ଫ୍ରାନ୍ସରେ ୩,୩୦,୦୦୦ ଶିଶୁ ଚର୍ଚ୍ଚ ଯୌନ ଉତ୍ପୀଡ଼ନର ଶିକାର: ରିପୋର୍ଟ

ପ୍ୟାରିସ୍: ଫ୍ରାନ୍ସର କ୍ୟାଥଲିକ୍ ଚର୍ଚ୍ଚଗୁଡ଼ିକରେ ଗତ ୭୦ ବର୍ଷରେ ଅନ୍ୟୂନ ୩,୩୦,୦୦୦ ଶିଶୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ପ୍ରକାଶ କରିଥିବା କମିସନ ଅଧ୍ୟକ୍ଷ ଜିନ୍-ମାର୍କ ସୌଭେଙ୍କ କହିବା ଅନୁସାରେ ବୈଜ୍ଞାନକ ଗବେଷଣା ଭିତ୍ତିରେ କରାଯାଇଥିବା ଏହି ଆକଳନରେ ଯୌନ ଉତ୍ପୀଡ଼ନକାରୀଙ୍କ ଭିତରେ ଚର୍ଚ୍ଚଗୁଡ଼ିକର ମୁଖ୍ୟ ପାଦ୍ରୀ, ଅନ୍ୟ ଧର୍ମଯାଜକ ଏବଂ ଚର୍ଚ୍ଚ ସହ ସମ୍ପୃକ୍ତ ଅନ୍ୟ ଅଣ-ଧାର୍ମିକ ବ୍ୟକ୍ତିମାନେ ଅଛନ୍ତି। ଏହାର ଫଳାଫଳ ମଧ୍ୟ ଅତି ସାଂଘାତିକ। ପିଲାଦିନେ ଯୌନ ଶୋଷଣର ଶିକାର ହୋଇଥିବା ପ୍ରାୟ ୬୦ ପ୍ରତିଶତ ପୁରୁଷ ଓ ମହିଳା ପରିଣତ ବୟସରେ ଆବେଗିକ ବା ଯୌନ ଜୀବନରେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏକ ସ୍ବାଧୀନ କମିସନ ଦ୍ବାରା ୨,୫୦୦ ପୃଷ୍ଠାର ଦଲିଲ ପ୍ରକାଶ ପାଇବା ପରେ ଏହି କଥାକୁ ଦୀର୍ଘକାଳ ଧରି ଲୁଚାଇ ଆସିଥିବା ଫ୍ରାନ୍ସ ଅନ୍ୟ ଦେଶଗୁଡ଼ିକ ପରି ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି।

ରିପୋର୍ଟ ଅନୁସାରେ ପ୍ରାୟ ୩୦୦୦ ଉତ୍ପୀଡ଼କମାନଙ୍କ ଭିତରେ ଦୁଇ-ତୃତୀୟାଂଶ ହେଉଛନ୍ତି ପାଦ୍ରୀ। ସୌଭେ କହିଛନ୍ତି, ମୋଟ ସଂଖ୍ୟା ଭିତରେ ପ୍ରାୟ ୨,୧୬,୦୦୦ ଜଣ ପାଦ୍ରୀ ଓ ଅନ୍ୟ ଧର୍ମଯାଜକଙ୍କ ଦ୍ବାରା ନିର୍ଯାତିତ ହୋଇଛନ୍ତି। କମିସନ ଅଢ଼େଇ ବର୍ଷ ଧରି ପୀଡ଼ିତମାନଙ୍କଠାରୁ ବୟାନ ଓ ସାକ୍ଷ୍ୟପ୍ରମାଣ ଆଦି ନେବା ସହ ବିଭିନ୍ନ ଚର୍ଚ୍ଚ, କୋର୍ଟ, ପୁଲିସ ଓ ପ୍ରେସ୍‌ରୁ ଉପଲବ୍ଧ ଦଲିଲଗୁଡ଼ିକର ଯାଞ୍ଚ କରିଥିଲେ। ଏଥିପାଇଁ ଏକ ହଟ୍‌ଲାଇନ ନମ୍ବର ଜାରି କରାଯାଇଥିଲା, ଯେଉଁ ନମ୍ବରକୁ ୬,୫୦୦ ଲୋକ ଫୋନ୍ କରି କହିଥିଲେ ଯେ ସେମାନେ ନିଜେ ପୀଡ଼ିତ ବା ସେମାନେ କୌଣସି ପୀଡ଼ିତକୁ ଜାଣିଛନ୍ତି।

ସମ୍ବନ୍ଧିତ ଖବର