ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌ ୧୮ରୁ 

ଏଥର ରାଜ୍ୟ ବାହାରୁ ୩ ଦଳ

ଭୁବନେଶ୍ୱର: ଦୀର୍ଘ ୩୮ ବର୍ଷ ଧରି କ୍ରିକେଟ୍‌ ପ୍ରତି ଉତ୍ସର୍ଗୀକୃତ ଥିବା ଓଡ଼ିଶାର ଅନ୍ୟତମ କ୍ରୀଡ଼ା ଅନୁଷ୍ଠାନ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଅନେକ ରାଜ୍ୟ ଓ ଜାତୀୟସ୍ତରର କ୍ରିକେଟ୍‌ ଖେଳାଳିଙ୍କୁ ତିଅରି କରିସାରିଛି। ସ୍ଥାନୀୟ ବିଜେବି ନଗର ଅଞ୍ଚଳରେ ଥିବା ନିଜସ୍ୱ ପଡ଼ିଆରେ ପ୍ରତ୍ୟେହ ୧୨ରୁ ୩୦ ବର୍ଷ ବୟସ୍କ ବିଭିନ୍ନ ବର୍ଗର ପ୍ରାୟ ୨୫୦ ଛାତ୍ର ଓ ଯୁବ ଖେଳାଳି ଅଭ୍ୟାସ କରିଥାନ୍ତି। ଏଥିପାଇଁ ୪ଟି ପିଚ୍‌ ତିଆରି ହୋଇଛି। ଉନ୍ନତମାନର ବୋଲିଂ ମେସିନ୍‌ ମଧ୍ୟ ନିୟୋଜିତ ରହିଛି। ତେବେ ଅତୀତରେ ୧୪ ଓ ୧୬ ବର୍ଷରୁ କମ୍‌ ସାଙ୍ଗକୁ ବରିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିସାରିଥିବା ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଗତ ତିନି ବର୍ଷ ଧରି ୧୫ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ କରୁଛି। ଯାହାକି ରାଜ୍ୟରେ କୌଣସି କ୍ଲବ୍‌ କରିନାହାନ୍ତି। ଗତ ଦୁଇ ବର୍ଷ ଏହି ପ୍ରତିଯୋଗିତା ରାଜ୍ୟସ୍ତରର ରହିଥିଲା ବେଳେ ଚଳିତ ବର୍ଷ ତୃତୀୟ ସଂସ୍କରଣକୁ ସର୍ବଭାରତୀୟ ସ୍ତରର କରାଯାଇଛି। ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ରାଜ୍ୟ ବାହାରୁ ୩ ଦଳ ଭାଗ ନେଉଛନ୍ତି। ଅରବିନ୍ଦ ସ୍ମାରକୀ ନାମରେ ପ୍ରଚଳିତ ଏହି ପ୍ରତିଯୋଗିତା ଏଥର ଆସନ୍ତା ୧୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ। ମୋଟ ୧୬ ଦଳ ଏଥର ଭାଗ ନେବେ। ସେମାନଙ୍କ ମଧ୍ୟରେ ରାଜ୍ୟ ବାହାରୁ ନୂଆଦିଲ୍ଲୀର ଚେତନଚୌହାନ୍‌ ଓ ମଦନଲାଲ କ୍ରିକେଟ୍‌ ଏକାଡେମୀ (ମିଳିତ), ଝାଡ଼ଖଣ୍ଡର ସ୍ୱନେଟ୍‌ କ୍ରିକେଟ୍‌ ଏକାଡେମି (ରାଞ୍ଚି) ଏବଂ ପଶ୍ଚିମବଙ୍ଗର ନୟାହାଟ କ୍ରିକେଟ୍‌ ଏକାଡେମି (ଚବିଶପ୍ରଗଣା) ଦଳ ଭାଗ ନେଉଥିଲା ବେଳେ ରାଜ୍ୟ ଭିତରୁ ସହିଦ ସ୍ପୋର୍ଟିଂ, ପାରାମାଉଣ୍ଟ୍‌-କ, ପାରାମାଉଣ୍ଟ୍‌-ଖ, ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌, ପ୍ରଗତି ସ୍ପୋର୍ଟିଂ, ବିବିସିଏ ସ୍ପୋର୍ଟିଂ, ଓସ୍କାର ସ୍ପୋର୍ଟିଂ ଓ ରାମେଶ୍ୱର ସ୍ପୋର୍ଟିଂ (ସମସ୍ତେ ଭୁବନେଶ୍ୱର), ଜୁଭେନାଇଲ୍‌ ସ୍ପୋର୍ଟିଂ, ସୋଲାର କ୍ରିକେଟ୍‌ ଏକାଡେମି, ବିଶ୍ୱଭାରତୀ ଏବଂ ୟୁନିୟନ୍‌ ସ୍ପୋର୍ଟିଂ (ସମସ୍ତେ କଟକ), ବାରିପଦା କ୍ରିକେଟ୍‌ ଏକାଡେମି ସାମିଲ ରହିଛି। ପ୍ରତି ମ୍ୟାଚ୍‌ ୪୦ ଓଭର ବିଶିଷ୍ଟ ରହିବ। ବିଜେତା ଦଳକୁ ଅରବିନ୍ଦ ସ୍ମାରକୀ ଟ୍ରଫି ସହ ୨୦,୦୦୦ ଟଙ୍କା ଏବଂ ଉପବିଜେତା ଦଳକୁ ବିମଳ ପ୍ରସାଦ ପଟ୍ଟନାୟକ ଟ୍ରଫି ସହ ୧୦,୦୦୦ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରତି ମ୍ୟାଚ୍‌ର ଶ୍ରେଷ୍ଠ, ପ୍ରତିଯୋଗିତାର ଶ୍ରେଷ୍ଠ, ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଏବଂ ଶ୍ରେଷ୍ଠ ଶୃଙ୍ଖଳିତ ଦଳକୁ ମଧ୍ୟ ପୁରସ୍କୃତ କରାଯିବ। ପ୍ରତିଯୋଗିତା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କ୍ଲବ୍‌ର ସଭାପତି ପ୍ରତାପ ଜେନା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅମର ମହାପାତ୍ର, ସଂପାଦକ ଅଶୋକ ପାତ୍ର, କୋଷାଧ୍ୟକ୍ଷ ସଞ୍ଜୀବ ରଥ, ପ୍ରଶିକ୍ଷକ ମହମ୍ମଦ ଆଜାଦ୍‌ ପ୍ରମୁଖ ଉପସ୍ଥିତ ଥିଲେ। ୧୮ ତାରିଖ ଦିନ ସହିଦ ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ହେବ। ୩୧ ତାରିଖରୁ କ୍ୱାର୍ଟର ଫାଇନାଲ୍‌, ଏପ୍ରିଲ ୫ ଓ ୬ରେ ସେମିଫାଇନାଲ୍‌ ଏବଂ ୮ ତାରିଖରେ ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର