪: ବିରାଟ କୋହଲି, ୫: ଅଜିଙ୍କ୍ୟ ରାହାଣେ, ୬: ଋଷଭ ପନ୍ତ, ୭: ରବିଚନ୍ଦ୍ରନ୍‌ ଅଶ୍ବିନ, ୮: ମହମ୍ମଦ ସାମି, ୯: ଯଶପ୍ରୀତ ବୁମ୍‌ରା, ୧୦: ମହମ୍ମଦ ସିରାଜ, ୧୧: ଈଶାନ୍ତ ଶର୍ମା/ ରବୀନ୍ଦ୍ର ଜାଦେଜା।

ସମ୍ବନ୍ଧିତ ଖବର