ନୂଆଦିଲ୍ଲୀ: ୨୦୦୭ ମସିହା ଆଜିର ତାରିଖ (ସେପ୍ଟେମ୍ବର ୧୯ ତାରିଖ)ରେ ଭାରତୀୟ ଅଲ୍ରାଉଣ୍ଡର ଯୁବରାଜ ସିଂହ ଟି-୨୦ କ୍ରିକେଟ୍ରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ଙ୍କ ଗୋଟିଏ ଓଭରର ୬ ବଲ୍କୁ ୬ ଛକା ମାରି ନୂଆ କୀର୍ତ୍ତିମାନ କରିଥିଲେ। ଟି-୨୦ ବିଶ୍ବକପ୍ (୨୦୧୭)ର ଉଦ୍ଘାଟନୀ ସଂସ୍କରଣରେ ସେ ଏହି କୀର୍ତ୍ତିମାନ କରିବା ସାଙ୍ଗକୁ ସେହି ଦିନ ମଧ୍ୟ ଟି-୨୦ କ୍ରିକେଟ୍ରେ ଦ୍ରୁତତମ ଅର୍ଧଶତକ (୧୨ ବଲ୍) ହାସଲ କରିଥିଲେ। ଏହାର ୧୩ ବର୍ଷ ପୂର୍ତ୍ତିରେ ଯୁବି ଏହି ସ୍ମୃତିକୁ ରୋମନ୍ଥନ କରିଛନ୍ତି। ସେହି ମୁହୂର୍ତ୍ତକୁ ମନେ ପକାଇ ଯୁବି ଟ୍ବିଟର୍ରେ ଏକ ଛକା ମାରିବାର ଫଟୋକୁ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ସେ ‘‘ସମୟ କିପରି ଗଡ଼ିଯାଉଛି’’ ବୋଲି ଲେଖିଛନ୍ତି। ଏହାର ପ୍ରତିକ୍ରିୟାରେ ବ୍ରଡ ଲେଖିଛନ୍ତି ଯେ ‘‘ସେ ରାତିରେ ବଲ୍ ଯେପରି ଉଡ଼ୁଥିଲା, ସମୟ ତା’ଠାରୁ କମ୍ ଗତିରେ ଚାଲୁଛି। ଆମେ କେବେ ବି ସେହି ରାତିକୁ ଭୁଲିପାରିବୁନି।’’ ୱେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଓ ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ମଧ୍ୟ ଯୁବିଙ୍କ ଏହି ଟ୍ବିଟ୍ର ଜବାବ ରଖିଛନ୍ତି। ‘ଯୁବରାଜ କିଂବଦନ୍ତୀଙ୍କଠୁ ଉପରେ’ ବୋଲି ଗେଲ୍ ଲେଖିଥିଲା ବେଳେ ଗମ୍ଭୀର ହିନ୍ଦୀ ଚଳଚ୍ଚିତ୍ରର ସଂଳାପ ‘ଏହି କୀର୍ତ୍ତିମାନ ମୋତେ ଦିଅ ଠାକୁର’ ବୋଲି ଲେଖିଛନ୍ତି।
ଡର୍ବାନରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ବକପ୍ରେ ଗମ୍ଭୀର ଓ ବୀରେନ୍ଦ୍ର ସେହବାଗ ଅର୍ଧଶତକ ହାସଲ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଯୁବି ତୃତୀୟ ୱିକେଟ୍ରେ ବ୍ୟାଟିଂକୁ ଆସି ୧୯ତମ ଓଭରରେ ବୋଲିଂ କରୁଥିବା ବ୍ରଡଙ୍କ ପ୍ରତି ବଲ୍ରେ ଛକା ମାରିଥିଲେ। ଫଳରେ ଭାରତ ୨୧୮/୪ କରିପାରିଥିଲା। ଜବାବରେ ଇଂଲଣ୍ଡ ଭଲ ଖେଳିଥିଲେ ମଧ୍ୟ ବିଜୟଠୁ ୧୮ ରନ୍ ଦୂରରେ ଅଟକି ଯାଇଥିଲା। ଯୁବି ୫୮ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୧,୧୭୭ ରନ୍ କରିଛନ୍ତି।