ଭାରତ ପାଳିର ୬.୧ ଓଭର ପରେ ରବିବାର ହଠାତ୍ ବାରବାଟୀର ୮ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଖେଳାଳିଙ୍କ ଡ୍ରେସିଂ ରୁମ୍ର ଡାହାଣ ପାର୍ଶ୍ବରେ ଥିବା ଫ୍ଲଡ୍ ଲାଇଟ୍ଟି ଅଚଳ ହୋଇଯାଇଥିଲା। ଅନ୍ୟ ଲାଇଟ୍ ଟାୱାରଗୁଡ଼ିକର ଅଧା ଏଲ୍ଇଡି ଲାଇଟ୍ ମଧ୍ୟ ଜଳି ନଥିଲା। ଫଳରେ ଖେଳ ପାଖାପାଖି ୨୦ ମିନିଟ୍ ବନ୍ଦ ରହିଥିଲା। ଏହି ବିଜୁଳି ବିଭ୍ରାଟ କିନ୍ତୁ ରୋହିତଙ୍କ ଏକାଗ୍ରତାକୁ ଭାଙ୍ଗି ପାରି ନଥିଲା। ଖେଳ ସାମୟିକ ସମୟ ପାଇଁ ବନ୍ଦ ହେବା ବେଳକୁ ୧୮ ବଲ୍ରେ ୨୯ ରନ୍ କରିଥିବା ରୋହିତ ପୁନର୍ବାର ପଡ଼ିଆକୁ ଫେରି ଏକାଧିକ ଦର୍ଶନୀୟ ସଟ୍ ଖେଳିବା ସହ ୩୦ ବଲ୍ରୁ ଚାରିଟି ଲେଖାଏଁ ଛକା, ଚୌକା ବଳରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଯୁବ ତାରକା ଶୁବମନ୍ ଗିଲ୍ ମଧ୍ୟ ରୋହିତଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ।
ସପ୍ତଦଶ ଓଭରର ଚତୁର୍ଥ ବଲ୍ରେ ଜାମି ଓଭରଟନ୍ ତାଙ୍କୁ କ୍ଲିନ୍ ବୋଲ୍ଡ କରିବା ପୂର୍ବରୁ ରୋହିତ ଓ ସେ ମିଶି ପ୍ରଥମ ୱିକେଟ୍ରେ ୧୩୬ ରନ୍ ସଂଗ୍ରହ କରି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଗିଲ୍ ୫୨ ବଲ୍ ଖେଳି ୯ ଚୌକା ଓ ଗୋଟିଏ ଛକା ବଳରେ ୬୦ ରନ୍ କରିଥିଲେ। ଏହା ବାରବାଟୀରେ ତାଙ୍କର ପ୍ରଥମ ଏବଂ କ୍ୟାରିୟରର ପଞ୍ଚଦଶ ଅର୍ଦ୍ଧଶତକ ଥିଲା। କୋହଲିଙ୍କ ବ୍ୟାଟ୍ ଚାଲି ନଥିଲେ ବି ଏଥିଲାଗି ରୋହିତଙ୍କ ରନ୍ ସଂଗ୍ରହ ଗତି କମି ନଥିଲା। ରସିଦଙ୍କୁ ଛକା ମାରି କୋହଲିଙ୍କ ଆଉଟ୍ର ପ୍ରତିଶୋଧ ନେବା ସହ ବ୍ୟକ୍ତିଗତ ଭାବେ ୩୨ତମ ଏବଂ ବାରବାଟୀରେ ପ୍ରଥମ ଶତକ ହାସଲ କରି ନେଇଥିଲେ ସେ। ରୋହିତଙ୍କ ୭୬ ବଲ୍ ଶତକରେ ଭିତରେ ଥିଲା ୭ଟି ବିଶାଳ ଛକା ଓ ୯ଟି ଦର୍ଶନୀୟ ଚୌକା। ମୋଟ ଉପରେ ବାରବାଟୀର ଏହା ତ୍ରୟୋଦଶ ଏବଂ ଅନ୍ୟତମ ଦ୍ରୁତତମ ଶତକ ଥିଲା। ଏହା ପୂର୍ବରୁ ରୋହିତ ବାରବାଟୀରେ ଚାରିଟି ମ୍ୟାଚ୍ ଖେଳି ତିନିଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ କେବେ ହେଲେ ତିନି ଅଙ୍କ ଛୁଇଁ ନଥିଲେ।