ଭାରତୀୟ କ୍ରିକେଟ୍ ଇତିହାସରେ ବିରାଟ କୋହ୍ଲି, ଏମ୍. ଏସ୍. ଧୋନି ଏବଂ ସଚିନ ତେନ୍ଦୁଲକର ଆଦି ଧନୀ କ୍ରିକେଟ୍ ଖେଳାଳିମାନେ ବ୍ୟକ୍ତିଗତ ବ୍ୟବହାର ପାଇଁ ‘ଜେଟ୍ ବିମାନ’ ଖରିଦ କରିଥିବା ରିପୋର୍ଟ କରାଯାଇଛି। କିନ୍ତୁ, ଏହି ବିଳାସମୟ ବିମାନ କିଣିବାରେ ସେମାନେ ପ୍ରଥମ ଭାରତୀୟ କ୍ରିକେଟ୍ ଖେଳାଳି ନୁହନ୍ତି।
ବ୍ୟକ୍ତିଗତ ବ୍ୟବହାର ପାଇଁ ଜେଟ୍ ବା ବିମାନ କିଣିଥିବା ପ୍ରଥମ ଭାରତୀୟ କ୍ରିକେଟର୍ ହେଉଛନ୍ତି ମହାରାଜା ସାର୍ ଭୂପିନ୍ଦର ସିଂହ। ମାତ୍ର ୯ ବର୍ଷ ବୟସରେ ସେ ପଟିଆଲାର (ପଞ୍ଜାବ) ରାଜା ହୋଇଥିଲେ। ତାଙ୍କର ରାଜତ୍ବ କାଳ ଥିଲା ୧୯୦୦ରୁ ୧୯୩୮ ପର୍ଯ୍ୟନ୍ତ।
ବିରାଟ ରାଜ୍ୟର ରାଜା ଓ ବିଳାସମୟ ଜୀବନ ବିତାଉଥିବା ମହାରାଜା ଭୂପିନ୍ଦର ସିଂହ ହେଉଛନ୍ତି ବ୍ୟକ୍ତିଗତ ବିମାନ କିଣିଥିବା ପ୍ରଥମ ଭାରତୀୟ। ୧୯ ବର୍ଷ ହୋଇଥିବା ବେଳେ ସେ ଇଂଲଣ୍ଡ୍ରୁ ଗୋଟାଏ ଜେଟ୍ କିଣିଥିଲେ।
/sambad/media/post_attachments/378cbf04f5b3059a27c92cbcc836f4375323fd132ab5f394b739d3455dd297f1.jpg)
ସେଥିପାଇଁ ସେ ନିଜ ରାଜ୍ୟରେ ଏକ ‘ଏୟାର୍ ଷ୍ଟ୍ରିପ୍’ (ବିମାନ ଅବତରଣ ସ୍ଥାନ) ନିର୍ମାଣ କରାଇଥିଲେ। ଅନେକ ହୁଏ ତ ଜାଣି ନ ଥାଇ ପାରନ୍ତି ଯେ, ଭାରତର କନିଷ୍ଠତମ ରାଜାଙ୍କ ମଧ୍ୟରୁ ଅନ୍ୟତମ ହେବା ସହିତ ପ୍ରାକ୍-ସ୍ବାଧୀନତା ସମୟରେ ଭୂପିନ୍ଦର ସିଂହ ଥିଲେ ଜଣେ ଚମତ୍କାର କ୍ରିକେଟ୍ ଖେଳାଳି।
କ୍ରିକେଟ୍ ପ୍ରତି ତାଙ୍କର ଖୁବ୍ ଆଗ୍ରହ ଥିବାରୁ ଭୂପିନ୍ଦର ସେ ସମୟର ସବୁଠୁ ଭଲ କ୍ରିକେଟ୍ ଟିମ୍ ‘ପଟିଆଲା ଏକାଦଶ’ର ସଦସ୍ୟ ଥିଲେ। ଏହାଛଡ଼ା, ୧୯୧୧ରେ ଇଂଲଣ୍ଡ୍କୁ ଖେଳିବାକୁ ଯାଇଥିବା ଭାରତୀୟ ଟିମ୍ର ନେତୃତ୍ବ ମଧ୍ୟ ସେ ଗ୍ରହଣ କରିଥିଲେ।
କ୍ରିକେଟ୍ କ୍ୟାରିୟର୍ରେ ମହାରାଜା ଭୂପିନ୍ଦର ୨୭ଟି ଉତ୍କୃଷ୍ଟ ଧରଣର କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ୧୯୨୬ରେ ସେ ‘ମେରିଲିବୋନ୍ କ୍ରିକେଟ୍ କ୍ଳବ୍’ର ସଦସ୍ୟ ବି ହୋଇଥିଲେ। ୧୯୩୨ରେ ଇଂଲଣ୍ଡ୍ ଯାଇ ଖେଳିବାକୁ ଥିବା ମ୍ୟାଚ୍ ପାଇଁ ସେ ଭାରତୀୟ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍ ଭାବେ ମନୋନୀତ ହୋଇଥିଲେ ବି ଅସୁସ୍ଥତା କାରଣରୁ ଯାଇପାରି ନ ଥିଲେ।