ଚେନ୍ନାଇ: ଚେନ୍ନାଇର ମାଡ୍ରାସ୍‌ ଆନ୍ତର୍ଜାତିକ ସର୍କିଟ୍‌ରେ ଚାଲିଥିବା ଭାରତୀୟ ଜାତୀୟ ମୋଟରସାଇକେଲ୍‌ ରେସିଂ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ୧୩ ବର୍ଷୀୟ ଚାଳକ ବେଙ୍ଗାଲୁରୁର ଶ୍ରେୟସ ହରିଶଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପ୍ରତିଯୋଗିତାର ଆୟୋଜକ ମାଡ୍ରାସ୍‌ ମୋଟର ସ୍ପୋର୍ଟ୍ସ କ୍ଲବ୍‌ ଏହି ପ୍ରତିଯୋଗିତାକୁ ବାତିଲ୍‌ କରିଦେଇଛନ୍ତି। ଜାତୀୟ ସ୍ତରରେ ଏକାଧିକ ପ୍ରତିଯୋଗିତା ଜିତିଥିବା ଶ୍ରେୟସ ଶନିବାର ତୃତୀୟ ରାଉଣ୍ଡ ରେସ୍‌ର ପ୍ରଥମ ଟର୍ଣ୍ଣିରେ ଅନ୍ୟ ଜଣଙ୍କ ସହ ଧକ୍କା ହୋଇ ତଳେ ପଡ଼ିଯାଇଥିଲେ। ଯାହାଦ୍ବାରା ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ରେସ୍‌କୁ ନାଲି ପତାକା ଦେଖାଇ ବନ୍ଦ କରିଦିଆଯାଇଥିଲା ଏବଂ ଶ୍ରେୟସଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ସ୍ଥାନୀୟ ହସ୍ପିଟାଲ୍‌ ନିଆଯାଇଥିଲା।

Advertisment

ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚଳିତ ବର୍ଷ ମେ’ ମାସରେ ଶ୍ରେୟସ ମିନିଜିପି ଭାରତ ଟାଇଟଲ୍‌ ଜିତିଥିଲେ। ଏହାବାଦ୍‌ ସ୍ପେନ୍‌ରେ ହୋଇଥିବା ଦୁଇଟି ମିନିଜିପିରେ ଅଂଶଗ୍ରହଣ କରି ଯଥାକ୍ରମେ ପଞ୍ଚମ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ଅଗଷ୍ଟରେ ମାଲେସିଆର ସେପଙ୍ଗ ସର୍କିଟ୍‌ରେ ଏମ୍‌ଏସ୍‌ବିକେ ଚାମ୍ପିଅନ୍‌ସିପ୍‌ରେ ସେ ଭାଗ ନେବାର ଥିଲା। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଭାରତୀୟ ମୋଟରସ୍ପୋର୍ଟ୍ସରେ ଏହା ଦ୍ବିତୀୟ ମୃତ୍ୟୁ। ଜାନୁଆରିରେ ମାଡ୍ରାସ୍‌ ଆନ୍ତର୍ଜାତିକ ସର୍କିଟ୍‌ରେ ହୋଇଥିବା ଭାରତୀୟ ଜାତୀୟ କାର୍‌ ରେସିଂ ପ୍ରତିଯୋଗିତାରେ କେଇ କୁମାର (୫୯)ଙ୍କ ଧକ୍କା ହୋଇ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଥିଲା।