ଏଥର ଆଇପିଏଲ୍‌ରେ ଗୋଟିଏ ଉଦ୍‌ଘାଟନୀ

ମୁମ୍ବାଇ: ଆଇପିଏଲ୍‌-୨୦୧୮ ଯେତେ ପାଖେଇ ଆସୁଛି ତାକୁ ନେଇ ଚର୍ଚା ସେତିକି ବଢ଼ି ବଢ଼ି ଚାଳିଛି। ସୋମବାର ଏହି ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌ର ତାରିଖ ଘୋଷଣା ହୋଇଥିଲା ବେଳେ ବୁଧବାର ଉଦଘାଟନୀ ଉତ୍ସବକୁ ନେଇ କେତେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି। ଗତବର୍ଷ ଆଇପିଏଲ ଆୟୋଜିତ ହୋଇଥିବା ୮ ସ୍ଥାନରେ ୮ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଏବର୍ଷ କିନ୍ତୁ ଏହି ଧାରା ବଦଳିବ। ଚଳିତ ବର୍ଷ ମୁମ୍ବାଇଠାରେ ଗୋଟିଏ ଉଦଘାଟନୀ ଉତ୍ସବ ଆୟୋଜନ କରିବାକୁ ଆଇପିଏଲ୍‌ ପରିଚାଳନା ପରିଷଦ ନିଷ୍ପତ୍ତି ନେଇଛି। ସେହିଭଳି ଗତବର୍ଷ ଉଦଘାଟନୀ ପାଇଁ ୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ବେଳେ ଚଳିତ ବର୍ଷ ଏହାକୁ ୫୦ କୋଟି ଟଙ୍କାକୁ ବଢ଼ାଇ ଦିଆ ଯାଇଛି। ଚଳିତ ବର୍ଷ ମଧ୍ୟ ଲକ୍ଷ୍ନୌ ଆଇପିଏଲ୍‌ର ନୂଆ ଆୟୋଜକ ଭାବେ ଉଭା ହେବ। ଲକ୍ଷ୍ନୌର ଏକନ କ୍ରିକେଟ୍‌ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ। ଦିଲ୍ଲୀ ଡେୟାର ଡେଭିଲ୍ସ ଏହି ସହରକୁ ନିଜ ଦ୍ୱିତୀୟ ଘରୋଇ ସହର ଭାବେ ଗ୍ରହଣ କରିଛି। ଫଳରେ ଲକ୍ଷ୍ନୌବାସୀ ପ୍ରଥମ ଥର ଲାଗି ଷ୍ଟାଡିୟମରେ ବସି ଆଇପିଏଲ୍‌ ଦେଖିବାର ମଜା ନେବେ।

ସମ୍ବନ୍ଧିତ ଖବର