ଜାମାଇକା: ନିଜ ଟେଷ୍ଟ୍ ଜୀବନର ପ୍ରଥମ ଶତକକୁ ହନୁମା ବିହାରୀ ସ୍ବର୍ଗତ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୧୩ ବର୍ଷ ତଳେ ସେ ପିତାଙ୍କୁ ହରାଇଥିଲେ। କିନ୍ତୁ ଅନ୍ତର୍ଜାତୀୟ ଜୀବନ ଆରମ୍ଭରୁ ଦିନେ ପ୍ରଥମ ଶତକକୁ ପିତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ ବୋଲି ମନରେ ରଖିଥିଲେ। ‘ମୁଁ ମାତ୍ର ୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲି, ପ୍ରଥମ ଶତକକୁ ତାଙ୍କୁ ସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲି’ ବୋଲି ଶନିବାର ରାତିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୧୧୧ ରନ୍‌ କରିଥିବା ହନୁମା ବିହାରୀ କହିଛନ୍ତି। ‘ମୁଁ ଆଜି ଭାବବିହ୍ବଳ ‌ହୋଇପଡ଼ିଥିଲି,‌ ଡାଡ୍ ଯେଉଁଠି ଥିଲେ ବି ଗର୍ବ ଅନୁଭବ କରିଥିବେ, ମୁଁ ଏହି କୃତିତ୍ବ ଅର୍ଜନ କରିପାରିଥିବାରୁ ବହୁତ ଖୁସୀ’ ବୋଲି ବିହାରୀ ପ୍ରକାଶ କରିଥିଲେ। ନିଜର ଶତକ ପାଇଁ ବିହାରୀ ମଧ୍ୟ ସାଥୀ ଖେଳାଳି ଈଶାନ୍ତ ଶର୍ମାଙ୍କୁ ଶ୍ରେୟ ଦେଇଥିଲେ। ଈଶାନ୍ତ ଯେଭଳି ବ୍ୟାଟିଂ କରୁଥିଲେ ସେ ମୋ’ଠାରୁ ଅଧିକ ଦକ୍ଷ ବ୍ୟାଟସମ୍ୟାନ୍‌ ଭଳି ଲାଗୁଥିଲେ। ଆମ ଦୁହିଁଙ୍କ ମଧ୍ୟରେ ହୋଇଥିବା ଭାଗୀଦାରିରେ ତାଙ୍କ ଅଭିଜ୍ଞତା ବଡ଼ ସହାୟକ ହୋଇଥିଲା। ସୂଚନାଯୋଗ୍ୟ, ବିହାରୀ ଏବଂ ଈଶାନ୍ତ ୨୮.୩ ଓଭର ଖେଳି ଅଷ୍ଟମ ୱିକେଟ୍‌ ପାଇଁ ୧୧୨ ରନ୍ ଯୋଡ଼ିଥିଲେ। ଈଶାନ୍ତ (୫୭, ୮୦ ବଲ) ମଧ୍ୟ ନିଜ ଖେଳ ଜୀବନର ପ୍ରଥମ ଟେଷ୍ଟ୍ ଅର୍ଧଶତକ ହାସଲ କରିଥିଲେ। ବିହାରୀ କିନ୍ତୁ କ୍ରମେ ଟେଷ୍ଟ୍‌ କ୍ରିକେଟ୍‌ରେ ସଙ୍କଟମୋଚକ ଉଭା ହୋଇଛନ୍ତି। ପ୍ରଥମ ଟେଷ୍ଟ୍‌ରେ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟ ବେଳେ ଦଳକୁ ସେ ଉଭୟ ପାଳିରେ (୩୨, ୯୩) ଉଦ୍ଧାର କରିଥିଲେ। ଶନିବାର ଶତକ ହାସଲ କରିବା ପୂର୍ବରୁ ବିହାରୀ ମଧ୍ୟ ପୂର୍ବ ରାତିରେ ଭଲରେ ‌ଶୋଇ ପାରିନଥିବା କଥାକୁ ସ୍ବୀକାର କରିଥିଲେ। ପୂର୍ବଦିନ ବ୍ୟକ୍ତିଗତ ଭାବେ ୪୨ ରନ୍‌ରେ ଅପରାଜିତ ଥିବାରୁ କିଭଳି ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରିବି ମୁଣ୍ଡରେ ରହିଥିଲା। ଏହି ଲକ୍ଷ୍ୟକୁ ହାସଲ କରିପାରିଥିବାରୁ ବହୁତ ଖୁସି ଲାଗିଛି’ ବୋଲି ବିହାରୀ କହିଥିଲେ।