ନୂଆଦିଲ୍ଲୀ: ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ଗତକାଲି ତାରି ଘରେ ହରାଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି)। ଏଲ୍ଏସ୍ଜି ଏହି ମ୍ୟାଚ୍କୁ ୨୮ ରନ୍ରେ ଜିତିବା ସହ ଚଳିତ ଆଇପିଏଲ୍ରେ ଦ୍ବିତୀୟ ବିଜୟ ପାଇଥିଲା। ତେବେ ଏହି ବିଜୟ ପରେ ଏଲଏସଜିକୁ ଏକ ଝଟକା ଲାଗିଛି | ଦଳର ଷ୍ଟାର ଫାଷ୍ଟ ବୋଲର ଆହତ କାରଣରୁ ସମଗ୍ର ସିଜିନରୁ ବାହାରିଯାଇଛନ୍ତି । ଏହି ବୋଲରଙ୍କ ନାମ ଶିବମ ମାଭି | ୨୫ ବର୍ଷୀୟ ଶିବମ ମାଭିଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଇପିଏଲ୍ ୨୦୨୪ ନିଲାମରେ ୬.୪ କୋଟି ଟଙ୍କାରେ କିଣିଥିଲା। ରିପୋର୍ଟ ଅନୁଯାୟୀ, ମାଭି ସିଜିନ ଆରମ୍ଭରୁ ସମ୍ପୂର୍ଣ୍ଣ ଫିଟ୍ ନଥିଲେ ଏବଂ ସେଥିପାଇଁ ସେ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି।
ତେବେ ବର୍ତ୍ତମାନ ମାଭି ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଫ୍ରାଞ୍ଚାଇଜ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ମାଭି ସୁପର ଜାଏଣ୍ଟସ୍ କ୍ୟାମ୍ପ ଛାଡିଥିବାର ନଜର ଆସିଛନ୍ତି। ୨୦୧୮ ଅଣ୍ଡର -୧୯ ବିଶ୍ୱକପରେ ନିଜର ବିସ୍ଫୋରକ ବୋଲିଂ ସହିତ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶିବମ ମାଭି ଦେଶ ପାଇଁ ୬ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ଆଇପିଏଲର ୩୨ଟି ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ମାଭି ଦୀର୍ଘ ସମୟ ଧରି କୋଲକାତା ନାଇଟ୍ ରାଇଡର୍ସ ଦଳରେ ଥିଲେ | ମାଭି କ୍ରମାଗତ ଭାବରେ ୧୪୦ କିଲୋମିଟର ବେଗରେ ବୋଲିଂ କରିପାରନ୍ତି |